କେଉଁଆଡ଼େ ନେଉଛି ଉନ୍ନତ ଜୀବନଶୈଳୀର ମୋହ ?
Advertisement
Article Detail0/zeeodisha/odisha591012

କେଉଁଆଡ଼େ ନେଉଛି ଉନ୍ନତ ଜୀବନଶୈଳୀର ମୋହ ?

ଭିଏତନାମର ଛୋଟ ଛୋଟ ସହରରେ ଏପରି ଅନେକ ଶିକାରୀ ବା ମାନବ ଚାଲାଣକାରୀ ଘୂରି ବୁଲୁଛନ୍ତି, ଯେଉଁମାନେ ମାତ୍ର କେଇ ହଜାର ୟୁରୋ ବିନିମୟରେ ସେମାନଙ୍କୁ ଗୋପନରେ ସଡ଼କ ପଥରେ ୟୁରୋପ ପାରି କରାଇ ଦେବାର ଲୋଭ ଦେଖାଉଛନ୍ତି । ଆଉ ସେହି ନିରୀହମାନେ ସେମାନଙ୍କ ଜାଲରେ ପଡ଼ିଯାଉଛନ୍ତି । ସେମାନଙ୍କ ମଧ୍ୟରୁ କେହି ହୁଏତ ୟୁରୋପ ପହଞ୍ଚି ପାରନ୍ତି, ଆଉ କେହି ପାରନ୍ତି ନାହିଁ ।

କେଉଁଆଡ଼େ ନେଉଛି ଉନ୍ନତ ଜୀବନଶୈଳୀର ମୋହ ?

ହିତାଂଶୁ ଶେଖର ମହାନ୍ତ, ନୂଆଦିଲ୍ଲୀ: ଅଧିକ ଅର୍ଥ ରୋଜଗାରର ମୋହ ଆଉ ଏକ ଉନ୍ନତ ଜୀବନଶୈଳୀ ପାଇଁ ଆପଣ କେଉଁ ପର୍ଯ୍ୟନ୍ତ ଯାଇ ପାରିବେ ? କେତେ ରିସ୍କ ଉଠାଇ ପାରିବେ ? ଏହାର ଉତ୍ତରରେ  ଆପଣ ହୁଏତ ନା କହିବେ । ମାତ୍ର ଦୁନିଆରେ ଏପରି ଏକ ଦେଶ ଅଛି, ଯେଉଁଠାରୁ ସେଠାକାର ଯୁବପିଢ଼ି ଏକ ସୁଖ ସ୍ୱାଚ୍ଛନ୍ଦ୍ୟଭରା ଜୀବନ ପାଇଁ ପଳାୟନ କରୁଛନ୍ତି ସୁଦୂର ଗ୍ରେଟ୍ ବ୍ରିଟେନକୁ । ତାହା ମଧ୍ୟ ବିନା ପାସପୋର୍ଟ ଓ ଭିସା ବଳରେ । ସମ୍ପୂର୍ଣ୍ଣ ବେଆଇନ ଭାବରେ । ଭିଏତନାମର ଛୋଟ ଛୋଟ ସହରରେ ଏପରି ଅନେକ ଶିକାରୀ ବା ମାନବ ଚାଲାଣକାରୀ ଘୂରି ବୁଲୁଛନ୍ତି, ଯେଉଁମାନେ ମାତ୍ର କେଇ ହଜାର ୟୁରୋ ବିନିମୟରେ ସେମାନଙ୍କୁ ଗୋପନରେ ସଡ଼କ ପଥରେ ୟୁରୋପ ପାରି କରାଇ ଦେବାର ଲୋଭ ଦେଖାଉଛନ୍ତି । ଆଉ ସେହି ନିରୀହମାନେ ସେମାନଙ୍କ ଜାଲରେ ପଡ଼ିଯାଉଛନ୍ତି । ସେମାନଙ୍କ ମଧ୍ୟରୁ କେହି ହୁଏତ ୟୁରୋପ ପହଞ୍ଚି ପାରନ୍ତି, ଆଉ କେହି ପାରନ୍ତି ନାହିଁ । ଅନ୍ତର୍ଜାତୀୟ ଅପରାଧ ଜଗତରେ ବେଆଇନ ମାନବ ଚାଲାଣ ଏବେ ସାଂଘାତିକ ଭାବରେ ମୁଣ୍ଡ ଟେକିଲାଣି ।

