କୋଭିଡ19 ମୁକାବିଲା: ସିଏମ ଯୋଗୀଙ୍କ ପ୍ରଂଶସାରେ ପାକିସ୍ତାନୀ ମିଡିଆ
Advertisement

କୋଭିଡ19 ମୁକାବିଲା: ସିଏମ ଯୋଗୀଙ୍କ ପ୍ରଂଶସାରେ ପାକିସ୍ତାନୀ ମିଡିଆ

କୋରୋନା ମୁକବିଲା କରିବା ୟୁପି ସିଏମ ଯୋଗୀଙ୍କ ପଦକ୍ଷେପ ପ୍ରଂଶସା କରିଛି ପାକିସ୍ତାନ ମିଡିଆ |

କୋଭିଡ19 ମୁକାବିଲା: ସିଏମ ଯୋଗୀଙ୍କ ପ୍ରଂଶସାରେ ପାକିସ୍ତାନୀ ମିଡିଆ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶାସନ କ୍ଷମତା ହାତକୁ ନେବା ପରଠୁ ଚର୍ଚ୍ଚାରେ ରହି ଆସିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଏପରିକି ସରକାରଙ୍କ ମୁଖ୍ୟ ଭାବେ ଶପଥ ଗ୍ରହଣ କରିବା ସମୟରେ ଦେଶ ବିଦେଶରେ ଗଣାମାଧ୍ୟମର ଶିରୋନାମା ପାଲଟି ଯାଇଥିଲେ ସେ | ଏପରିକି ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନରେ ଚର୍ଚ୍ଚାର ପରିସରକୁ ଆସି ଯାଇଥିଲେ ୟୁପି ସିଏମ |  

ବର୍ତ୍ତମାନ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି ପାକିସ୍ତାନୀ ମିଡିଆରେ | କୋଭିଡ19 ମୁକାବିଲା କ୍ଷେତ୍ରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପଦକ୍ଷେପକୁ ପାକିସ୍ତାନର ଜଣାଶୁଣା ଖବର କାଗଜ 'ଦ ଡନ' ସମ୍ପାଦକ ଫହଦ ହୁସେନ ପ୍ରଶଂସା କରିଛନ୍ତି | ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ୟୁପିର ସରକାର ଏବଂ ପାକିସ୍ତାନର ଇମରାନ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ତୁଳନା କରି ସିଏମ ଯୋଗୀଙ୍କ ମଡେଲ ପ୍ରଶଂସନୀୟ ବୋଲି ଦର୍ଶାଇଛନ୍ତି ସେ |    

ଏନେଇ ଟ୍ୱିଟ କରି 'ଦ ଡନ' ସମ୍ପାଦକ ଫହଦ ହୁସେନ କହିଛନ୍ତି ଉତ୍ତର ପ୍ରଦେଶର ଜନସଂଖ୍ୟା ପାକିସ୍ତାନ ଠାରୁ ଅଧିକ | କୋରୋନା ଜନିତ ମୃତ୍ୟୁ ସଂଖ୍ୟା ପାକିସ୍ତାନ ତୁଳନାରେ ୟୁପିରେ କମ ରହିଛି | ପାକିସ୍ତାନର ଜନସଂଖ୍ୟା ୨୦୮ ମିଲିୟନ ଥିବା ବେଳେ, ଉତ୍ତର ପ୍ରଦେଶରେ ୨୨୫ ମିଲିୟନ ରହିଛି | ତଥାପି ଉତ୍ତର ପ୍ରଦେଶର ସ୍ଥିତି ନିୟନ୍ତ୍ରଣାଧିନ ରହିଛି |  

ଉଭୟ ପାକିସ୍ତାନ ଏବଂ ୟୁପିର ଜନସଂଖ୍ୟା ଏବଂ ସାକ୍ଷରତା ହାର ସମାନ | ଉତ୍ତର ପ୍ରଦେଶ ତୁଳନାରେ ପାକିସ୍ତାନରେ ଜନସଂଖ୍ୟାର ଘନତ୍ୱ କମ ଏବଂ ଅଧିକ ଜିଡିପି ଥିବା ଦେଶ | କୋରୋନାକୁ ମାତ ଦେବା ପାଇଁ ଉତ୍ତର ପ୍ରଦେଶ ସରକାର କଡାକଡି ଭାବେ ଲକ ଡାଉନ ପାଳନ କରିଥିବା ବେଳେ, ପାକିସ୍ତାନ ଏହାକୁ ନିଜ ଦେଶରେ କାର୍ଯ୍ୟକାରୀ କରିବାକୁ ସଫଳ ହୋଇନଥିଲା | ଯାହାର ଫଳସ୍ୱରୂପ କୋରୋନା ସଂକ୍ରମଣ ଏବଂ ମୃତ୍ୟୁ ଜନିତ ସଂଖ୍ୟା ପାକିସ୍ତାନ ତୁଳନାରେ ଉତ୍ତର ପ୍ରଦେଶରେ କମ ରହିଥିବା ପାକିସ୍ତାନୀ ଖବର କାଗଜର ସମ୍ପାଦକ ଜଣାଇଛନ୍ତି |   

ବର୍ତ୍ତମାନ ଉତ୍ତର ପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉତ୍ତର ପ୍ରଦେଶରେ ୧୦,୨୬୧ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୨୭୫ ରହିଛି | ସେହିପରି ପାକିସ୍ତାନରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ୯୮୯୪୩ ଥିବା ବେଳେ ମୃତ୍ୟୁସଂଖ୍ୟା ୨୦୦୨ ରହିଛି |