close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବାଘ-ସିଂହ ଲଢ଼େଇରେ ମାଂସ ଖାଇବାକୁ ଅପେକ୍ଷା କରିଛି ଶାଗୁଣା

ଗତବର୍ଷ ଅଗଷ୍ଟ ମାସରେ ଓଡ଼ିଶାରେ ପୋଲିସ-ଆଇନଜୀବୀ ମଧ୍ୟରେ ବିବାଦ ଦେଖା ଦେଇଥିଲା

ବାଘ-ସିଂହ ଲଢ଼େଇରେ ମାଂସ ଖାଇବାକୁ ଅପେକ୍ଷା କରିଛି ଶାଗୁଣା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ଜଙ୍ଗଲର ରାଜା ସିଂହ । ଏକଦା ଜଙ୍ଗଲରେ ପାଣି ସରି ଯିବାରୁ ଜଙ୍ଗଲରେ ପାଣି ପାଇଁ ହାହାକାର ଦେଖାଦେଇଥିଲା । ପାଣି ନ ପାଇ ଅନେକ ପଶୁ ପକ୍ଷୀ ପ୍ରାଣ ହରାଇଥିଲେ । ସିଂହକୁ ବି ଭାରି ଶୋଷ ହୋଇଥିଲା । ପାଣି ପାଇଁ ସିଏ ବି ଜଙ୍ଗଲ ଭିତରେ ଇଆଡ଼େ ସିଆଡ଼େ ଘୂରି ବୁଲୁଥିଲା । ଏହି ସମୟରେ ହଠାତ୍ ସିଂହର ନଜର ଏକ ଝରଣା ପାଣି ଉପରେ ପଡ଼ିଗଲା । ଝରଣା ପାଖକୁ ଗଲାବେଳେ ବୀପରିତ ଦିଗରୁ ଏକ ମହାବଳ ବାଘ ଦୌଡ଼ି ଆସି ସିଂହ ସାମ୍ନାରେ ଛିଡ଼ା ହୋଇ ଗର୍ଜନ କଲା । ବାଘ ଓ ସିଂହ ମଧ୍ୟରେ ତ ଅହିନକୂଳ ସମ୍ପର୍କ । ସେ ଦୃଷ୍ଟିରୁ ପାଣି ପାଇଁ ସେଠାରେ ବି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ଉପରେ ଉଡ଼ୁଥିବା ଦୁଇଟି ଶାଗୁଣା ନିଜ ନିଜ ଭିତରେ କଥା ହେବାରେ ଲାଗିଲେ । ଆରେ ଏମାନଙ୍କ ଭିତରୁ ଯିଏ ମରିବ, ତା' ମାଂସ ଖାଇବାକୁ ଆମକୁ ମିଳିବ । କିଛି ସମୟ ପରେ ଶାଗୁଣା ଦୁଇଟି ସେମାନଙ୍କ ଅନ୍ୟ ସାଥୀମାନଙ୍କୁ ଡାକିବାରେ ଲାଗିଲେ । ଅନେକ ଗୁଡ଼ିଏ ଶାଗୁଣା ଏକାଠି ହୋଇ ହୋହଲ୍ଲା କଲାବେଳେ ସିଂହର ନଜର ଉପରେ ପଡ଼ିଥିଲା । ସଙ୍ଗେ ସଙ୍ଗେ ସିଂହ ବାଘକୁ କହିଲା, ଚାଲ୍ ଆମେ ପରସ୍ପର ଝଗଡ଼ା ନ କରି ଦୁହେଁ ମିଶି ପାଣି ପିଇବା । ସିଂହର କଥାରେ ବାଘ ମଧ୍ୟ ରାଜି ହେଲା ଏବଂ ଦୁହେଁ ମିଶି ପାଣି ତକ ପିଇଲେ । ଫାଇଦା ନେବାକୁ ଚେଷ୍ଟା କରୁଥିବା ଶାଗୁଣାମାନେ ଶେଷରେ ନିରାଶ ହୋଇ ଫେରିଗଲେ ।

ଦିଲ୍ଲୀରେ ବର୍ତ୍ତମାନ ପୋଲିସ ଏବଂ ଆଇନଜୀବୀ ମଧ୍ୟରେ ଘମାସାନ ଲଢ଼େଇ ଚାଲିଛି । ଗୋଟେପଟେ ଓକିଲଙ୍କ ଔଦ୍ଧତ୍ୟ ଓ ଅନ୍ୟପଟେ ପୋଲିସର ଜିଦ୍ । ଦୁଇ ଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଘୂରି ବୁଲୁଛି । ଏଥିରେ ଜଣେ ବାଇକରେ ଥିବା ପୋଲିସ କର୍ମୀଙ୍କୁ କେତେକ ଓକିଲ ମାଡ଼ ମାରୁଛନ୍ତି । ଓକିଲ ଜଣଙ୍କ ପ୍ରଥମେ କହୁଣୀରେ ମାରିବା ପରେ ପୋଲିସ କର୍ମୀ ଜଣଙ୍କ ସେଠାରୁ ମାଡ଼ ଖାଇ ଯିବା ସମୟରେ ପଛରୁ ତାଙ୍କ ଉପରକୁ ହେଲମେଟ୍ ଫିଙ୍ଗା ଯାଉଛି । ଯେକେହି ଏହି ଭିଡିଓ ଦେଖିଲେ ଉକ୍ତ ପୋଲିସ କର୍ମୀଙ୍କ ପ୍ରତି ସହାନୁଭୂତି ଦେଖାଇବ । ଆଉ ଦେଖାଇବା ସ୍ୱାଭାବିକ । କାରଣ ସମାଜରେ ଯିଏ ରକ୍ଷକ ସାଜି ଲୋକଙ୍କୁ ସୁରକ୍ଷା ଦେଉଛି, ସିଏ ଯଦି ମାଡ଼ ଖାଇବ ତାହା ନିଶ୍ଚିତ ଭାବେ ଦୁଃଖର ବିଷୟ । ଗତ ଶନିବାର ଦିନ ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ପାର୍କିଂ ବିବାଦକୁ ନେଇ ପୋଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ପୋଲିସ କୋର୍ଟ ପରିସରରେ ଆକାଶକୁ ଫାଏରିଂ କରିଥିଲା । ଏହାପରେ ଓକିଲମାନେ ପୋଲିସ ଭ୍ୟାନରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ କୋଡ଼ିଏ ଜଣ ପୋଲିସ ଅଧିକାରୀ ଆହତ ମଧ୍ୟ ହୋଇଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହେଲା ମହାଭାରତ । ଓକିଲମାନେ ଯେଉଁଠି ପୋଲିସକୁ ଦେଖିଲେ ଛେଚିବାରେ ଲାଗିଲେ । ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । ସେହିପରି ପୋଲିସକୁ ମାଡ଼ ପରେ ଏବେ ପୋଲିସବାଲା ମାନେ ବର୍ଦ୍ଦି ପିନ୍ଧି ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଏହାକୁ ବିରୋଧ କରି ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ ପକ୍ଷରୁ ବିରୋଧ ପ୍ରଦର୍ଶନ କରିଥିଲେ । ଦୀର୍ଘ ୧୦ ଘଣ୍ଟା ଧାରଣାରେ ବସିବା ପରେ ଅବଶ୍ୟ ପୋଲିସମାନେ ଧାରଣାରୁ ଓହରିଛନ୍ତି । ତେବେ ସକାଳେ ଧାରଣାରେ ବସିଥିବା କେତେକ ପୋଲିସଙ୍କ ମନରୁ କୋହ ବାହାରିବା ସହ କେତେକ ପୋଲିସ ଘଟଣାକୁ ନିନ୍ଦା କରି ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ଅନ୍ୟପଟେ ଓକିଲମାନେ ମଧ୍ୟ ତିନି ଦିନ ଧରି ଧାରଣାରେ ବସିଛନ୍ତି । କିନ୍ତୁ ଦୁହିଁଙ୍କ ସତ୍ୟାଗ୍ରହ ଯୁଦ୍ଧ ଭିତରେ ଶାଗୁଣା ଭାବେ ମୁ୍ଣ୍ଡ ପୂରାଇଛନ୍ତି କେତେକ ରାଜନୈତିକ ଦଳ । ଦୁହିଁଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ । ଦିଲ୍ଲୀ ସରକାର ଏହାର ଶୀଘ୍ର ସମାଧାନ ଚାହାନ୍ତି ବୋଲି ସେ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଦିଲ୍ଲୀ ସରକାର କିଭଳି ସମାଧାନ ଚାହୁଁଛନ୍ତି ?

