ସମ୍ବିଧାନ ପଢିଲେ, ସିଏଏ ବିରୋଧରେ ଗର୍ଜିଲେ...
Advertisement

ସମ୍ବିଧାନ ପଢିଲେ, ସିଏଏ ବିରୋଧରେ ଗର୍ଜିଲେ...

ବିକ୍ଷୋଭକାରୀଙ୍କୁ ସମ୍ବିଧାନ ପଢାଇଲେ ଓୱେସୀ

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ନାଗରିକରତା ସଂଶୋଧନ ଆଇନକୁ ସମଗ୍ର ଦେଶରେ ତୀବ୍ର ବିରୋଧ କରାଯାଉଛି । ଏହାକୁ ସମ୍ବିଧାନ ବିରୋଧୀ ବୋଲି ଅଭିଯୋଗ ହେଉଛି । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଘଟୁଛି । ସିଏଏକୁ ବିରୋଧ କରୁଥିବା ନେତାଙ୍କ ମଧ୍ୟରେ ଆଗ ଧାଡିରେ ଅଛନ୍ତି ଏଆଇଏମଆଇଏମ ନେତା ତଥା ସାଂସଦ ଅସଦୁଦ୍ଦୀନ ଓୱୈସୀ । ବିକ୍ଷୋଭକାରୀଙ୍କୁ ସମ୍ବିଧାନ ପଢାଇ ନାଗରିକର ହକ୍ ବିଷୟରେ ଜଣାଇବାକୁ ଉଦ୍ୟମ ସେ କରିଛନ୍ତି ।  

ଶନିବାର ହାଇଦ୍ରାବାଦରେ ସିଏଏ ବିରୋଧରେ ବିକ୍ଷୋଭ କରାଯାଇଥିଲା । ଓୱୈସୀଙ୍କ ସହ ବହୁ ବିକ୍ଷୋଭକାରୀ ଏଥିରେ ସାମିଲ ହୋଇଥିଲେ । ତେବେ ଏହି ସମୟରେ ଓୱେସୀ ଆପଣାଇଥିଲେ ବିକ୍ଷୋଭର ନୂଆ କରିକା । ସର୍ବ ସମ୍ମୁଖରେ ଆମ ସମ୍ବିଧାନର ପ୍ରସ୍ତାବନା ପଢିଥିଲେ ଓୱୈସୀ । ଅନ୍ୟମାନେ ପାଳିଆ ଧରିଥିଲେ । ସିଏଏ ବିଲ ଯେ ଆମ ସମ୍ବିଧାନକୁ ଅବମାନନା କରୁଛି, ଏଭଳି କିଛି ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ ଏଆଇଏମଆଇଏମ ସାଂସଦ । 

ଆମ ସମ୍ବିଧାନର ପ୍ରସ୍ତାବନାରେ କ'ଣ ଲେଖା ଅଛି ? 

''ଆମ୍ଭେ ଭାରତ ବାସୀ ଦୃଢ଼-ସଂକଳ୍ପବଦ୍ଧ ହୋଇ ଭାରତକୁ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ର ହିସାବରେ ଗଠନ କରିବାକୁ ଓ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟବିଚାର, ଚିନ୍ତା, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମଉପାସନାର ସ୍ୱାଧୀନତା, ପ୍ରତିଷ୍ଠା ଓ ସୁଯୋଗର ସମତା ଏବଂ ସେମାନଙ୍କ ମଧ୍ୟରେ ଭାତୃତ୍ୱର ବିକାଶ କରାଇବା ସଙ୍ଗେ ସଙ୍ଗେ ବ୍ୟକ୍ତିର ମର୍ଯ୍ୟାଦା ଓ ଜାତିର ଐକ୍ୟ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇ "ଆମରି ଶାସନ ବିଧାୟକ ସଭାରେ, ୧୯୪୯ ମସିହା ନଭେମ୍ବର ମାସର ଆଦ୍ୟ ୨୬ ତାରିଖ ଦିନ, ଏହି ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମାର୍ପିତ କରୁଛୁ ।"