ଗତ ୨୪ ତାରିଖ ସକାଳ ସମୟ, ବ୍ରିଟେନ ବ୍ରେଏସର ୱାଟରଗ୍ଲେଡ୍ ଇଣ୍ଡଷ୍ଟ୍ରିଆଲ୍ ପାର୍କ । ଯେଉଁଠୁ ପ୍ରାୟ ସେଦିନ ଏକ ଲରି ମଧ୍ୟରୁ ମିଳିଥିଲା ୩୯ ଜଣଙ୍କ ମୃତଦେହ । ପ୍ରାଥମିକ ତଦନ୍ତରୁ ପୋଲିସ୍ ଅନୁମାନ କରିଥିଲା ଯେ, ଏ ସମସ୍ତେ ହେଉଛନ୍ତି ଚୀନର ନାଗରିକ । କିନ୍ତୁ ପରେ ଜଣାପଡ଼ିଥିଲା ମୃତକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭିଏତନାମ ନାଗରିକ । 'ଫାମ୍ ତା ମାଇଁ' ନାମ୍ନୀ ଭିଏତନାମର ଜଣେ ଯୁବତୀଙ୍କର ମଧ୍ୟ ଏହି ଟ୍ରାଫିକିଂରେ ମୃତ୍ୟୁ ହୋଇଛି । ଫାମଙ୍କ ପିତା କୁହନ୍ତି, ସେ ୩୦ ହଜାର ୟୁରୋ ଦେଇ ବ୍ରିଟେନ୍ ଭିତରକୁ ବିନା ପାସପୋର୍ଟ ଓ ଭିସାରେ ପଶିବା ପାଇଁ ଉଦ୍ୟମ କରୁଥିଲେ । ଆଉ ଏଇଠୁ ପୋଲିସକୁ ମିଳିଥିଲା ଘଟଣା ପଛର ସବୁଠାରୁ ବଡ଼ ଖିଅ । ଏହାପରେ ଜଣାପଡ଼ିଥିଲା ଏ ମାମଲା ସ୍ମଗଲିଂ ବା ଚୋରା ଚାଲାଣର ବୋଲି । ଏମାନେ ସମସ୍ତେ ବିନା କାଗଜପତ୍ରରେ ବ୍ରିଟେନରେ ପଶିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ପରେ ସଭିଏଁ ଚୋଲାଚାଲାଣ ବା ଟ୍ରାଫିକିଂର ଶିକାର ହୋଇଥିଲେ । ଏହା ଥିଲା ଏପରି ଏକ ଘଟଣା, ଯାହା କେବଳ ବ୍ରିଟେନ ନୁହେଁ ସାରା ଦୁନିଆକୁ ଦୋହଲାଇ ଦେଇଥିଲା । କାରଣ ଇଂଲଣ୍ଡର ଏସେକ୍ସ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କଣ୍ଟେନରରୁ ମିଳିଥିଲା ୩୯ଟି ମୃତଦେହ । 
ଏହାପରେ ୟୁନାଇଟେଡ୍ କିଙ୍ଗଡମର ଫେଡେରାଲ୍ ପ୍ରସିକ୍ୟୁଟର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ । ଏସେକ୍ସ ପୋଲିସ ୨୪ ବର୍ଷ ବୟସ୍କ କଣ୍ଟେନର ଡ୍ରାଇଭର ମୋରିସ ରବିନସନକୁ ତଦନ୍ତ ପରିସରଭୁକ୍ତ କଲା । ଜିବ୍ରୁଜର ବେଲଜିୟମ ପୋର୍ଟରୁ ବାହାରିଥିବା ଏହି କଣ୍ଟେନର ଏସେକ୍ସର ପରଫ୍ଲିପ ଡକରେ ପହଞ୍ଚିଥିଲା ।ଏହାଥିଲା ବ୍ରିଟେନର ସବୁଠୁ ଦୁଃଖଦ ବେଆଇନ ମାନବ ଚାଲାଣ ।

