close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଘରେ ବସି ଭୋଟ ଦେଇପାରିବେ ବୟସ୍କ ଓ ଦିବ୍ୟାଙ୍ଗ

ଏଥର ଭୋଟ ଦେବା ପାଇଁ ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ମତଦାନ କେନ୍ଦ୍ର ଯିବାକୁ ପଡିବନି । ଘରେ ବସି ଏମାନେ ଭୋଟ ଦେଇପାରିବେ ।

 ଘରେ ବସି ଭୋଟ ଦେଇପାରିବେ ବୟସ୍କ ଓ ଦିବ୍ୟାଙ୍ଗ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଏଥର ଭୋଟ ଦେବା ପାଇଁ ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ମତଦାନ କେନ୍ଦ୍ର ଯିବାକୁ ପଡିବନି । ଘରେ ବସି ଏମାନେ ଭୋଟ ଦେଇପାରିବେ ।  କାହିଁକିନା କେନ୍ଦ୍ର ସରକାର ପ୍ରଚଳିତ ଆଇନରେ ପରିବର୍ତ୍ତନ ଆଣିଛନ୍ତି ।୮୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ଏବଂ ଦିବ୍ୟାଙ୍ଗ ପୋଷ୍ଟାଲ ବ୍ୟାଲେଟ ମାଧ୍ୟମରେ ଭୋଟ ଦେବା ନେଇ ବ୍ୟବସ୍ଥା ହୋଇଛି । 

ଏହି ଶ୍ରେଣୀର ବ୍ୟକ୍ତି ବିଶେଷ ମତଦାନ କେନ୍ଦ୍ର ଯାଇ ମଧ୍ୟ ଭୋଟ ଦେଇପାରିବେ । ପୋଷ୍ଟାଲ ବ୍ୟାଲେଟ ଏକ ବିକଳ୍ପ ଭାବରେ ହିଁ ରହିବ । ଅର୍ଥାତ ଯଦି କେହି ବୟସ କିମ୍ବା ଭିନ୍ନକ୍ଷମ କାରଣରୁ ମତଦାନ କେନ୍ଦ୍ର ଯିବାରୁ ଅସମର୍ଥ ହେଉଛନ୍ତି, ସିଏ ପୋଷ୍ଟାଲ ବ୍ୟାଲେଟ ମାଧ୍ୟମରେ ଭୋଟ ଦେଇପାରିବେ । ଉଭୟ ବିକଳ୍ପ ମଧ୍ୟରୁ ସିଏ ଗୋଟିଏ ବାଛିପାରିବେ । 

ଏନେଇ ପୂର୍ବରୁ ନିର୍ବାଚନ ଆୟୋଗ ସୁପାରିଶ କରିଥିଲେ । ଏବେ କେନ୍ଦ୍ରୀୟ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ନିର୍ବାଚନ ନିୟମ-୧୯୬୧ର ସଂଶୋଧନ କରିଛନ୍ତି । ଏହି ସଂଶୋଧନ ଅନୁସାରେ ଦିବ୍ୟାଙ୍ଗ ଏବଂ ବୟସ୍କ ମତଦାତାଙ୍କୁ ଆବସେଣ୍ଟ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଆବସେଣ୍ଟ ଭୋଟରର ଅର୍ଥ ଯେଉଁ ମତଦାତା ମତଦାନ କେନ୍ଦ୍ର ଯିବାକୁ ଅସମର୍ଥ । 

ସଂଶୋଧନ ନିୟମ ଅନୁସାରେ, ଏହି ଶ୍ରେଣୀର ବ୍ୟକ୍ତି ବିଶେଷ ୧୨D ଫର୍ମରେ ଆବେଦନ କରିପାରିବେ । ଏହା ନିର୍ବାଚନ ବିଜ୍ଞପ୍ତିର ୫ ଦିନ ଭିତରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପହଞ୍ଚିବା ଦରକାର । ଏହି ଆବେଦନ ପତ୍ର ଗ୍ରହଣ ହେବା ପରେ ସମ୍ପୃକ୍ତ ଭୋଟରଙ୍କ ପାଇଁ ଏକ ପୋଷ୍ଟାଲ ବ୍ୟାଲେଟ ପେପର ଜାରି ହେବ । ବୟସ୍କ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ ବୋଲି କହିଛନ୍ତି ନିର୍ବାଚନ ଆୟୋଗ । 

ଏନେଇ ବିଭାଗୀୟ ଅଧିକାରୀଙ୍କ କହିବା କଥା ହେଲା, ବିଭିନ୍ନ ସମୟରେ ବୟସ୍କ ଏବଂ ଦିବ୍ୟାଙ୍ଗ ଭୋଟର ମତଦାନ କେନ୍ଦ୍ରକୁ ଯିବାରେ ଅସମର୍ଥ ହୋଇଥାନ୍ତି । ଭୋଟ ଦେବାକୁ ଇଚ୍ଛା ଥିଲେ ମଧ୍ୟ ଯାଇପାରନ୍ତି ନାହିଁ । ଫଳରେ ମତଦାନ ହାର କମିଥାଏ । ଯେଉଁଥିପାଇଁ ଏପରି ନିୟମର ବ୍ୟବସ୍ଥା ହୋଇଛି । ଉଭୟ ବୟସ୍କ ଏବଂ ଦିବ୍ୟାଙ୍ଗ ଶ୍ରେଣୀର ଭୋଟର ଏହା ଦ୍ୱାରା ଉପକୃତ ହେବେ ।