ଗୋଲାପୀ ନୋଟ୍ ବର୍ଷା

ଯେତେବେଳେ ବାରାତ୍ ଘରୁ ବାହାରୁଥିଲା ୨ ହଜାର ଟଙ୍କିଆ ନୋଟ୍ ଆକାଶରେ ଉଡ଼ିବାକୁ ଲାଗିଥିଲା

ଗୋଲାପୀ ନୋଟ୍ ବର୍ଷା
ସୌଜନ୍ୟ: ସୋସିଆଲ ମିଡିଆ

ଜିନୁ ଜେନା, ଭୁବନେଶ୍ୱର: ଏବେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଚାଲିଛି ଆର୍ଥିକ ମାନ୍ଦାବସ୍ଥା । ଏ ନେଇ ବିଭିନ୍ନ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲରେ ଦେଖିଥିବେ ବିତର୍କ । ସବୁଠି ଏ ନେଇ ଖବର ବି ଶୁଣିବାକୁ ମିଳୁଛି । ଆପଣ ଭାବି ପାରୁଛନ୍ତି କି ଏଭଳି ସମୟରେ, କେଉଁଠି ଟଙ୍କା ବର୍ଷା ହେଉଥିବ ? ହଁ, ଠିକ୍ ପଢିଛନ୍ତି । ଏମିତି କିଛି ଘଟଣା ଘଟିଛି ଗୁଜରାଟ ଜାମନଗରରେ । ଯାହାକୁ ସୋସିଆଲ ମିଡିଆରେ ନିଶା ଗୋଣ୍ଡଲିଆ ଭାଇରାଲ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜମି ମାଫିଆ ଜୟେଶ ପଟେଲଙ୍କ ଜଣେ ବନ୍ଧୁ ଯଶପାଲ ସିଂହ ଜାଡେଜାଙ୍କ ଭାଇର ବାହାଘରରେ ଟଙ୍କା ବା ନୋଟ୍ ବର୍ଷା କରିଛନ୍ତି । ଯେତେବେଳେ ବାରାତ୍ ଘରୁ ବାହାରୁଥିଲା ୨ ହଜାର ଟଙ୍କିଆ ନୋଟ୍ ଆକାଶରେ ଉଡ଼ିବାକୁ ଲାଗିଥିଲା । ଲାଗୁଥିଲା ଯେମିତି ଟଙ୍କାର ଘୂର୍ଣ୍ଣିଝଡ଼ ଅଚାନକ କୋଉଠୁ ମାଡ଼ି ଆସିଥିଲା ।

ଏ ଭଳି ଦୃଶ୍ୟ ପୂରା ବାରତୀ ସରିବା ଯାଏ ଜାରି ରହିଥିଲା । ଆକାଶରୁ ଅହରହ ଗୋଲାପୀ ନୋଟ୍ ତଳକୁ ଖସୁଥିଲା । ତେବେ ବିଟ୍ କଏନ ମାମଲାରେ ନିଶା ଗୋଣ୍ଡଲିଆ ଓରଫ୍ ଜୟେଶ ପଟେଲଙ୍କ ସମ୍ପୃକ୍ତି ଥିବା ନେଇ ଘଟଣା ପଦାକୁ ଆସିଛି । ଏହି ଭିଡିଓ ନିଶା ଭାଇରାଲ କରିଛନ୍ତି । ତେବେ ଆପଣଙ୍କୁ କହି ରଖୁଛୁ ଯେ, ଏଭଳି ବିତ୍ତଶାଳୀ ଲୋକଙ୍କ ବାହାଘରରେ ଟଙ୍କାର ବେଶୀ ମୂଲ୍ୟ ନଥାଏ । ସେ ଦୁଇ ହଜାର ଟଙ୍କିଆ ନୋଟ ହେଉ କି ଦୁଇଶହ ଟଙ୍କିଆ ନୋଟ୍ । ତେବେ ଟଙ୍କା ବର୍ଷା କରାଉଥିବା ଲୋକେ ଆଖି ପିଛୁଳାକେ କୋଟି କୋଟି ଟଙ୍କା ଶୂନ୍ୟରେ ଉଡ଼ାଇ ଦେଇଛନ୍ତି । ଯାହା ସେମାନଙ୍କ ପାଇଁ ଏକ ଶୌକ ଅଟେ ।