ବୟସ ୭୦ ଉପରେ ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ବାର୍ଦ୍ଧକ୍ୟ ଭତ୍ତାକୁ ଅନାଇ ବସିଛନ୍ତି ବୃଦ୍ଧା

ବୟସ ୭୦ ଉପରେ ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହିମାଂଶୁ ଶେଖର ସାମଲ, ଢେଙ୍କାନାଳ: ସରକାର ୬୦ ବର୍ଷରୁ ଅଧିକ ବର୍ଷର ଗରିବ ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବ୍ୟବସ୍ଥା କରିଛନ୍ତି । ସରକାରଙ୍କ ତରଫରୁ ୬୦ ରୁ ୭୯ ବର୍ଷ ବୃଦ୍ଧବୃଦ୍ଧାଙ୍କୁ ୩ ଶହ ଟଙ୍କା ଓ ୮୦ରୁ ଅଧିକ ବର୍ଷ ବୃଦ୍ଧବୃଦ୍ଧାଙ୍କ ପାଇଁ ୫ ଶହ ଟଙ୍କା ଭତ୍ତା ପ୍ରଦାନ ବ୍ୟବସ୍ଥା ରହିଛି । ହେଲେ ଏସବୁ ନିୟମ ପରେ ବି କାମାକ୍ଷାନଗର ବ୍ଲକ ଖଟୁଆହାତା ଗାଁରେ ବ୍ୟତିକ୍ରମ ଦେଖାଦେଇଛି । ଗାଁର ଅନେକ ବୃଦ୍ଧବୃଦ୍ଧା ଯୋଜନାରୁ ବଞ୍ଚିତ ହେଉଛନ୍ତି । ସମସ୍ତଙ୍କ ବୟସ ପ୍ରାୟ ୭୦ ଉପରେ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ସରପଞ୍ଚ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଛି । ବାରମ୍ବାର ଭତ୍ତା ମିଳିବା ପାଇଁ ଆବେଦନ କରି ମଧ୍ୟ ମିଳୁନି ଭତ୍ତା ।

ସରକାରଙ୍କ ନିୟମ ଅନୁସାରେ ୬୦ ବର୍ଷ ହେଲେ ଗରିବ ବୃଦ୍ଧ ବୃଦ୍ଧାଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା । କିନ୍ତୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଖଟୁଆହାତା ଗାଁରେ ଏହାର ବ୍ୟତିକ୍ରମ ଦେଖାଦେଇଛି ।  ଗାଁର ବୃଦ୍ଧ ସନାତନ ବିଶ୍ୱାଳ ଓ ତାଙ୍କ ପତ୍ନୀ  ମଞ୍ଜୁଲତା ବିଶ୍ୱାଳଙ୍କ ବୟସ ୭୦ ଟପିଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ମିଳିନି । ଫଳରେ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ବୃଦ୍ଧ ଦମ୍ପତି । ସେହିପରି ଗାଁର ଆଉ ଜଣେ ବୃଦ୍ଧା ହେଲେ ଶୁକ ମହାଳିକ । ଭଙ୍ଗା ଦଦରା ଚାଳ ଛପର ଘରେ  କାଟୁଛନ୍ତି ଦିନ । ବାରମ୍ୱାର ଭତ୍ତା ପାଇଁ ଆବେଦନ କରି ମଧ୍ୟ ତାଙ୍କୁ ମିଳୁନି ଭତ୍ତା ।

ସେପଟେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭତ୍ତା ପାଇଁ ଆବେଦନ କରିଥିବା ବୃଦ୍ଧ ବୃଦ୍ଧାଙ୍କ କାଗଜ ଯାଞ୍ଚ କରି ବିଡିଓଙ୍କ ନିକଟକୁ ପଠାଇଛନ୍ତି । ବ୍ଲକ କାର୍ଯ୍ୟାଳୟରୁ ଚିଠି ଆସିଲେ ଏହି ତିନି ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଯୋଗାଯିବ ବୋଲି ସେ କହିଛନ୍ତି  । କେବେ ଖଟୁଆହାତା ଗାଁର ବୃଦ୍ଧା ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ତାହାକୁ ହିଁ ଅପେକ୍ଷା ।