ଧରାଇଦେଲା ଶାଳୀ...

ଚାରି ଛୁଆର ମା ବବଲି...ସେଲ୍ସ ମ୍ୟାନ ସହ ହୁଏ ପ୍ରେମ...ପ୍ରେମିକ ସହାୟତାରେ ସ୍ୱାମୀକୁ କରେ ହତ୍ୟା...ପରେ ଧରାଇଦିଏ ଶାଳୀ...

ଧରାଇଦେଲା ଶାଳୀ...
ପ୍ରତୀକାତ୍ମକ ଫଟୋ

ହିମାଂଶୁ ଶେଖର ସାମଲ, ନୂଆଦିଲ୍ଲୀ: ସେଲ୍ସ ମ୍ୟାନ ସହ ପ୍ରେମରେ ଉବଟୁବୁ ହେଲା ୪ଟି ଛୁଆର ମା ବବଲି । ମଦୁଆ ସ୍ୱାମୀ ପାଖରେ ଆଉ ରହିଲାନି ବବଲିର ମନ । ସାତ ଜନମର ସାଥୀକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେବା ପାଇଁ ପ୍ରେମିକର ସାହାରା ନେଲା । ଆଉ ଏଥିରେ ସଫଳ ବି ହେଲା । ହେଲେ ପୁରା ଘଟଣାକୁ ଦିଦିଙ୍କ ଦିଅରକୁ କହିଲା ମୃତକଙ୍କ ଶାଳୀ । ଖୋଲିଲା ଗୁମର । ଏମିତି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ଉତ୍ତରପ୍ରଦେଶ ଆଗ୍ରା ପୋଲିସ । 

୨୦ ବର୍ଷର ବୈବାହିକ ଜୀବନ । ୪ଟି ଛୁଆର ମା ବବଲି । ସ୍ୱାମୀ ହରିଓମ ତୋମାର ଜଣେ ରୂପା କାରିଗର । ଗହଣା ପିନ୍ଧିବାରେ ଅଭାବ ନଥିବ । ସିକନ୍ଦରାର ରାଧାନଗରରେ ଏକ ଭଡାଘରେ ରହୁଥିଲେ ପୁରା ପରିବାର । ହଠାତ ଗତ ନଭେମ୍ବର ୩ ତାରିଖରେ ନିଖୋଜ ହୋଇଯାଇଥିଲେ ହରିଓମ । ନଭେମ୍ବର ୪ ତାରିଖ ବେଳକୁ ୨ ଛୁଆଙ୍କୁ ଧରି ବବଲି ବି ଫେରାର । ଅନ୍ୟ ଦୁଇ ଛୁଆ ଜେଜେ ପାଖରେ । ୪ ଦିନ ଧରି ପୁଅ, ବୋହୂଙ୍କ ଖୋଜ ଖବର  ନମିଳିବା ପରେ ଗତ ନଭେମ୍ବର ୭ ତାରିଖରେ ଥାନାରେ ଏତଲା ଦେଇଥିଲେ ହରିଓମ ତୋମାରଙ୍କ ବାପା ରାଜବୀର ସିଂହ ତୋମାର । 

agra murder case

ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ବବଲି ଦୁଇ ଛୁଆଙ୍କ ସହ ଅନ୍ୟତ୍ର ଥିବା ଜଣାପଡିଥିଲା । ହେଲେ ହରିଓମଙ୍କ ଖୋଜ ଖବର ମିଳିନଥିଲା । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା, ଆଗ୍ରାର ଏକ ଦୋକାନରେ କାମ କରୁଥିବା କମଲ ମଧ୍ୟ କୁଆଡେ ଚମ୍ପଟ ମାରିଛି । ସନ୍ଦେହ ହେବାରୁ ହରିଓମଙ୍କ ସ୍ତ୍ରୀ ବବଲି ଏବଂ ସେଲ୍ସ ମ୍ୟାନ କମଲକୁ ଥାନାକୁ ଡାକି ପଚାରା ଉଚରା କଲା ପୋଲିସ ।  