୨୦୦୦ ମସିହା ଜୁନ୍ ମାସରେ ମଧ୍ୟ ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା । ଡୋଭର ଦକ୍ଷିଣରେ ଥିବା ଏକ ପୋର୍ଟରୁ ଏକ ବିଲାତିବୋଝେଇ ଟ୍ରକରୁ ମିଳିଥିଲା ୫୮ଜଣ ବ୍ୟକ୍ତିଙ୍କ ମୃତଦେହ । ତାହା ଥିଲା ବେଲଜିୟମ ଜିବ୍ରୁଜରୁ ବ୍ରିଟେନକୁ ଥିଲା ଏକ ଲମ୍ବା ତଥା ଦୁଃଖଦ ଯାତ୍ରା । ବର୍ତ୍ତମାନର ଏସେକ୍ସ ଟ୍ରାଜେଡି ମଧ୍ୟ ଛାଡ଼ିଯାଇଛି ଅନେକ ପ୍ରଶ୍ନ । କାହିଁକି ଏତେ ସଂଖ୍ୟାରେ ଲୋକ ନିଜ ଦେଶ ଛାଡ଼ି ଚାଲିଯାଉଛନ୍ତି । ବିଭିନ୍ନ ୟୁରୋପୀୟ ଦେଶରେ ଇମିଗ୍ରେସନ ନିୟମ ବେଶ୍ କଡ଼ାକଡ଼ି ଥିବାସତ୍ତ୍ୱେ କାହିଁକି ସେମାନେ ବେଆଇନ ଉପାୟରେ  ଏସବୁ ଦେଶରେ ପ୍ରବେଶ କରୁଛନ୍ତି । କିଏ ସେହି ମଧ୍ୟସ୍ଥି, ଯିଏ ନିରୀହ ନାଗରିକମାନଙ୍କ ଜୀବନ ସହ ଏପରି ଖେଳ ଖେଳୁଛନ୍ତି ।