ଜଣେ ହେଉଛି ଆଇନ ରକ୍ଷକ ଓ ଅନ୍ୟଜଣଙ୍କ ଆଇନଜ୍ଞ । ସମାଜ ପ୍ରତି ଦୁହିଁଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଅନେକ ସମୟରେ ଦୁହିଁଙ୍କ ମଧ୍ୟରେ ବିବାଦ ଓ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି । ଗତବର୍ଷ ଅଗଷ୍ଟ ମାସରେ ଓଡ଼ିଶାରେ ପୋଲିସ-ଆଇନଜୀବୀ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଘଟଣା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟକୁ ମଧ୍ୟ ଯାଇଥିଲା । ପ୍ରାୟ ଅଢ଼େଇ ମାସ କାଳ ଆନ୍ଦୋଳନ ଚାଲିବା ପରେ ଶେଷରେ ତିନି ଜଣ ଓକିଲ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲେ । ଦେଶରେ ଆହୁରି ଏଭଳି ଅନେକ ଉଦାହରଣ ରହିଛି । ତେଣୁ ଦିଲ୍ଲୀ ଘଟଣାରେ ବି ସମାଧାନ ହେବା ନିହାତି ଜରୁରୀ । ଗର୍ବ ଏବଂ ଅହଂକାର ମଣିଷକୁ ସର୍ବନାଶ କରିଦିଏ । ଜଣେ ଯଦି ମୁଣ୍ଡ ନୁଆଁଇ ଦିଏ, ସିଏ ମହାନ୍ ସାବ୍ୟସ୍ତ ହୋଇଥାଏ । ଅନ୍ୟପଟେ ଏହାକୁ ନେଇ ରାଜନୀତିର ରୁଟି ସେକିବାକୁ ରାଜନୈତିକ ଦଳ ପ୍ରସ୍ତୁତ ଅଛନ୍ତି । ବାଘ ଓ ସିଂହ ଲଢ଼େଇ ମଧ୍ୟରେ ଯେମିତି ମାଂସ ଖାଇବାକୁ ଶାଗୁଣାମାନେ ଅପେକ୍ଷା କରିଥିଲେ, ଠିକ୍ ସେହିଭଳି ରାଜନୈତିକ ଦଳ ଗୁଡ଼ିକ ନିଜର ଫାଇଦା ପାଇଁ ଏବେ ଏହି ବିବାଦରେ ମୁଣ୍ଡ ପୂରାଇଛନ୍ତି । ତେଣୁ, ଏଥିରେ କାହାର ବି ଫାଇଦା ହେବ ନାହିଁ । ବାଘ ଓ ସିଂହ ଭଳି ଝରଣାର ପାଣିକୁ ମିଶିକି ପିଇଲା ଭଳି ପୋଲିସ ଓ ଆଇନଜୀବୀ ମଧ୍ୟ ପରସ୍ପର ଭିତରେ ଶୀଘ୍ର ହିଁ ସମାଧାନର ରାସ୍ତା ବାହାର କରିବା ନିହାତି ଜରୁରୀ, ନଚେତ୍ ଜିଦି ଓ ଅହଂକାର ଯୋଗୁ ସାରା ଦେଶ ପ୍ରଭାବିତ ହେବ ।