କ୍ଷମତା ରାଜନୀତିର ମହାନାଟକକୁ ଉପଭୋଗ କରୁଛନ୍ତି ଜନତା
Advertisement

କ୍ଷମତା ରାଜନୀତିର ମହାନାଟକକୁ ଉପଭୋଗ କରୁଛନ୍ତି ଜନତା

ଦିଲ୍ଲୀ ଦରବାରରେ ମହାରାଷ୍ଟ୍ର ରାଜନୀତିର ଗୋଟି ଚାଳନା ଏବେ ଜାତୀୟ ରାଜନୀତିରେ ଅଧିକ ରୋମାଞ୍ଚ ଭରିଦେଇଛି

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳକୁ ପ୍ରାୟ ସପ୍ତାହେ ବିତି ଗଲାଣି । କିନ୍ତୁ ଏଯାଏ ସରକାର ଗଠନ ନେଇ କୌଣସି ରାସ୍ତା ସ୍ପଷ୍ଟ ହୋଇନି । ବିଜେପି ଓ ଶିବସେନା ମଧ୍ୟରେ ଚାଲିଥିବା କ୍ଷମତା ଲଢ଼େଇରେ ଏଯାଏ କାହାର ବି ବିଜୟ ହୋଇନି । ଏମିତି ଏକ ଦ୍ୱନ୍ଦ୍ୱ ଭିତରେ ଗତି କରୁଛି ମହାରାଷ୍ଟ୍ର ରାଜନୀତି ।

ରେଜଲ୍ଟ ସିନା ପ୍ରକାଶ ପାଇଗଲା, ହେଲେ ଅଛିଣ୍ଡା ଅଙ୍କ ଭଳି କାହାକୁ ସଂଖ୍ୟା ଗରିଷ୍ଠତା ନ ମିଳିବା ଯୋଗୁ ଏବେ ବି ସରକାର ଗଠନ ନେଇ ଅଡ଼ୁଆ ପରିସ୍ଥିତି ଲାଗି ରହିଛି । ପାୱାର ପାଇଁ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜ ମଧ୍ୟରେ ଡ୍ରାମା କରୁଥିବାବେଳେ ଏହାକୁ କିନ୍ତୁ ଉପଭୋଗ କରୁଛନ୍ତି ମହାରାଷ୍ଟ୍ରବାସୀ । ପରିସ୍ଥିତି ଏମିତି ହୋଇଗଲାଣି ଯେ, ଏହାକୁ ନେଇ ବ୍ୟଙ୍ଗ ମଧ୍ୟ ଲୋକମାନେ କରିବା ଆରମ୍ଭ କଲେଣି । ମହାରାଷ୍ଟ୍ରର ଶ୍ରୀକାନ୍ତ ବିଷ୍ଣୁ ଗଡ଼ଲେ ନାମକ ଜଣେ ଚାଷୀ ମୁଖ୍ୟମନ୍ତ୍ରୀ ହେବାକୁ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଯେ ପର୍ଯ୍ୟନ୍ତ ବିଜେପି ଓ ଶିବସେନା ମଧ୍ୟରେ ଟଣାଓଟରା ନ ସରିଛି, ସେ ପର୍ଯ୍ୟନ୍ତ ତାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କରିବାକୁ ସେ ଚିଠି ଦ୍ୱାରା ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି । 

