ପାକିସ୍ତାନରେ ବର୍ଦ୍ଧମାନଙ୍କୁ ଅଭିନନ୍ଦନ !

ଅଭିନନ୍ଦନ ଭାରତ ଫେରିଥିଲେ ସତ, ହେଲେ ପାକିସ୍ତାନରେ ଛାଡି ଆସିଥିଲେ ଭାରତୀୟ ଯବାନଙ୍କ ବୀରତ୍ୱର ଗାଥା... ଯାହା ଆଜି ପାକ୍ ସେନାର ସଂଗ୍ରହାଳୟ କହୁଛି...

ପାକିସ୍ତାନରେ ବର୍ଦ୍ଧମାନଙ୍କୁ ଅଭିନନ୍ଦନ !
ଫାଇଲ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ପାକିସ୍ତାନରେ ୱିଙ୍ଗ କମାଣ୍ଡରଙ୍କୁ ଅଭିନନ୍ଦନ । ବାୟୁସେନା ସଂଗ୍ରହାଳୟରେ ଅଭିନନ୍ଦନଙ୍କ ସାମଗ୍ରୀ । ଏଫ-୧୬ ବିମାନ ଖସାଇଥିବା ଭାରତୀୟ ଯୋଦ୍ଧାଙ୍କ ହେଲା ପ୍ରତିମୂର୍ତ୍ତି । ଅଭିନନ୍ଦନ ଉଡାଉଥିବା ମିଗ-୨୧ ବିମାନର ଭଗ୍ନାବଶେଷ, ଜବତ ହୋଇଥିବା ଜିନିଷପତ୍ର, ଏବେ ସବୁକିଛି ସେନା ସଂଗ୍ରହାଳୟରେ । ଅଭିନନ୍ଦନଙ୍କ ବିଷୟରେ ଅନେକ କିଛି ଜାଣିପାରିବେ ପାକିସ୍ତାନବାସୀ । ପଢିବେ ଦେଶଭକ୍ତିର ପାଠ । ଶୁଣିବେ ଭାରତୀୟ ଯୋଦ୍ଧାଙ୍କ ବିରତ୍ୱର ଗାଥା । 

ମିଗ-୨୧ ବିମାନ ପାଖରେ ଠିଆ ହୋଇଛନ୍ତି ଜଣେ ଭାରତୀୟ ଆର୍ମି । ସେନା ପୋଷାକ ପିନ୍ଧିଛନ୍ତି । ଲମ୍ୱା ନିଶ ଧରିଛନ୍ତି । ସାମ୍ନାରେ ଅଛି ଚା କଫ । ପାକିସ୍ତାନ କରାଚି ସ୍ଥିତ ସେନାର ସଂଗ୍ରହାଳୟରେ ଏବେ ଦେଖିବାକୁ ମିଳିଛି ଏଭଳି କିଛି ଚିତ୍ର । ଭାରତୀୟ ଯୋଦ୍ଧାଙ୍କ ବୀରତ୍ୱକୁ ଏଭଳି ଢଙ୍ଗରେ ଉଜ୍ଜୀବିତ କରିଛି ପାକିସ୍ତାନ । ସଂଗ୍ରହାଳୟର ଏକ ନିର୍ଦ୍ଦିଷ୍ଟ ଗ୍ୟାଲେରୀରେ ରହିଛି ଅଭିନନ୍ଦନ ଉଡାଇଥିବା ମିଗ-୨୧ ବିମାନର ଭଗ୍ନାବଶେଷ । ଆହୁରି ମଧ୍ୟ ଏହି ସମୟରେ ସେ  ପିନ୍ଧିଥିବା ପୋଷାକ ଏବଂ ଘଣ୍ଟା ମଧ୍ୟ ସ୍ଥାନ ପାଇଛି । 