ଶାଢୀ କିଣୁ କିଣୁ ପ୍ରେମ ହୋଇଥିଲା

ଅଭିଯୁକ୍ତ କମଲ ବୋଦଲା ଏକ ଶାଢୀ ସୋରୁମରେ ସେଲ୍ସ ମ୍ୟାନ ଭାବେ କାର୍ଯ୍ୟ କରେ ।   ବବଲି ସେହି ଦୋକାନକୁ ନିୟମିତ ଶାଢୀ କିଣିବାକୁ ଯାଉଥିଲା । ପରେ ସେଲ୍ସ ମ୍ୟାନ ସହ ପ୍ରେମ ସମ୍ପର୍କ ଗଢି ଉଠିଲା । ଏହି ସମୟରେ ବବଲିକୁ କେଉଁ ରଙ୍ଗର ଶାଢୀ ଭଲ ଲାଗିବ,  ସେ କମଲକୁ ପଚାରୁଥିଲା । ପରେ ଉଭୟଙ୍କ ମଧ୍ୟରେ ଫୋନ ନମ୍ବର ଦିଆନିଆ ହେଲା ।  କଥାବାର୍ତ୍ତା ଚାଲିଲା । ଘରକୁ ଯିବା ଆସିବା ଆରମ୍ଭ ହେଲା ।  

ପୋଲିସ ଯିବା ପରେ ହୋଇଥିଲା ହତ୍ୟା

ଘଟଣା ଦିନ ଅର୍ଥାତ ନଭେମ୍ୱର ୩ତାରିଖ ରାତିରେ ହରିଓମ ମଦ୍ୟପାନ କରି ଘରକୁ ଫେରିଥିଲେ । ସ୍ତ୍ରୀ ବବଲି ସହ ହରିଓମଙ୍କ ଝଗଡ଼ା ହୋଇଥିଲା । ପରେ ବବଲି ପ୍ରେମିକ କମଲକୁ ଏ ସମ୍ପର୍କରେ ଜଣାଇଥିଲା । ପୋଲିସକୁ ଡାକି ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲା କମଲ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ାକୁ ନେଇ ପୋଲିସ ବୁଝାସୁଝା କରି ପଳାଇଥିଲା । ପ୍ରେମିକ କମଲକୁ ଘରକୁ ଡାକି ପ୍ରେମର କଣ୍ଟା ସ୍ୱାମୀ ହରିଓମକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା ବବସଲି । ପରେ ଉଭୟ ମିଶି ହରିଓମର ଗଳା ଚିପି ହତ୍ୟା କରିଥିଲେ ।

ଅଟୋରେ ମୃତଦେହ ଫିଙ୍ଗି ନେଇଥିଲେ

ବବଲି ପୋଲିସକୁ କହିବା ଅନୁସାରେ, ସେମାନେ ଭୋର ୪ଟାରେ ଏକ ବାକ୍ସ ଭିତରେ ମୃତଦେହ ରଖି ଅଟୋରେ ଫିଙ୍ଗିବାକୁ ନେଇଥିଲେ । ବାଟରେ ଅଟୋ ଚାଳକ ସନ୍ଦେହ କରିଥିଲା । ଏପରିକି ଭିତରେ କଣ ଅଛି ବୋଲି ପଚାରିଥିଲା ମଧ୍ୟ । ହେଲେ ଉଭୟ ବବଲି ଓ କମଲ କଥାକୁ ଆଡେଇ ଟୁଡଲା ଷ୍ଟେସନ ଯିବେ ବୋଲି  କହିଥିଲେ । ପରେ ଉଭୟ ଅନ୍ୟ ଏକ ଅଟୋ ବଦଳାଇ କାନପୁର ଯିବାକୁ ଥିବା ଏକ ଶୂନଶାନ ରାସ୍ତାରେ ଓହ୍ଲାଇ ପଡ଼ିଲେ । କିଛି ଦୂର କମଲକୁ ଚାଲିବାକୁ ପଡିଲା । ପୋଲ ଉପରୁ ଯମୁନା ନଦୀରେ ବାକ୍ସକୁ ଫୋଫାଡି ଦେଲା । ପରେ ଉଭୟ ଦିଲ୍ଲୀ ପଳାଇ ଗଲେ ।

ଘଟଣାର ପର୍ଦ୍ଦାଫାଶ କଲା ଶାଳୀ

ହରିଓମର ହତ୍ୟା ହୋଇଯାଇଛି । ପୋଲିସକୁ କୌଣସି ସୂଚନା ନାହିଁ । ଘରଲୋକ ସୂଚନା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବବଲିର ଭଉଣୀ ହରିଓମର ସାନ ଭାଇକୁ  ଫୋନ କରି ହରିଓମଙ୍କ କଥା ପଚାରିଲା । ଭଉଣି ବବଲି ହରିଓମଙ୍କୁ ହତ୍ୟା କରିଥିବା ସେ କହିଲା । ଶାଳୀ ଚିତ୍ରାଠୁ ସୂଚନା ମିଳିବା ପରେ ସମସ୍ତେ ଚିନ୍ତାରେ ପଡ଼ିଗଲେ । ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କଲା ।