ସେପଟେ ସିଏଏ ଓ ଏନଆରସି ଆଇନ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଜେପି । ସାରା ଦେଶରେ ଏକ ହଜାର ରାଲି ଆୟୋଜନ କରି ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟ ରଖାଯାଇଛି । ୨୫୦ ଗଣମାଧ୍ୟମରେ ବାର୍ତ୍ତା ଦେବା ସହ  ୧୦ ଦିନ ମଧ୍ୟରେ ୩ କୋଟି ପରିବାରକୁ ନୂଆ ଆଇନ ସମ୍ପର୍କରେ ସଚେତନ କରିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ନାଗରିକତା ଆଇନ୍ ବିରୋଧରେ ଦେଶବ୍ୟାପୀ ବିରୋଧ ଜାରି ରହିଥିବା ବେଳେ ଜମ୍ମୁରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଜମ୍ମୁର ମୁସଲିମ୍ ସମ୍ପ୍ରଦାୟର ଲୋକେ ଦେଶବାସୀଙ୍କୁ ଶାନ୍ତି ସନ୍ଦେଶ ବାଣ୍ଟିବା ସହ  ନାଗରିକତା ଆଇନ ଦ୍ୱାରା ଦେଶବାସୀଙ୍କର କୌଣସି କ୍ଷତି ହେବ ନାହିଁ ବୋଲି ବାର୍ତ୍ତା ଦେଇଛନ୍ତି । ଏପରି ଆଇନର ଆବଶ୍ୟକତା ଥିଲା ବୋଲି ମୁସଲିମ ପ୍ରଦର୍ଶନକାରୀ ମତ ରଖିଛନ୍ତି ।

ଅନ୍ୟପଟେ ଜମ୍ମୁବାସୀଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ଦେଶର ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଶିକ୍ଷାବିତ । ଦୀର୍ଘ ବର୍ଷ ଧରି ଦେଶରେ ଶରଣାର୍ଥୀ ନିର୍ଯ୍ୟାତିତ ଜୀବନ ବିତାଉଥିବାରୁ ସେମାନଙ୍କୁ ସରକାର ନ୍ୟାୟ ଦେବା ପାଇଁ ପ୍ରୟାସ କରିଛନ୍ତି ବୋଲି ପ୍ରଦର୍ଶନକାରୀମାନେ ମତ ରଖିଛନ୍ତି । ଦିଲ୍ଲୀରେ ଏକାଠି ହୋଇଥିବା ହଜାରେରୁ ଅଧିକ ଶିକ୍ଷାବିତ ନାଗରିକତା ଆଇନକୁ ସମର୍ଥନ କରିଛନ୍ତି । ଭାରତରେ ଶରଣାର୍ଥୀଙ୍କୁ ସ୍ଥାନ ମିଳିଲେ ମାନବାଧିକାର ମିଳିବ ବୋଲି ସେମାନେ କହିଛନ୍ତି । ଆସାମ, ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ନାଗରିକତା ଆଇନ ବିରେୋଧରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଥିବାବେଳେ ଜମ୍ମୁବାସୀଙ୍କ ଶାନ୍ତି ପ୍ରଦର୍ଶନ ଦେଶବାସୀଙ୍କ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛି । ଜମ୍ମୁ, ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ସପକ୍ଷବାଦୀଙ୍କ ରାଲି ଦେଖିବାକୁ ମିଳିଛି । ଦିଲ୍ଲୀର କର୍ଣ୍ଣାଟ ପ୍ଲେସରେ ମଧ୍ୟ ନାଗରିକତା ଆଇନ ସପକ୍ଷରେ ଶୋଭାଯାତ୍ରା କରାଯାଇଛି । କିଛି ଲୋକ ଜାଣିଶୁଣି ଲୋକଙ୍କ ମଧ୍ୟରେ ଗୁଜବ ପ୍ରଚାର କରି ଉତ୍ତେଜନା ସୃଷ୍ଟି କରୁଛନ୍ତି ବୋଲି ସେମାନେ କହିଛନ୍ତି ।

ଆହୁରି ପଢନ୍ତୁ; ବିରୋଧୀଙ୍କ ମୁହଁବନ୍ଦ ! ସିଏଏକୁ ସମର୍ଥନ ଦେଲେ ଜମ୍ମୁବାସୀ