ୱାଶିଂଟନ: ସମଗ୍ର ବିଶ୍ୱରେ ମୃତ୍ୟୁର ଦୂତ ଭାବେ ଉଭା ହୋଇଥିବା ମହାମାରୀ କୋରୋନାର ମୁକାବିଲା ପାଇଁ ଜାରି ରହିଛି ପ୍ରୟାସ | ଏଥିପାଇଁ ଭ୍ୟାକସିନ ଉଦ୍ଭାବନ କରିବା ଠାରୁ ଆରମ୍ଭ ଉନ୍ନତ ଚିକିତ୍ସା ପ୍ରଣାଳୀ ଉପରେ ଗବେଷଣା ଜାରି ରହିଛି | ଏପରିକି ଜାତିସଂଘ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଠାରୁ ଆରମ୍ଭ କରି ସମସ୍ତ ପ୍ରଭାବିତ ଦେଶ କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଲାଗି ପଡିଛନ୍ତି |
ହେଲେ ଏବେ କୋରୋନା ପାଇଁ ଆବଶ୍ୟକ ଥିବା ଭ୍ୟାକସିନ ବାହାର କରିବା ବଦଳରେ ହାଇପରସୋନିକ ମିସାଇଲ ବିକଶିତ କରୁଛି ଆମେରିକା | ପାରମ୍ପରିକ ପ୍ରତିଦ୍ୱନ୍ଦୀ ଋଷ ଏବଂ ଚୀନକୁ ମାତ ଦେବାକୁ ଏଭଳି କ୍ଷେପଣାସ୍ତ୍ର ନିର୍ମାଣ କରୁଛି ୟୁଏସ | ଶୁକ୍ରବାର ଓଭାଲସ୍ଥିତ କାର୍ଯ୍ୟାଳୟରେ ନବଗଠିତ ଆମେରିକୀୟ ସ୍ପେଶ ଫୋର୍ସ ଲଞ୍ଚ କରିବା ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କହିଥିଲେ ଯେ, ବର୍ତ୍ତମାନ ସମୟରେ ଅବିଶ୍ୱସନୀୟ କ୍ଷେପଣାସ୍ତ୍ର ନିର୍ମାଣ କରାଯାଉଛି | ଯେଉଁଥିରେ ଏକ ମିସାଇଲ ରହିଛି ଯାହା ବର୍ତ୍ତମାନ ସମୟର କ୍ଷେପଣାସ୍ତ୍ର ଠାରୁ ୧୭ ଗୁଣା କ୍ଷିପ୍ର | ଏହାର ନାଁ ରହିଛି 'ସୁପର ଡୁପର ମିସାଇଲ' |
ଏହା ଉପରେ ପ୍ରତିକ୍ରିୟା ରଖି ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଦାବି କରିଛନ୍ତି ଯେ, ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ବର୍ତ୍ତମାନ ଯେଉଁ ସାମରିକ ଜ୍ଞାନକୌଶଳ ଉପରେ କାମ କରୁଛି, ଏହା ପୂର୍ବରୁ ଋଷ ଏକ ହାଇପର ସୋନିକ ନ୍ୟୁକ୍ଲିୟାର କ୍ଷେପଣାସ୍ତ୍ରକୁ ବିକଶିତ କରି ସାରିଛି | ଏନେଇ ଋଷିଆ ମିଡିଆ ପକ୍ଷରୁ କୁହାଯାଇଛି ଅବନଗାର୍ଡ ମିସାଇଲ ଧ୍ୱନିର ଗତି ଠାରୁ ୨୦ ଗୁଣ ବେଗରେ ଗତି କରୁଛି | ଯାହା କୌଣସି ଉଲକାପିଣ୍ଡ କିମ୍ବା ଫାୟାରବଲ ଭଳି | ଗତ ଶୁକ୍ରବାର ପେଣ୍ଟାଗନ ପ୍ରବକ୍ତା ଜୋନାଥନ ରଥ ହାଫମେନ କହିଥିଲେ ଆମେରିକୀୟ ପ୍ରତିରକ୍ଷା ବିଭାଗ ଆମର ବିରୋଧିଙ୍କ ସହ ମୁକାବିଲା କରିବା ପାଇଁ ହାଇପରସୋନିକ ମିସାଇଲର ଏକ ଶୃଙ୍ଖଳା ବିକଶିତ କରୁଛି | ଗତବର୍ଷ ଡିସେମ୍ବରରେ ଋଷୀୟ ସୈନ୍ୟ ମୁଖ୍ୟଙ୍କୁ ଜଣାଇଥିଲେ ଯେ କୌଣସି ଦେଶ ପାଖରେ ହାଇପରସୋନିକ ହତିଆର ନାହିଁ |
ସ୍ପେଶ ଫୋର୍ସ ଗଠନ କରିବା ନେଇ ଗତ ଡିସେମ୍ବରରେ ସହମତି ପ୍ରଦାନ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ | ଯେଉଁଥିରେ କୁହାଯାଇଥିଲା ଯେ, ଆମେରିକାକୁ ମହାକାଶରେ ନିଜର ସୈନ୍ୟ ଉପସ୍ଥିତି ବୃଦ୍ଧି କରିବା ଦରକାର | ଅନ୍ତରୀକ୍ଷରେ ଋଷ ଏବଂ ଚୀନ ପକ୍ଷରୁ ଆସୁଥିବା ବିପଦର ସାମ୍ନା କରିବାକୁ ସ୍ପୋଶ ଫୋର୍ସ ଗଠନ କରିବାକୁ ଯୋଜନା କରିଥିଲେ ଆମେରିକା | ଯେଉଁଥିରେ ପ୍ରାୟ ୧୬ ହଜାର କର୍ମଚାରୀ କାମ କରୁଛନ୍ତି |