ସାପ୍ତାହିକ ହାଟକୁ ଯାଇ ଆଉ ଘରକୁ ଫେରି ନ ଥିଲେ ବୃଦ୍ଧ ଦମ୍ପତି

ବହୁ ଖୋଜା ଖୋଜି ପରେ ମଧ୍ୟ ମିଳି ନ ଥିଲା ମୃତ ଦେହ

ସାପ୍ତାହିକ ହାଟକୁ ଯାଇ ଆଉ ଘରକୁ ଫେରି ନ ଥିଲେ ବୃଦ୍ଧ ଦମ୍ପତି
ସାପ୍ତାହିକ ହାଟକୁ ଯାଇ ଆଉ ଘରକୁ ଫେରି ନ ଥିଲେ ବୃଦ୍ଧ ଦମ୍ପତି

କେନ୍ଦୁଝର: ମାଟିତଳେ ପୋତା ଯାଇଥିଲା ମୃତଦେହ । ଗୋଟିଏ ନୁହେଁ, ଦୁଇଟି । ବୃଦ୍ଧ ଦମ୍ପତିଙ୍କ ମୃତଦେହ । ମୃତଦେହ ପୋତା ଯାଇଥିବା ଖବର ପାଇ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଦେଖା ଦେଇଥିଲା ଚାଞ୍ଚଲ୍ୟ । ସାପ୍ତାହିକ ହାଟକୁ ଯାଇ ଆଉ ଘରକୁ ଫେରି ନ ଥିଲେ ବୃଦ୍ଧ ଦମ୍ପତି । ତେବେ ଏହି ଡବଲ ମର୍ଡର ଘଟଣାରେ ପୋଲିସ ରହସ୍ୟ ଉପରୁ ପରଦା ହଟାଇବାରେ ସକ୍ଷମ ହେଲା କି ? କ'ଣ ଥିଲା ଡବଲ ମର୍ଡର ଘଟଣାର ମୋଟିଭ୍ ?

୮ ନଭେମ୍ବର ୨୦୧୯ରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ସ୍ଥାନୀୟ ଖେଣ୍ଡରା ପଞ୍ଚାୟତ ପାଟବିଲା ଗ୍ରାମରେ ଘଟିଥିଲା ଅଭାବନୀୟ ଘଟଣା । ଗ୍ରାମର ବୃଦ୍ଧ ଦମ୍ପତି ଦେବ ମହାକୁଡ଼ ଓ ମାଳତୀ ମହାକୁଡ଼ ନିଖୋଜ ଥିଲେ।  ହାଟକୁ ଯାଇ ଆଉ ସେମାନେ ଫେରି ନ ଥିଲେ । ପୁଅ କାର୍ତ୍ତିକ ବହୁ  ଖୋଜାଖୋଜି କରିବା ପରେ ମଧ୍ୟ ନ ମିଳିବାରୁ ଝୁମ୍ପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ତା'ର କିଛିଦିନ ପରେ ତା'ଙ୍କୁ ଅପେକ୍ଷା କରିଥିଲା ସେହି ଦୁଃଖଦ ଖବର । ୧୩  ନଭେମ୍ବର ୨୦୧୯ । ସେଦିନ ସନ୍ଧ୍ୟାବେଳେ କାଶିପାଳ ଗ୍ରାମ୍ୟ ଜଙ୍ଗଲରେ ଏକ ସ୍ଥାନରେ ଦୁର୍ଗନ୍ଧ ହେଉଥିବା ଦେଖିଥିଲେ ଗାଈଆଳ ପିଲାମାନେ । କାଶିପାଳ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ପ୍ଲାଣ୍ଟେସନ ପାଇଁ ଖୋଳା ଯାଇଥିବା ୨ଟି ଟ୍ରେଞ୍ଚରୁ ଆସୁଥିଲା ସେହି ଦୁର୍ଗନ୍ଧ । କେହିଜଣେ ଉତ୍ସୁକତାବଶତଃ ମାଟି ଉଖାରି ଦେଖିବାରୁ ଜଣାପଡ଼ିଥିଲା ସେଠାରେ ପୋତା ଯାଇଥିଲା ୨ଟି ମୃତଦେହ । ଗାତ କମ୍ ଥିବାରୁ ଦୁର୍ଗନ୍ଧ ବାହାରକୁ ଆସୁଥିଲା । ଏହାପରେ ସେ ଅଞ୍ଚଳରେ ଖେଳିଯାଇଥିଲା କୋକୁଆ ଭୟ । ଘଟଣା ସମ୍ପର୍କରେ ଖବର ପାଇ ନିଖୋଜ ଦମ୍ପତିଙ୍କ ପୁଅ କାର୍ତ୍ତିକ ତୁରନ୍ତ ସେ ଅଞ୍ଚଳକୁ ଯାଇ ଦେଖିଥିଲେ । ଘଟଣାସ୍ଥଳରେ ବାପାମା'ଙ୍କ ଚପଲ ପଡ଼ିଥିବା ଦେଖି ତୁରନ୍ତ ଝୁମ୍ପୁରା ପୋଲିସକୁ ଖବର ଦେଇଥିଲେ । ଆଉ ଝୁମ୍ପୁରା ପୋଲିସ, ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମ୍ ସହ ଆସି ଆରମ୍ଭ କରିଥିଲା ତଦନ୍ତ । ତେବେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ନା କିଛି ସୂଚନା ମିଳିଲା, ନା ହତ୍ୟାକାରୀ ସମ୍ପର୍କରେ ମିଳିଲା କିଛି ପ୍ରମାଣ ।

