)
ନୂଆଦିଲ୍ଲୀ: ଅନଲକ୍ ୧.୦ ଆରମ୍ଭ ହେବା ପରେ ଦେଶ ଧୀରେଧୀରେ ସ୍ୱଭାବିକ ହେବାରେ ଲାଗିଛି। ତେବେ ସମାନ୍ତରାଳ ଭାବେ ତୈଳଦର ମଧ୍ୟ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ଲଗାତାର ଷଷ୍ଠ ଦିନ ପାଇଁ ମଧ୍ୟ ତୈଳଦରରେ ବୃଦ୍ଧି ଘଟିଛି। ଷଷ୍ଠ ଦିନରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ପାଇବା ବିଭିନ୍ନ ପ୍ରମୁଖ ସହର ଗୁଡ଼ିକରେ ମଧ୍ୟ ତୈଳଦର ବୃଦ୍ଧି ପାଇଛି।
ତୈଳ ଦର ବୃଦ୍ଧି ଘଟିବା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪.୫୭ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୭୨.୮୧ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ସେହିପରି ଅନ୍ୟ ସହର ଗୁଡ଼ିକ ମଧ୍ୟରେ କୋଲକାତାରେ ଲିଟର ପିଛା ୭୬.୪୮ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଦର ୬୮.୭୦ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୧.୫୩ ଓ ଡିଜେଲ ଦର ୭୧.୪୮ ଟଙ୍କା ରହିଛି। ଚେନ୍ନାଇରେ ମଧ୍ୟ ତୈଳଦରରେ ବୃଦ୍ଧି ଘଟି ପେଟ୍ରୋଲ ଲିଟର ପିଛା ୭୮.୪୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଦର ୭୧.୧୪ ଟଙ୍କା ରହିଛି।
ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ତୈଳଦର ପରିବର୍ତ୍ତନ ଉପରେ ସରକାର ପୁନର୍ବାର ଦୈନିକ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। କିଛି ତୈଳ କମ୍ପାନୀ ନିୟମିତ ବ୍ୟବଧାନରେ ବିମାନ ଇନ୍ଧନର ଦର ବୃଦ୍ଧି କରିଥିଲା। ମାତ୍ର ମାର୍ଚ୍ଚ ୧୬ ତାରିଖ ପରଠାରୁ ହିଁ ଦେଶରେ ତୈଳଦରରେ କୌଣସି ପରିବର୍ତ୍ତନ ହୋଇନଥିବା ସେ ସୂଚନା ଦେଇଥିଲେ। ତେବେ ପୂର୍ବରୁ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲଗାଇବା ପରେ ଏହି ତୈଳଦର ପରିବର୍ତ୍ତନ ଉପରେ ରୋକ ଲଗାଇଦେଇଥିଲେ।
୬ ମାସ ପରେ ସରକାର ପୁଣି ଥରେ ଏହି ଦୈନିକ ତୈଳଦର ପରିବର୍ତ୍ତନ ଉପରେ ଧ୍ୟାନ ଦେଇଛନ୍ତି। ପ୍ରତିଦିନ ଏହି ତୈଳଦରରେ ପରିବର୍ତ୍ତନ କରାଯାଉଛି। ଲଗାତାର ଷଷ୍ଠ ଦିନ ପାଇଁ ଏହି ତୈଳଦରରେ ବୃଦ୍ଧି କରିଛନ୍ତି ସରକାର। ଗତ ମେ ମାସ ୬ ତାରିଖରେ ସରକାର ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା ଉତ୍ପାଦ ଶୁଳ୍କ ଲଗାଇଥିଲେ ସରକାର।