ମନ୍ତ୍ରିମଣ୍ଡଳରେ ମହିଳା କାହିଁକି ନୁହେଁ ?
Advertisement

ମନ୍ତ୍ରିମଣ୍ଡଳରେ ମହିଳା କାହିଁକି ନୁହେଁ ?

ଏମିତି ଉତ୍ତର ଦେଲା ଆପ୍...

ଫାଇଲ ଫଟୋ

ନୂଆଦିଲ୍ଲୀ: ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନ । ୬୭ ଆସନ ଆପକୁ ମିଳିଥିବା ବେଳେ ଏମାନଙ୍କ ମଧ୍ୟରେ ୬ ମହିଳା ରହିଥିଲେ । ହେଲେ ନିଜ ମନ୍ତ୍ରିମଣ୍ଡଳରେ ଜଣେ ମଧ୍ୟ ମହିଳାଙ୍କୁ ସାମିଲ କରି ନ ଥିଲେ କେଜ୍ରିୱାଲ । ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ଅବସ୍ଥା । ୬୨ ଆସନ ଆପ୍ ହାସଲ କରିଥିବା ବେଳେ ଦଳରୁ ୮ ମହିଳା ବିଧାୟକ ଅଛନ୍ତି । ହେଲେ ଏଥର ମଧ୍ୟ କେଜ୍ରିୱାଲଙ୍କ କ୍ୟାବିନେଟରେ ମହିଳା ଶୂନ । ପୂର୍ବରୁ ଯେଉଁମାନେ ମନ୍ତ୍ରୀ ଥିଲେ, ସେମାନଙ୍କୁ ହିଁ ରିପିଟ କଲେ କେଜ୍ରିୱାଲ । ଯାହାକୁ ନେଇ ଦିଲ୍ଲୀ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । 

ବିଭିନ୍ନ ଗଣମାଧ୍ୟମର ସର୍ଭେ ଅନୁସାରେ, ଏଥର ପୂର୍ବାପେକ୍ଷା ଆପରେ ମହିଳା ବିଧାୟକଙ୍କ ସଂଖ୍ୟା କେବଳ ବଢ଼ିନି, ମହିଳାଙ୍କ ଭୋଟ ମଧ୍ୟ ଅଧିକ ମିଳିଛି । ସର୍ଭେ ରିପୋର୍ଟ କହୁଛି, ଆପକୁ ଚଳିତ ନିର୍ବାଚନରେ ୪୯ପ୍ରତିଶତ ପୁରୁଷ ଭୋଟ ଦେଇଥିବା ବେଳେ ୬୦ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି । ମାତ୍ର ଏହା ସତ୍ତ୍ୱେ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ମନ୍ତ୍ରିମଣ୍ଡଳରେ ଜଣେ ମଧ୍ୟ ମହିଳାଙ୍କୁ ସ୍ଥାନ ନଦେବା ଘଟଣାକୁ କେହି କେହି ହଜମ କରିପାରୁନାହାଁନ୍ତି । ନବ ନିର୍ବାଚିତ ଆପ୍ ବିଧାୟିକା ଆତିଶୀଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ମଧ୍ୟ ପୁନଚ୍ଛେଦ ପଡ଼ିଛି । 

ସୋସିଆଲ ମିଡିଆରେ ଏନେଇ କେଜ୍ରିୱାଲଙ୍କ ଉପରେ ବହୁ ଫଲୋୟର୍ସ ଖପ୍ପା ହୋଇଛନ୍ତି । ମନ୍ତ୍ରାଳୟର ବିତରଣ ଯୋଗ୍ୟତା ଆଧାରରେ କରିବାକୁ କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ତେବେ ଆପ୍ ବିଧାୟିକାଙ୍କ ମଧ୍ୟରେ କାହାର ମଧ୍ୟ ମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଜଣେ ଟ୍ୱିଟର ୟୁଜର୍ସ ।  ସେହିପରି ଏହାକୁ ନୈରାଶ୍ୟଜନକ ବୋଲି ଅବିହିତ କରିଛନ୍ତି ସୁପ୍ରିମକୋର୍ଟର ଜଣେ ଆଇନଜୀବୀ । 

ଅନ୍ୟପଟେ ଏହା ଉପରେ ମନୀଷ ସିସୋଦିଆଙ୍କ କହିବା କଥା ହେଲା, ''ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନିଷ୍ପତ୍ତି ଦିଲ୍ଲୀ ଜନତାଙ୍କର । ମାତ୍ର କ୍ୟାବିନେଟରେ କିଏ କିଏ ସାମିଲ ହେବେ, ତାହା ସେ ନିଷ୍ପତ୍ତି ସମ୍ପୁର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କର । ଦିଲ୍ଲୀ ଜନତା ଯେଉଁ ମନ୍ତ୍ରିମଣ୍ଡଳର କାମରେ ଖୁସି ଅଛନ୍ତି, ତାକୁ ହିଁ କେଜ୍ରିୱାଲ ରିପିଟ କରିଛନ୍ତି । ତେଣୁ ଏଥରେ କୌଣସି ଭୁଲ ହୋଇନି ।''

ଆହୁରି ପଢ଼ନ୍ତୁ; ପ୍ରଧାନମନ୍ତ୍ରୀଙ୍କ ବଡିଗାର୍ଡ କ’ଣ ପାଇଁ ପିନ୍ଧନ୍ତି କଳା ଚଷମା ? ଜାଣନ୍ତୁ ଏହାର ରହସ୍ୟ