ରତ୍ନ ଭଣ୍ଡାରରେ କେତେ ସରୁକ୍ଷିତ ରତ୍ନ?
Advertisement
Article Detail0/zeeodisha/odisha591037

ରତ୍ନ ଭଣ୍ଡାରରେ କେତେ ସରୁକ୍ଷିତ ରତ୍ନ?

ବିଜେଡିକୁ ଘାଇଲା କଲା ବିରୋଧୀ ବାଣ

ସୌଜନ୍ୟ: ସୋସିଆଲ ମିଡିଆ

ଜସ୍ମିନ ମହାନ୍ତ, ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ଥମିଯାଇଥିବା ବିବାଦ ଏବେ ପୁଣି ଗରମ ହେବାରେ ଲାଗିଛି । ପୁଣିଥରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜନୀତି । ରତ୍ନ ଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା ନାହିଁ ତାହାକୁ ନେଇ ସରକାରଙ୍କ ଉପରକୁ ପ୍ରଶ୍ନବାଣ କରିଛନ୍ତି ବିରୋଧୀ । କାହିଁକି ରତ୍ନଭଣ୍ଡାର ଖୋଲା ଯାଉନାହିଁ ତାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।  ବିରୋଧୀ ଦଳ ନେତାଙ୍କ ଏଭଳି ଚିଠି ପରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ଆଉ କହିଛନ୍ତି ଚିଠି ଏପର୍ଯ୍ୟନ୍ତ ସରକାରଙ୍କ ନିକଟରେ ପହଞ୍ଚିନାହିଁ, ପହଞ୍ଚିବା ପରେ ପଦକ୍ଷେପ ନିଆଯିବ । 

ସେପଟେ ଏହାକୁ ନେଇ ରାଜନୀତି କରାଯାଉଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ  । ରତ୍ନ ଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି କି ନାହିଁ ? କାହିଁକି ଖୋଲା ହେଉନି ରତ୍ନ ଭଣ୍ଡାର ? ସତରେ କଣ ରତ୍ନ ଭଣ୍ଡାରର ଚାବି ମିଳିଛି ? ନା ଏ ପର୍ଯ୍ୟନ୍ତ ଚାବି ମିଳିନାହିଁ ଆଉ ନାଟକ କରାଯାଉଛି ? ୨୦୧୮ରେ ରତ୍ନ ଭଣ୍ଡାର ଖୋଲିବା ନେଇ ହୋଇଥିବା ଉଦ୍ୟମ କାହିଁକି ବାତିଲ ହେଲା । ଏମିତି ଅନେକ ପ୍ରଶ୍ନ ଉଠାଇବା ସହ ରତ୍ନ ଭଣ୍ଡାରର ସୁନା ଗହଣା ଚୋରି ହୋଇଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା  ।

ତେଣୁ ତୁରନ୍ତ ଏହାର ଅଡିଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ତେବେ ଏନେଇ ବିରୋଧୀ ଦଳନେତାଙ୍କ ଚିଠି ଆସିଲା ପରେ, ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପ୍ରତାପ ଜେନା ଓ ଏହା ସହିତ କହିଛନ୍ତି ଘଟଣାକୁ ନେଇ ଜଷ୍ଚିସ ରଘୁବୀର ଦାସ ତଦନ୍ତ କରିଛନ୍ତି । ସେପଟେ ଏହାକୁ ନେଇ କଂଗ୍ରେସର ଅଭିଯୋଗ, ରତ୍ନ ଭଣ୍ଡାରରରୁ ସମସ୍ତ ରତ୍ନ ଉଭାନ କରି ଦିଆଯାଇଛି । ଏବେ  ଯେତିକି ରତ୍ନ ରହିଛି ତାହାକୁ ଖୋଲା ନ ଯାଉ । ତେବେ ବାହାରେ ଥିବା ସୁନା ଗହଣାର ଅଡିଟ କରିବାକୁ କଂଗ୍ରେସ ଦାବି କରିଛି । ବାସ୍ତବରେ ରତ୍ନ ଭଣ୍ଡାରରେ ସମସ୍ତ ରତ୍ନ ସୁରକ୍ଷିତ ଅଛି ନା ନାହିଁ ତାହାର ଉତ୍ତର କିଏ ଦେବ ? କେବେ ଖୋଲିବ ରତ୍ନ ଭଣ୍ଡାର ? କେବେ ରହସ୍ୟ ଉପରୁ ହଟିବ ପରଦା ?