ଆରମ୍ଭ ହେଲା ଅଡ-ଇଭେନ ଫର୍ମୁଲା, ଆଜି ଅଯୁଗ୍ମ ଗାଡିକୁ ରାଜଧାନୀ ମନା
Advertisement

ଆରମ୍ଭ ହେଲା ଅଡ-ଇଭେନ ଫର୍ମୁଲା, ଆଜି ଅଯୁଗ୍ମ ଗାଡିକୁ ରାଜଧାନୀ ମନା

ଆଜିଠୁ ଆସନ୍ତା ୧୫ ତାରିଖ ଯାଏଁ ଦିଲ୍ଲୀରେ ଅଧା ଗାଡି ଗଡିବ, ଆଉ ଅଧା ବସିରହିବ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସାଙ୍ଘାତିକ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ମୁକ୍ତି ଦେବା ପାଇଁ ଆରମ୍ଭ ହେଲା ଅଡ-ଇଭେନ ଫର୍ମୁଲା । ଆଜିଠୁ ଆସନ୍ତା ୧୫ ତାରିଖ ଯାଏଁ ଦିଲ୍ଲୀରେ ଅଧା ଗାଡି ଗଡିବ, ଆଉ ଅଧା ବସିରହିବ । ପ୍ରଥମ ଦିନରେ ଅଯୁଗ୍ମ ଗାଡି ଅର୍ଥାତ ଯେଉଁ ୪ ଚକିଆ ଯାନବାହରର ଗାଡି ନମ୍ବର ଅଯୁଗ୍ମ, ତାହା ଦିଲ୍ଲୀ ରାସ୍ତାରେ ଗଡିପାରିବ ନାହିଁ । ନିୟମ ଅମାନ୍ୟ କଲେ ୪ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ ।ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀକାଳୀନ ସେବା ପାଇଁ ନିୟମକୁ କୋହଳ କରାଯାଇଛି । 

ଆଜି ସକାଳ ୮ଟାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଫର୍ମୁଲା । ଆସନ୍ତା ୧୫ ତାରିଖ ଯାଏ ପ୍ରତ୍ୟେକ ଦିନ ସକଳା ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ । ଅନ୍ୟ ରାଜ୍ୟରୁ ଦିଲ୍ଲୀ ଆସୁଥିବା ଯାନବାହନ ଉପରେ ମଧ୍ୟ ଏହା ନିୟମ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରାଯାଇଛି । ତେବେ ଆସନ୍ତା ୧୦ ତାରିଖ ରବିବାର ଦିନ ନିୟମକୁ କୋହଳ କରାଯାଇଛି । ନିଜ ପିଲା ଛୁଆଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏହି ନିୟମ ମାନିବାକୁ ଜନତାଙ୍କୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । 

fallback

କ'ଣ ଏହି ଅଡ ଇଭେନ ଫର୍ମୁଲା ?

ତୃତୀୟ ଥର ପାଇଁ ଦିଲ୍ଲୀରେ ଆରମ୍ଭ ହୋଇଛି ଅଡ-ଇଭେନ ଫର୍ମୁଲା । ଦିଲ୍ଲୀ ପ୍ରଦୂଷଣ ରୋକିବା ପାଇଁ ୨୦୧୬ ମସିହାରେ ଏହାକୁ ଦୁଇଥର ଲାଗୁ କରିଥିଲେ ଦିଲ୍ଲୀ ସରକାର । ଏହି ଫର୍ମୁଲା ଅନୁସାରେ ଗୋଟିଏ ଦିନ ଯୁଗ୍ମ ନମ୍ବରର ଗାଡି ଏବଂ ଆଉ ଗୋଟିଏ ଦିନ ଅଯୁଗ୍ମ ନମ୍ବରର ଗାଡି ହିଁ ରାସ୍ତାରେ ଯିବାକୁ ଅନୁମତି ମିଳେ । ନିୟମ ଅମାନ୍ୟ କଲେ ତଣ୍ଡ ଗଣିବାକୁ ପଡେ । 

କେଉଁ ଦିନ କେଉଁ ନମ୍ବରର ଗାଡି ଚଳାଇପାରିବେ ?

ଅତି ସରଳ ଭାବରେ କହିଲେ ଆସନ୍ତା ୪ରୁ ୧୫ ତାରିଖ ଯାଏ ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବରର ଗାଡି ଏବଂ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବରର ଗାଡି ଦିଲ୍ଲୀରେ ଚାଲିପାରିବ । ଅର୍ଥାତ ନଭେମ୍ବର ୪, ୬, ୮, ୧୨ ଓ ୧୪ ତାରିଖରେ ଯୁଗ୍ମ ନମ୍ବରର ଗାଡି ଏବଂ ନଭେମ୍ବର ୫, ୭, ୯, ୧୧, ୧୩ ଓ ୧୫ ତାରିଖରେ ଅଯୁଗ୍ମ ନମ୍ବର ଯୁକ୍ତ ଗାଡି ହିଁ ଗଡିବ । ଆସନ୍ତା ୧୦ ତାରିଖ ରବିବାର ଦିନ ଏହି ନିୟମ ଲାଗୁ ହେବ ନାହିଁ । ଅର୍ଥାତ ରବିବାର ଯୁଗ୍ମ ତାରିଖରେ ମଧ୍ୟ ଅଯୁଗ୍ମ ନମ୍ବରର ଗାଡି ଆପଣ ବ୍ୟବହାର କରିପାରିବେ ।  

କେଉଁମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ ?

(୧) ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନ ବିଚାରପତି, ଲୋକସଭା ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ରାଜ୍ୟସଭା ଏବଂ ଲୋକସଭାର ବିରୋଧୀ ଦଳ ନେତା, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ଗାଡି
(୨) ସୁପ୍ରିମକୋର୍ଟର ବିଚାରପତି, ୟୁପିଏସସି ଅଧ୍ୟକ୍ଷ, ମୁଖ୍ୟ ନିର୍ବାଚନ ଅଧିକାରୀ, ନିର୍ବାଚନ ଅଧିକାରୀ, ସିଏଜି, ରାଜ୍ୟସଭା ଉପବାଚସ୍ପତି, ଲୋକସଭା ଉପବାଚସ୍ପତି, ଦିଲ୍ଲୀ ଉପରାଜ୍ୟପାଳ, ଦିଲ୍ଲୀ ହାଇକୋର୍ଟର ବିଚାରପତି, ଲୋକାୟୁକ୍ତ
(୩) ଜରୁରୀକାଳୀନ ସେବା ଯାନବାହନ
(୪) ଦୁଇ ଚକିଆ ଯାନ 
(୫) ଏକୁଟିଆ ମହିଳା ଚଳାଇ ଯାଉଥିବା ଗାଡି (୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲା ବସିଥିଲେ ଚଳିବ)
(୬) ସ୍କୁଲ ପିଲା ବସିଥିବା ଗାଡି
(୭) ସୁରକ୍ଷା, ଅର୍ଦ୍ଧ ସାମରିକ ଏବଂ ଦୂତବାସ ଗାଡି
(୮) ମହିଳା ଚଳାଉଥିବା କିମ୍ବା ଗାଡିରେ କେବଳ ମହିଳା ଏବଂ ଦିବ୍ୟାଙ୍ଗଙ୍କୁ ନେଇ ଯାଉଥିବା ଗାଡି