ସେହିପରି ସୋସିଆଲ ମିଡିଆରେ ମଧ୍ୟ ରାଜନୈତିକ ସ୍ଥିତିକୁ ନେଇ ବିଭିନ୍ନ ବ୍ୟଙ୍ଗାତ୍ମକ ଲେଖାମାନ ପ୍ରକାଶ ପାଉଛି । ଏହାରି ଭିତରେ ମହାରାଷ୍ଟ୍ରରେ ରାଜନୈତିକ ଦଳ ଗୁଡ଼ିକର ମତ ମଧ୍ୟ ଘଡ଼ିକେ ଘୋଡ଼ା ଛୁଟିଲା ଭଳି ବଦଳିବାରେ ଲାଗିଛି । ଭାରତର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଲୋକଙ୍କୁ ଅଣନିଃଶ୍ୱାସୀ କରି ଦେଇଥିବାବେଳେ ଏହାରି ଭିତରେ ମହାରାଷ୍ଟ୍ର ପବନ ବହିବା ଆରମ୍ଭ କଲାଣି । ଦିଲ୍ଲୀ ଦରବାରରେ ମହାରାଷ୍ଟ୍ର ରାଜନୀତିର ଗୋଟି ଚାଳନା ଏବେ ଜାତୀୟ ରାଜନୀତିରେ ଅଧିକ ରୋମାଞ୍ଚ ଭରିଦେଇଛି । ବିଜେପି ଓ ଶିବସେନା ମଧ୍ୟରେ ବିବାଦ ଘୂର୍ଣ୍ଣିଝଡ଼ ରୂପ ନେଇଥିବାବେଳେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଉଦ୍ଧବଙ୍କ ସପକ୍ଷରେ ଯାଇ ଦୁଇ ଦଳର ବିବାଦ ଘା'କୁ ଆଉ ଟିକେ ଖଣ୍ଡିଆ କରି ଦେଇଛନ୍ତି । ଆଦିତ୍ୟଙ୍କ ପରିବର୍ତ୍ତେ ଶିବସେନା ଯଦି ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରେ, ତେବେ ବିଜେପି ଆଉ ଥରେ ଚିନ୍ତା କରିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏନସିପି ଓ କଂଗ୍ରେସ ଉଭୟ ଦଳ ଶିବସେନା ସହ ମିଶିବାକୁ ଚାହୁଁଛନ୍ତି । ଶିବସେନା ନେତା ସଞ୍ଜୟ ରାୱତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ରାଜ୍ୟରେ ସରକାର କରିବା ନେଇ ନୂଆ ସମୀକରଣ ଉପରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ମଧ୍ୟରେ, କଂଗ୍ରେସର ସାଂସଦ ହୁସେନ ଦଲବଇ ଶିବସେନାକୁ ସରକାର ଗଠନ କରିବାକୁ ସମର୍ଥନ କରିଛନ୍ତି । ସେ ଏ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଏସବୁ ପାୱାର ଲଢ଼େଇକୁ କିନ୍ତୁ ଉପଭୋଗ କରୁଛନ୍ତି ଦେଶର ଜନତା । କାଲି ଯାଏ ଯିଏ ମା'ପେଟ ଭାଇ ଭଳି ଦୁନିଆ ଆଗରେ ଚଳୁଥିଲେ, ଆଜି ସେମାନେ ସାବତ ମା' ଭାଇ ଭଳି ଚଳୁଛନ୍ତି । ସବୁଠୁ ଚାଲାକ ହେଉଛନ୍ତି ଭୋଟର । ସେମାନଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ରାଜନୈତିକ ଦଳ ଗୁଡ଼ିକ ସ୍ୱାର୍ଥର ପଶାପାଲିରେ ଯେଉଁ ଗୋଟି ଚାଳନା କରୁଛନ୍ତି, ସେମାନେ ଭୁଲିବା ଉଚିତ୍ ନୁହେଁ ଯେ ଭାରତର ଜନତା ଏହାକୁ ନେଇ ରୋମାଞ୍ଚିତ ନୁହନ୍ତି । ବରଂ ଜନତା ଏହି କ୍ଷମତାର ମହାନାଟକକୁ ମନ ଭରି ଉପଭୋଗ କରୁଛନ୍ତି । ସେମାନେ କାଲି ବି ଚତୁର ଥିଲେ, ଆଉ ଆଜି ବି ଚତୁର ଅଛନ୍ତି ଏବଂ ଆଗାମୀ ଦିନରେ ବି ଚତୁର ରହିବେ ।