୨୦୧୪ରେ ୟୁକେର କଡ଼ା ଇମିଗ୍ରେସନ ଆଇନ ଅନୁପ୍ରବେଶକାରୀଙ୍କୁ ଏପରି ବିପଜ୍ଜନକ ରିସ୍କ ନେବାକୁ ବାଧ୍ୟ କରିଥିଲା । ଗତ ୫ ବର୍ଷ ମଧ୍ୟରେ ବିଦେଶରୁ ବ୍ରିଟେନକୁ ବେଆଇନ ଭାବରେ ଆସୁଥିବା ଲୋକଙ୍କ ମୃତ୍ୟୁସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି । ସମସ୍ତଙ୍କ ଅନୁପ୍ରବେଶର ଢଙ୍ଗ ପ୍ରାୟ ଏକାଭଳି । ରିଫ୍ୟୁଜିଙ୍କ ପାଇଁ ଫ୍ରାନ୍ସ ନିଜ ଦ୍ୱାର ବନ୍ଦ କରିଦେବା ପରେ ଏମାନଙ୍କ ଯାତ୍ର ଥିଲା ବ୍ରିଟେନ ଆଡ଼କୁ । ଇଂଲିଶ  ଚାନେଲ ବାଟଦେଇ ପୋର୍ଟ ଅଫ୍ ଡୋଭରରୁ ସେମାନଙ୍କ ବିପଜ୍ଜନକ ଯାତ୍ରା ଥିଲା ବ୍ରିଟେନକୁ । ମାତ୍ର ସେଠାକାର କଠୋର ଆଇନ ତାହା ବି ବନ୍ଦ କରି ଦେଇଥିଲା । ଏହାଫଳରେ ବହୁ ମଧ୍ୟସ୍ଥିଙ୍କ ଅର୍ଥ ରୋଜଗାରର ବାଟ ଫିଟିଗଲା । ଏସେକ୍ସର ପୋର୍ଟ ଅଫ ପର୍ଫ୍ଲିକ୍ଟ ବାଟଦେଇ ଆରମ୍ଭ ହେଲା ଚୋରା ମାନବ ଚାଲାଣ । ଚାଲାଣ କରାଯାଉଥିବା ଲୋକମାନଙ୍କୁ ପଶୁତୁଲ୍ୟ ବ୍ୟବହାର କରାଯାଉଥିଲା । ମାତ୍ର ୧୦ ହଜାର ୟୁରୋ ବିନିମୟରେ ସେମାନଙ୍କୁ ବ୍ରିଟେନ ମଧ୍ୟକୁ ଅନୁପ୍ରବେଶ କରାଉଥିଲେ ଦଲାଲମାନେ । ତେବେ ଲରୀ ବା କଣ୍ଟେନରରେ ବିପଜ୍ଜନକ ଭାବରେ ବ୍ରିଟେନ ସୀମାରେ ପଶୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ହୋଇ ଯାଉଥିଲା । ବେଳେ ବେଳେ ସେମାନଙ୍କୁ କାଠ ଢାବଲ ଭିତରେ ମଧ୍ୟ ଚାଲାଣ କରାଯାଉଥିଲା । ଏବେ ମଧ୍ୟ ଅଧିକାଂଶ ଛୋଟଡଙ୍ଗାରେ ରିଫ୍ୟୁଜିମାନେ ବିପଜ୍ଜନକ ଭାବରେ ଇଂଲିଶ ଚାନେଲ ପାରି ହୋଇ ଇଂଲଣ୍ଡ ପଳାଇ ଆସୁଛନ୍ତି । ଧରାପଡ଼ିଲେ ସେମାନଙ୍କୁ ବ୍ରିଟିଶ ସେନା ବନ୍ଦୀ ବନାଇ ରଖୁଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମ ଏସିଆ, ଆଫଗାନିସ୍ତାନ ଓ ପାକିସ୍ତାନର ବାସିନ୍ଦା ।

fallbackଦି ୟୁରୋପିଆନ୍ କମିଶନ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛି । ଗତ ମାସରେ ବୁଲଗେରିଆ ପ୍ରଧାନମନ୍ତ୍ରୀ ବୟକୋ ବୋରିସ ତାଙ୍କ ଦେଶକୁ ବେଆଇନ ମାନବ ଚାଲାଣ ବିରୋଧରେ କଡ଼ା ଚେତାବନୀ ଦେଇଥିଲେ । ଗତ ୧୦ ମାସରେ ୧୪୦୦ ଅନୁପ୍ରବେଶକାରୀ ବେଆଇନ ଭାବରେ ୟୁନାଇଟେଡ୍ କିଙ୍ଗଡମକୁ ଅନୁପ୍ରବେଶ ଉଦ୍ୟମ କରି ଧରା ପଡ଼ିଥିଲେ । ଏହି ଅନୁପ୍ରବେଶକାରୀମାନେ ଏକ ଉଜ୍ଜଳ ଭବିଷ୍ୟତ ଆଶାରେ ନିଜ ଜୀବନକୁ କିପରି ବିପଦ ଭିତରକୁ ଠେଲି ଦେଉଛନ୍ତି,ଏହା ତା'ର ଏକ ଉଦାହରଣ ମାତ୍ର ।