'ନିଜ ହାତ ଜଗନ୍ନାଥ'

ଡାକ ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା ମରାମତି କଲେ ଆଞ୍ଚଳିକ ରାଜ ମିସ୍ତ୍ରୀ ସଂଘ

'ନିଜ ହାତ ଜଗନ୍ନାଥ'

ଘଟଗାଁ: ଶୁଣିଲାନି ପ୍ରଶାସନ , ଗାଁ ରାସ୍ତା ମରାମତି କଲେ ଆଞ୍ଚଳିକ ରାଜମିସ୍ତ୍ରୀ ସଂଘ । ସରକାରଙ୍କ ସବୁ ଯୋଜନାକୁ ପଛରେ ପକାଇ ନିଜେ ରାସ୍ତା ମରାମତି କଲେ ।  ଏଭଳି ଘଟଣା ଘଟିଛି ଘଟଗାଁ ବ୍ଲକ ନାକଝରୀ  ଗାଁରେ ।   ଗାଁର ମୁଖ୍ୟ ରାସ୍ତା ଅବସ୍ଥା  ଶୋଚନୀୟ ହୋଇ ପଡିଥିଲା ।  ବାରମ୍ବାର ପ୍ରଶାସନ ପାଖରେ ରାସ୍ତା ମରାମତି ପାଇଁ ଲୋକେ ଗୁହାରି କରିଥିଲେ । ହେଲେ  ପ୍ରଶାସନ ଏହାକୁ କର୍ଣ୍ଣପାତ କରିନଥିଲା । ଫଳରେ ବାଧ୍ୟ ହୋଇ ଆଞ୍ଚଳିକ ରାଜ ମିସ୍ତ୍ରୀ ସଂଘ ନିଜ ପ୍ରଚେଷ୍ଟାରେ ରାସ୍ତା ମରାମତି କରିଛନ୍ତି । ହାତରେ କୋଡି, କୋଦାଳ ଆଉ ମୁଣ୍ଡରେ ଝୁଡ଼ି ଧରି ଚାଲିଛି ରାସ୍ତା ମରାମତି କାମ । 

ଏହି ଫଟୋ ପ୍ରଶାସନ ପକ୍ଷରୁ କରାଯାଉଥିବା ରାସ୍ତା ନିର୍ମାଣ କିମ୍ବା ମରାମତିର ଦୃଶ୍ୟ ନୁହେଁ । ଏ ଦୃଶ୍ୟ ଦେଖିଲେ ପ୍ରମାଣିତ ହେଉଛି ଯେ ଏବେ ବି ଭାଇଚାରା ବଞ୍ଚି ରହିଛି । ଏ ହେଉଛି ଘଟଗାଁ ବ୍ଲକ ନାକଝରୀ ଗାଁ ରାସ୍ତାର ଦୃଶ୍ୟ । ବଡ଼ବଡ଼ ଖାଲ ଖମାରେ ଭରି ରହିଥିବା ଏହି ରାସ୍ତା, ବର୍ଷା ଦିନେ ପାଦ ଚଲା ପାଇଁ ମଧ୍ୟ କଷ୍ଟକର ହୋଇ ପଡୁଥିଲା । ଏହା ଉପରେ ଦୈନିକ ହଜାର ହଜାର ଲୋକେ ନିର୍ଭର କରୁଥିବା ବେଳେ ରାସ୍ତା ମରାମତି ପାଇଁ ଅନେକ ଥର ପ୍ରଶାସନକୁ ଗୁହାରି କରି ନିରାଶ ହୋଇ ଯାଇଥିଲେ ଲୋକେ । ଶେଷରେ ବ୍ଲକର ରାଜମିସ୍ତ୍ରୀ ସଂଘ ନିଜସ୍ୱ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ରାସ୍ତା ମରାମତି କରିଛନ୍ତି । ଦୀପତଳ ଅନ୍ଧାର ଭଳି  ଏହି ଗାଁଟି ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୩  କିଲୋମିଟର ଦୂରରେ ଥିଲେ ବି ଗମନାଗମନ ବ୍ୟବସ୍ଥା ଏଠି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଫଳରେ ଏହି ରାସ୍ତାରେ ଅନେକ ସମୟରେ ଦୁର୍ଘଟଣାମାନ ଘଟି ବହୁ ନିରୀହ ଜୀବନ ଯାଉଥିଲା । ଏନେଇ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା ଫେଲ୍ ମାରିଥିଲା ସବୁ ଯୋଜନା ।  ତେଣୁ  ରାସ୍ତା ମରାମତି କାମ ନିଜେ ନିଜ ହାତକୁ ନେଲେ ରାଜମସ୍ତ୍ରୀ ସଂଘ ।  ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି  । ଏହି କାମ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ପ୍ରଶାସନ ମୁହଁରେ ଏହା ଶକ୍ତ ଚାପୁଡା ସଦୃଶ ।  ପ୍ରତି ମାସର ୧ ତାରିଖରେ ନିଜକୁ ଗାଁର ବିଭିନ୍ନ ଉନ୍ନତିମୂଳକ କାମରେ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜମିସ୍ତ୍ରୀ ସଂଘ ।