'ଭାରତୀୟ ମୁସଲମାନଙ୍କ କଥା ଛାଡ଼, ନିଜ ଦେଶକୁ ସମ୍ଭାଳ'

ପାକ୍ ପିଏମଙ୍କ ଫେକ୍ ଭିଡ଼ିଓକୁ ନେଇ ଏପରି କହିଲେ ଓୱୈସୀ

'ଭାରତୀୟ ମୁସଲମାନଙ୍କ କଥା ଛାଡ଼, ନିଜ ଦେଶକୁ ସମ୍ଭାଳ'
ଫାଇଲ ଫଟୋ

ନୂଆଦିଲ୍ଲୀ: ମିଛୁଆ ପାକ୍ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓୱୈସୀ । ଭାରତ ବିରୋଧରେ ଅପପ୍ରଚାର ପାଇଁ ଇମରାନ୍ ଖାନ ଯେଉଁ ଫେକ୍ ଭିଡ଼ିଓ ପୋଷ୍ଟ କରିଥିଲେ, ତାକୁ ନେଇ ବର୍ଷିଛନ୍ତି ଓୱୈସୀ । ଭାରତୀୟ ମୁସଲମାନ ଜିନ୍ନାଙ୍କ ଦୁଇ ରାଷ୍ଟ୍ର ଥିଓରୀକୁ କେବେଠୁ ଆଗ୍ରାହ୍ୟ କରି ସାରିଥିବା କହିଛନ୍ତି ଏଆଇଏମଆଇଏମ ମୁଖ୍ୟ । ତେଣୁ ଭାରତର ମୁସଲମାନଙ୍କ କଥା ଚିନ୍ତା ନକରି ନିଜ ଦେଶ କଥା ଚିନ୍ତା କରିବାକୁ ସେ ଇମରାନକୁ ସଫାସଫା କହିଛନ୍ତି । 

ଶନିବାର ତେଲେଙ୍ଗାନାର ସାଙ୍ଗାରେଡ୍ଡୀରେ ଏକ ରାଲିକୁ ସମ୍ବୋଧନ କରି ଓୱୌସୀ କହିଛନ୍ତି, ''ମିଷ୍ଟର ଇମରାନ୍ ଖାନ, ଆପଣ ଭରତୀୟ ମୁସଲମାନଙ୍କ କଥା ଛାଡ଼ନ୍ତୁ । ନିଜ ଦେଶ କଥା ଚିନ୍ତା କରନ୍ତୁ । ଆମେ ଜିନ୍ନାଙ୍କ ଦୁଇ ରାଷ୍ଟ୍ର ଥିଓରୀକୁ କେବେଠୁ ଅଗ୍ରାହ୍ୟ କରିସାରିଛୁ । ଭାରତୀୟ ମୁସଲମାନ ଭାରତୀୟ ଭାବେ ନିଜକୁ ଗର୍ବ ଅନୁଭବ କରନ୍ତି । ପୃଥିବୀର କୌଣସି ଶକ୍ତି ଆମର ଭାରତୀୟତାକୁ ଛଡ଼ାଇ ନେଇପାରିବ ନାହିଁ । କୌଣସି ଶକ୍ତି ଆମ ଧାର୍ମିକ ପରିଚୟକୁ ମଧ୍ୟ ଆଘାତ ଦେଇପାରିବ ନାହିଁ । କାହିଁକିନା ଭାରତୀୟ ସମ୍ବିଧାନ ଆମକୁ ଏହି ଗ୍ୟାରେଣ୍ଟି ଦେଇଛି । ତେଣୁ ଆପଣ ଭାରତ କଥା ଛାଡ଼ି ନନକନା ସାହିବ ଗୁରୁଦ୍ୱାରରେ ହୋଇଥିବା ଆକ୍ରମଣ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।'' 

ପାକରେ ନନକନା ସାହିବ ଉପରେ ହୋଇଥିବା ଆକ୍ରମଣରୁ ବିଶ୍ୱବାସୀଙ୍କ ନଜର ହଟାଇବା ପାଇଁ ଭାରତ ବିରୋଧରେ ଏକ ଫେକ୍ ଭିଡ଼ିଓ ପୋଷ୍ଟ କରିଥିଲେ ପାକ୍ ପିଏମ ଇମରାନ ଖାନ । ଭାରତରେ ଯେ ମୁସଲମାନମାନଙ୍କୁ ପୋଲିସ ଅତ୍ୟାଚର କରୁଛି, ଏଭଳି କିଛି ମିଛ କାହାଣୀ ଦର୍ଶାଇବା ଥିଲା ଇମରାନଙ୍କ ଉଦ୍ଦେଶ୍ୟ । ତେବେ ପରେ ଜଣାପଡ଼ିଥିଲା, ଇମରାନ ପୋଷ୍ଟ କରିଥିବା ଭିଡ଼ିଓଟି ଭାରତର ନୁହେଁ, ବାଂଲାଦେଶର ଥିଲା । ଆଉ ଏକଥା ଜଣା ପଡ଼ିବା ପରେ ଇମରାନଙ୍କ ମିଛ ଧରା ପଡ଼ିଯାଇଥିଲା । ତୁରନ୍ତ ଭିଡ଼ିଓଟିକୁ ନିଜ ଆକାଉଣ୍ଟରୁ ହଟାଇ ଦେଇଥିଲେ ମିଛୁଆ ପାକ୍ ପିଏମ ।  

ଆହୁରି ପଢ଼ନ୍ତୁ; ମିଳିଲାନି କ୍ୟାବିନେଟ ପାହ୍ୟା, ଇସ୍ତଫା ଦେଲେ 'ମହା' ମନ୍ତ୍ରୀ