Trending Photos
ନୂଆଦିଲ୍ଲୀ: ଜନନାୟକ ଜନତା ଦଳ(ଜେଜେପି)ର ଅଧ୍ୟକ୍ଷ ତଥା ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ବିରୋଧ ରେ ଯାଚିକା ଦାଖଲ ହୋଇଛି । ପଞ୍ଜାବ-ହରିୟାଣା ହାଇକୋର୍ଟରେ ଏହି ୟାଚିକା ଦାଖଲ କରାଯାଇଛି । ଦୁଷ୍ୟନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ନେଇ ଏହି ଯାଚିକା ଦାଖଲ କରାଯାଇଛି ।
ଆଇନଜୀବୀ ଜଗମୋହନ ସିଂହ ଭଟ୍ଟି ଏକ ଜନହିତ ଯାଚିକା ଦାଖଲ କରି ଦୁଷ୍ୟନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ନେଇ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଏହି ଯାଚିକାରେ କୁହାଯଇଛି ଯେ ଦୁଷ୍ୟନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀର ମାନ୍ୟତା ଦେବା ଫଳରେ ରାଜ୍ୟର ରାଜକୋଷ ଉପରେ ଆର୍ଥିକ ବୋଝ ବଢିବ । ଏହା ମଧ୍ୟ ନିୟମର ବିରୋଧରେ ଯାଇ କରାଯାଇଛି । ସମ୍ୱିଧାନରେ କେଉଁଠି ମଧ୍ୟ ଉପମୁଖ୍ୟମନ୍ତ୍ରୀ ପଦର ବ୍ୟାଖା କରାଯାଇ ନାହିଁ ।
ଦୀପାବଳି ଦିନ ଅର୍ଥାତ ଅକ୍ଟୋବର ୨୭ରେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦ ଓ ଦୁଷ୍ୟନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନଥିଲା । ଯାହା ପରେ ବିଜେପି ଓ ଜେଜେପି ମିଶି ରାଜ୍ୟରେ ସରକାର ଗଢିଛି ।
ବର୍ତ୍ତମାନ ଯାଏ ଖଟ୍ଟର ସରକାରରେ କ୍ୟାବିନେଟ ଗଠନ ହୋଇ ପାରିନାହିଁ । ନିୟମାନୁସାରେ ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ୧୩ ଜଣ ମନ୍ତ୍ରୀ ସାମିଲ ହୋଇ ପାରିବେ । ଚଳିତ ନିର୍ବାଚନରେ ହରିୟାଣାର ୯୦ ବିଧାନସଭା ଆସନରୁ ବିଜେପିକୁ ୪୦, କଂଗ୍ରେସକୁ ୩୧, ଜେଜେପିକୁ ୧୦ ଓ ଅନ୍ୟାନ୍ୟକୁ ୯ଟି ଆସନ ମିଳିଛି ।