କିଛି ଦିନ ପୂର୍ବରୁ ପାକିସ୍ତାନ ବାୟୁସେନା ମୁଖ୍ୟ ମୁଜାହିଦ ଅନବର ଖାନ ଏହାକୁ ଉଦଘାଟନ କରିଥିବା ଜଣାପଡିଛି । ଏବେ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଏହି ସଂଗ୍ରହାଳୟ ଖୋଲାଯିବ । ଅର୍ଥାତ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବିଷୟରେ ଏବେ ପାକିସ୍ତାନବାସୀ ଅନେକ କିଛି ଜାଣିପାରିବେ । ପାକିସ୍ତାନରେ ପ୍ରସ୍ଫୁଟିତ ହେବ ଅଭିନନ୍ଦନଙ୍କ ଜୟଗାଥା । 

ଗତ ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନର ଆତଙ୍କୀ ଆଡ୍ଡା ବାଲାକୋଟ ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ । ଆଉ ଏୟାର ଷ୍ଟ୍ରାଇକର ଦିନକ ପରେ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା ଆମେରିକା ନିର୍ମିତ ପାକିସ୍ତାନର ଶକ୍ତିଶାଳୀ ଲଢୁଆ ବିମାନ ଏଫ-୧୬ । ପୁରୁଣା ମିଗ୍-୨୧ ଧରିଥିବା ଭାରତୀୟ  ୱିଙ୍ଗ କମାଣ୍ଡର କିଛି ଖାତିର ନକରି ଏଫ-୧୬କୁ ଗୋଡେଇଥିଲେ । ଆଉ ତଳକୁ ବି ଖସାଇବାରେ ସଫଳ ହୋଇଥିଲେ । ହେଲେ ଏତିକି ବେଳେ ନିଜ ଉଡାଉଥିବା ମିଗ୍-୨୧ ପାକିସ୍ତାନ ସୀମାରେ ଖସି ପଡିଥିଲା । ଆକାଶ ଛତାରେ ପାକିସ୍ତାନ ମାଟିରେ ଉହ୍ଲାଇଥିଲେ ଅଭିନନ୍ଦନ ବର୍ଦ୍ଧମାନ । 

abhinandan varthaman

ଶତ୍ରୁ ଦେଶର ମାଟିରେ ଅଭିନନ୍ଦନ । ସାମ୍ନାରେ ଶତ୍ରୁ ଦେଶର ସେନା । ହେଲେ ଅଭିନନ୍ଦନଙ୍କ ମୁହଁରେ ଟିକିଏ ବି ଭୟ ଦେଖିପାରିନଥିଲେ ପାକିସ୍ତାନୀ ସେନା । ସତରେ ଭାରତୀୟ ସେନା କେଉଁ ଧାତୁରେ ଗଢା, ପାକିସ୍ତାନ ବି ବୁଝିପାରିନଥିଲା । ପାକିସ୍ତାନୀ ଯବାନଙ୍କ ସହ ଆଖିରେ ଆଖି ମିଶାଇ କଥା ହେଉଥିଲେ ଅଭିନନ୍ଦନ । ଆଉ ଭାରତୀୟ ଯୋଦ୍ଧାଙ୍କ ନିଶ, ଚା ପିଆ ଷ୍ଟାଇଲ, Body language, ସବୁଥିରେ ଫିଦା ହୋଇ ଯାଇଥିଲେ ପାକିସ୍ତାନୀ ସେନା । ପରେ ଭାରତ ଓ ଆନ୍ତର୍ଜାତୀୟ ଚାପରେ ୩ ଦିନ ଭିତରେ ଅଭିନନ୍ଦନଙ୍କୁ ଫେରାଇ ବି ଦେଇଥିଲେ । ଅଭିନନ୍ଦନ ସିନା ଭାରତ ଫେରିଆସିଲେ, ହେଲେ ପାକିସ୍ତାନ ମାଟିରେ ଛାଡିଆସିଲେ ଭାରତୀୟ ଯବାନଙ୍କ ବୀରତ୍ୱର ଗାଥା । ଯାହା ଆଜି ପାକ୍ ସେନାର ସଂଗ୍ରହାଳୟ କହୁଛି ।