close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅପହଞ୍ଚ ଗାଁ, ପହଞ୍ଚି ପାରୁନି ବିକାଶ

ତଳିଆଗୁଡା ଗାଁରେ ମୌଳିକ ସୁବିଧା ଅପହଞ୍ଚ । ଗାଁ ଗମନାଗମନ ପାଇଁ ରାସ୍ତା, ପିଇବା ପାଣିର ସୁବିଧା ନାହିଁ । ଏପରି ସ୍ଥିତିରେ ବିଜୁଳି ଆଲୋକ, ସ୍ୱାସ୍ଥ୍ୟ ଓ ଶିକ୍ଷା କଥା  ନ କହିଲେ ସରେ । 

ଅପହଞ୍ଚ ଗାଁ, ପହଞ୍ଚି ପାରୁନି ବିକାଶ

ସୁଚିତ୍ରା ସେଣ୍ଡ୍,କୋରାପୁଟ : ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ଗାଁର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କହୁଛନ୍ତି । ଏଥିପାଇଁ ବିଭିନ୍ନ ଵିଜ୍ଞାପନ ମଧ୍ୟମରେ କରାଯାଉଛି ପ୍ରମୋସନ । ହେଲେ କେତେକ ସ୍ଥାନ ଆଜିବି ସରକାରଙ୍କ ଆଖି ଆଡୁଆଳରେ ରହିଛି । ରାଜ୍ୟରେ ଏମିତି କିଛି  ଗାଁ  ଅଛି ଯେଉଁଠି କି ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ନାହିଁ । ଦୀର୍ଘ ବର୍ଷର ଶାସନ ପରେ  ଏହି ଚିତ୍ରଟି ପ୍ରଶାସନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି  ।

କୋରାପୁଟ ଜିଲ୍ଲାର ଜୟପୁର ବୈପାରୀଗୁଡା ବ୍ଲକର ବାଲିଗାଁ  ପଞ୍ଚାୟତର ତଳିଆଗୁଡା ଗାଁରେ ମୌଳିକ ସୁବିଧା ଅପହଞ୍ଚ । ଗାଁ ଗମନାଗମନ ପାଇଁ ରାସ୍ତା, ପିଇବା ପାଣିର ସୁବିଧା ନାହିଁ । ଏପରି ସ୍ଥିତିରେ ବିଜୁଳି ଆଲୋକ, ସ୍ୱାସ୍ଥ୍ୟ ଓ ଶିକ୍ଷା କଥା  ନ କହିଲେ ସରେ । 
ଗାଁରେ ୮୦ଟି ପରିବାର ବସବାସ କରୁଛନ୍ତି । ୩ ଶହରୁ ଅଧିକ ଲୋକେ ବସବାସ କରୁଥିବା ଏହି ଗାଁରେ ସରକାରୀ ଯୋଜନା ପହଞ୍ଚି ପାରୁନଥିବାରୁ  ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଗାଁରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବାରମ୍ୱାର ଦାବି କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନାହିଁ ।  ନିର୍ବାଚନ ସମୟରେ ଲୋକ ପ୍ରତିନିଧି ନେତା ଓ ମନ୍ତ୍ରୀ ଗାଁକୁ ଆସି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଯାଉଛନ୍ତି  ହେଲେ ନିର୍ବାଚନ ସରିବା ପରେ ଗାଁ ଲୋକଙ୍କୁ ପଚାରୁଛି କିଏ । ତଳିଆଗୁଡା ଗାଁର ସମସ୍ୟା ଦୂର ନହେଲେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ବିପଦ ସଙ୍କୁଳ ଅବସ୍ଥାରେ ନଦୀପାର ହେବାକୁ ପଡୁଛି ।  ଅନ୍ୟପଟେ କେନ୍ଦୁଗୁଡା ଦେଇ ଯିବାକୁ ହେଲେ ମାଟି ରାସ୍ତା ଦେଇ ଯାଉଛନ୍ତି ଗାଁ ଲୋକେ । ଗାଁରେ ଥିବା ନଳକୂପଟି ଅଧପନ୍ତରିଆ ଭାବେ ପଡି ରହିଛି । ସେପଟେ ଡ୍ରେନ ସଫା ହେଉନଥିବାରୁ  ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଅନେକ ସମୟରେ ଗର୍ଭବତୀ, ପ୍ରସୂତି ଓ  ରୋଗୀଙ୍କୁ ଜରୁରୀ ପରିସ୍ଥିତିରେ ମେଡିକାଲ ନେବାପାଇଁ କେନ୍ଦୁଗୁଡା ରାସ୍ତା ପର୍ଯ୍ୟନ୍ତ  ଖଟିଆରେ ବୋହି ନେବାକୁ ପଡୁଛି ।  ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଉଛି ବୋଲି ସ୍ଥାନୀୟ ଆଶା କର୍ମୀ  କରିଛନ୍ତି । ସେହିପରି  ତଳିଆଗୁଡାରେ ଗାଁର  ଥିବା ଅଙ୍ଗନୱାଡି କେନ୍ଦ୍ରରେ ୪୨ ଜଣ ପିଲା ପାଠପଢୁଛନ୍ତି ବୋଲି ଅଙ୍ଗନୱାଡି କର୍ମୀ କହିଛନ୍ତି ।  ଗାଁରେ ୬ରୁ ୧୪ ବର୍ଷ ମଧ୍ୟରେ ୮୦ ଜଣ ପିଲା ରହିଥିବା ବେଳେ ସେମାନଙ୍କ ପାଇଁ ଗାଁରେ ପ୍ରାଥମିକ ବିଦ୍ୟାଳୟ ନଥିବାରୁ  ବାଧ୍ୟ ହୋଇ ପାଞ୍ଚ କିଲୋମିଟର ଦୂରରେ ଥିବା କୁନ୍ଦୁରା ବ୍ଲକର ଗାଡ଼ଗୁଣ୍ଡଳ  ପ୍ରାଥମିକ ବିଦ୍ୟାଳୟକୁ ପାଠପଢିବାକୁ ଯାଉଛନ୍ତି । ପିଲାମାନେ ଖରା, ବର୍ଷା ଓ  ଶୀତରେ ପାଠ ପଢିବାକୁ ଯାଉଥିବାରୁ  ଅଭିଭାବକ ମାନେ ମଧ୍ୟ ପିଲାଙ୍କୁ ସ୍କୁଲ ଛାଡ଼ି ଚିନ୍ତାରେ ରହୁଛନ୍ତି  । ଅନେକ ସମୟରେ ଦୂର ରାସ୍ତା ଯୋଗୁ ସ୍କୁଲକୁ ନ ଯାଇ ପିଲାମାନେ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି । ସେପଟେ ବାଲିଗାଁ ଓ ତଳିଆଗୁଡା ନଦୀର କଲଭର୍ଟ ପାଇଁ ଟେଣ୍ଡର ହୋଇଛି, ଖୁବସୀଘ୍ର କାମ ଆରମ୍ଭ ହେବ । ତଳିଆଗୁଡାରେ ଥିବା ବିଦ୍ୟାଳୟ ସମସ୍ୟା  ପାଇଁ   ଶିକ୍ଷା ଅଧିକାରୀଙ୍କୁ   ତଦନ୍ତ କରିବା ପାଇଁ ଜଣାଇବେ ବୋଲି ସ୍ଥାନୀୟ ବିଡିଓ କହିଛନ୍ତି ।