୧୪ ନଭେମ୍ବର ୨୦୧୯ ତାରିଖରେ ଝୁମ୍ପୁରା ଥାନାରେ କେସ୍ ନମ୍ବର ୧୧୩/୧୯ରେ ରୁଜୁ ହେଲା ଏକ ହତ୍ୟା ମାମଲା । ସେଦିନ ପୂର୍ବାହ୍ନରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚିଲେ ଚମ୍ପୁଆ ଏସଡିପିଓ ହରିହର ପାଣି ଏବଂ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଝୁମ୍ପୁରା ତହସିଲଦାର କନକ ନାୟକ । ଆରମ୍ଭ ହେଲା ମାଟି ତଳେ ପୋତା ଯାଇଥିବା ଶବଉଦ୍ଧାର କାମ । ଶବଉଦ୍ଧାର ହେବା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଗଲା । 

ହେଲେ କାହିଁକି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଗଲା ଓ କିଏ ଏହି ହତ୍ୟାକାଣ୍ଡର ନେପଥ୍ୟ ନାୟକ ସେ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ପୋଲିସକୁ ମିଳିଗଲା ଏକ ସୁରାକ୍ । ଆଉ ସେହି ତଥ୍ୟ ଆଧାରରେ ପୋଲିସର ତଦନ୍ତ ଆଗକୁ ବଢ଼ିଲା । ମୃତ ଦମ୍ପତିଙ୍କ ପରିବାର ସହ ଥିଲା ଗ୍ରାମର ଦାରାସିଂ ମୁଣ୍ଡା ପରିବାରର ଶତ୍ରୁତା । ବାଡ଼ିରେ ଥିବା ଗଛକଟାକୁ ନେଇ ଆରମ୍ଭ ହୋଇଥିଲା ଏହି ଶତ୍ରୁତା । ତେବେ ଏହା ଯେ ଦୁଇ ଦୁଇଟି ମର୍ଡରର କାରଣ ପାଲଟିଯିବ ତାହା କେହି କଳ୍ପନା କରି ନ ଥିଲେ । ଝଗଡ଼ା ପରଠାରୁ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଦାରାସିଂ ମୁଣ୍ଡା । ଆଉ ଘଟଣାଦିନ ଦୁହେଁ ଏକୁଟିଆ ଫେରୁଥିବା ଦେଖି ନିଛାଟିଆ ସ୍ଥାନରେ ନିଜ ସହଯୋଗୀ ଦେବେନ୍ଦ୍ର ମୁଣ୍ଡା ସହ ଦେବ ଓ ମାଳତୀଙ୍କ ତଣ୍ଟିଚିପି ହତ୍ୟା କରିଥିଲା । ଏହାପରେ ଦେବେନ୍ଦ୍ର ମୁଣ୍ଡା ସହାୟତାରେ କାଶିପାଳ ଜଙ୍ଗଲରେ ମୃତଦେହଗୁଡ଼ିକୁ ପୋତି ଦେଇଥିଲା । ଦୁଇ ସନ୍ଦିଗ୍ଧ ନିଜ ନିଜ ଅପରାଧ ସ୍ୱୀକାର କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବାରୁ ଏବେ ସେମାନେ ଜେଲର ଅନ୍ଧାରୀ ସେଲରେ କାଳ କାଟୁଛନ୍ତି ।