ରାଜନୀତିର ଧାର୍ମିକ ରଙ୍ଗ

ଜମ୍ମୁ କାଶ୍ମୀରରୁ ଗିରଫ ହୋଇଥିବା ଡିଏସପିଙ୍କୁ ନେଇ ସରଗରମ ରାଜନୀତି ।

ରାଜନୀତିର ଧାର୍ମିକ ରଙ୍ଗ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଗିରଫ ହୋଇଥିବା ଡିଏସପିଙ୍କୁ ନେଇ ସରଗରମ ରାଜନୀତି । ଗିରଫ ଡିଏସପି ଦେବେନ୍ଦର ସିଂହଙ୍କ ନାମ ଉପରେ ଧାର୍ମିକ ରଙ୍ଗ ଲଗାଇଛନ୍ତି  କଂଗ୍ରେସ ନେତା ଅଧୀର ରଂଜନ ଚୈଧୁରୀ ।   ଡିଏସପିଙ୍କ ନାମ ଦେବେନ୍ଦର  ଖାନ ହୋଇଥିଲେ ମାମଲାର ରଙ୍ଗ ଭିନ୍ନ ହୋଇଥାଆନ୍ତା, ଆରଏସଏସ ଓ ବିଜେପି ଏହାକୁ ନେଇ ହଙ୍ଗାମା କରି ଥାଆନ୍ତେ ବୋଲି ମଙ୍ଗଳବାର ଟ୍ୱିଟରରେ ଉଲ୍ଲେଖ କରିଥିଲେ ଅଧୀର ରଂଜନ । ଏହାସହିତ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ ଉପରେ ସେ ପ୍ରଶ୍ନ ଉଠାଇଥିଲେ । କଂଗ୍ରେସ ନେତାଙ୍କ ଏପରି ବୟାନ ପରେ ପାଲଟା ଜବାବ ରଖିଛି ବିଜେପି । କଂଗ୍ରେସ ଦେଶରେ ଧାର୍ମିକ ରାଜନୀତି କରିବା ସହ ହିନ୍ଦୁଙ୍କୁ ଆତଙ୍କବାଦୀ ଘୋଷଣା କରିବାକୁ ଚାହୁଁଛି ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଜବାବ ରଖିଛନ୍ତି ।  

ଗତ ୧୨ ତାରିଖରେ ଆତଙ୍କବାଦୀ ଲିଙ୍କରେ ଦକ୍ଷିଣ କାଶ୍ମୀରରୁ ଗିରଫ  ହୋଇଥିଲେ ଜମ୍ମୁ କାଶ୍ମୀର ଡିଏସପି ଦେବେନ୍ଦର ସିଂହ । ୨ ଜଣ ଜୈଶ ଆତଙ୍କବାଦୀଙ୍କୁ କାରରେ ବାହାରକୁ ନେବା ବେଳେ ଧରା ପଡ଼ିଥିଲେ ଡିଏସପି ।  ଆସନ୍ତା ଜାନୁଆରୀ ୨୬ରେ ଦିଲ୍ଲୀରେ ବିସ୍ଫୋଣ କରିବା ପାଇଁ ଆତଙ୍କବାଦୀ ଯୋଜନା ପ୍ରସ୍ତୁତ କରିଥିବାବେଳେ ତାଙ୍କୁ ଡିଏସପି ସହଯୋଗ କରୁଥିବା ଯାଞ୍ଚ ପରେ ଜଣା ପଡ଼ିଥିଲା । ସନ୍ଦେହଜନକ କାର୍ଯ୍ୟରେ ଲିପ୍ତ ଥିବାରୁ ଗତ ଏକ ବର୍ଷ ଧରି ଏନଆଇଏ ରାଡାରରେ ଥିଲେ ଡିଏସପି ସିଂହ । ମାମଲାର ତଦନ୍ତ ଜାରି ରହିଥିବା ବେଳେ କଂଗ୍ରେସ ଏହାକୁ ନେଇ ଧାର୍ମିକ ରାଜନୀତି କରି ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି ବୋଲି ବିଜେପି ନେତା ଅଭିଯୋଗ କରିଛନ୍ତି ।  ଆତଙ୍କବାଦୀ ଗିରଫକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏହା ପାକିସ୍ତାନର ଭାରତ ବିରୋଧୀ ଅଭିଯାନକୁ ଅମ୍ଳଜାନ ଯୋଗାଇଛି । ଯେକୌଣସି ଘଟଣାକୁ ଧାର୍ମିକ ରଙ୍ଗ ଦେଉଥିବା କଂଗ୍ରେସ ପାଇଁ ଡିଏସପି ଗିରଫ ଘଟଣା ଏବେ ମହଙ୍ଗା ପଡ଼ିଛି ।