)
କୋଲକାତା: ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରକରି ମୁହାଁମୁହିଁ ହୋଇଥାନ୍ତି କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବଂ ପଶ୍ଚିମବଙ୍ଗର ଶାସନଗାଦିରେ ବସିଥିବା ମମତା ବାନାଜୀଙ୍କ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସ(ଟିଏମସି) ସରକାର | ହେଲେ ରାଜନୈତିକ ହିଂସାକାଣ୍ଡକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ | ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ ହେଉଥିବା ବେଳେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ପ୍ରାକ୍ ପ୍ରାୟୋଜିତ ଭାବେ ରାଜ୍ୟରେ ପ୍ରସାର କରୁଛି |
ଭିଡିଓ କନଫରେନ୍ସି ମାଧ୍ୟମରେ ପଶ୍ଚିମବଙ୍ଗରେ ଜନସମ୍ବାଦ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଦେଶରେ ତୃଣମୂଳସ୍ତରରୁ ଗଣତାନ୍ତ୍ରିକ ବ୍ୟବସ୍ଥା ଦୃଢୀଭୂତ ହେଉଥିବା ବେଳେ ପଶ୍ଚିମବଙ୍ଗରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି | ଯେଉଁଠି ରାଜନୈତିକ ହିଂସାକାଣ୍ଡ ଭିଆଇବା ପାଇଁ ପୂର୍ବପ୍ରସ୍ତୁତି କରାଯାଉଛି | ଏହା ପ୍ରଚ୍ଛଦପଟରେ ଶାସକ ଦଳର ଭୂମିକା ରହିଛି | ବିଜେପିର ଦଳୀୟ କର୍ମକର୍ତ୍ତାଙ୍କୁ ହତ୍ୟା, ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ସଂଶୋଧିତ ନାଗରିକତା ଆଇନ(ସିଏଏ)କୁ ବିରୋଧ କରିବାକୁ ନେଇ ଟିଏମସି ମୁଖିଆଙ୍କୁ ଘେରିଛନ୍ତି ସେ |
ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରୁନଥିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ପଶ୍ଚିବଙ୍ଗର ଗରିବ ଲୋକଙ୍କ ମାଗଣା ଏବଂ ଗୁଣାତ୍ମକ ଚିକିତ୍ସା ସହାୟତା ପାଇବା ଅଧିକାର ନାହିଁ କି? କାହିଁକି ଏଭଳି ଲାଭଦାୟକ ଯୋଜନା ଏଠାରେ ଲାଗୁ ହୋଇନାହିଁ | ଗରିବଙ୍କ ଅଧିକାର ଉପରେ ରାଜନୀତି କରିବା ବନ୍ଦ କର | ଆପଣ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜନୀତି କରିପାରିବେ, କିନ୍ତୁ ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନୁହେଁ |
ପଶ୍ଚିମବଙ୍ଗ ସରକାର ଉପରେ ଆକ୍ରମଣ କରି ଶାହା କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ଲୋକେ ଲାଭ ଉଠାଉଛନ୍ତି | ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି ହେଲେ ଆପଣ କାହିଁକି ଏହି ଯୋଜନାକୁ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ କରିବାକୁ ଦେଉନାହାଁନ୍ତି? ମୁଁ ଏବଂ ରାଜ୍ୟବାସୀ ଆପଣଙ୍କୁ ଏହାର ଉତ୍ତର ଜାଣିବାକୁ ଚାହୁଁଛୁ |
ତୃଣମୂଳ କଂଗ୍ରେସ ସରକାର ଦୁର୍ନୀତିର ପୃଷ୍ଠପୋଷକତା ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶାହ | ଏନେଇ ସେ କହିଛନ୍ତି, "ସବୁ ଜାଗାରେ ଦୁର୍ନୀତି ହୋଇଛି | ଆମ୍ଫାନ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ରାଜ୍ୟବାସୀଙ୍କୁ ସହାୟତା ପ୍ରଦାନ କରିବାରେ ଆପଣଙ୍କ ସରକାର ବିଫଳ ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି |
ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରମିକ ସ୍ପେଶାଲ ଟ୍ରେନ ପଶ୍ଚିମବଙ୍ଗ ଆସିବାକୁ ଥିବା ବେଳେ, ଆପଣ ଏହାକୁ କୋରୋନା ଏକ୍ସପ୍ରେସ କହି ଏହାର ମଜାକ ଉଡାଇଥିଲେ | ଏହି ଶ୍ରମିକ ଏବେ ନିଶ୍ଚିତ ହଇଗଲେଣୀ ଯେ, ଆପଣ କ୍ଷମତାରୁ ଯିବା ଥୟ |
ସଂଶୋଧିତ ନାଗରିକତା ଆଇନକୁ ମମତା ବାନାର୍ଜୀଙ୍କ ବିରୋଧ ଉପରେ ଅମିତ ଶାହା କହିଛନ୍ତି, ସେ କ'ଣ ପାଇଁ ଏହାକୁ ବିରୋଧ କରୁଛନ୍ତି ତାହା ସେ ସ୍ପଷ୍ଟ କରିବା ଆବଶ୍ୟକ । ଯଦି ନାମଶୂଦ୍ର ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକେ ଦେଶରେ ସମ୍ମାନର ସହ ବସବାସ କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଆପଣଙ୍କର ଅସୁବିଧା କ'ଣ ରହିଛି |
ଯଦିଓ ଆମକୁ ୨୦୧୯ ଲୋକସଭା ନିର୍ବାଚନରେ ୩୦୩ ଆସନ ମିଳିଛି, ହେଲେ ଏହା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆମେ ପଶ୍ଚିମବଙ୍ଗରେ ୧୮ଟି ଆସନରେ ବିଜୟ ଲାଭ କରିଛୁ | ଗତ ୨୦୧୪ ମସିହାରୁ ରାଜ୍ୟରେ ଅନେକ ବିଜେପି କର୍ମୀ ହତ୍ୟାର ଶିକାର ହୋଇଛନ୍ତି | ବିଗତ ୬ ବର୍ଷ ମଧ୍ୟରେ ରାଜନୈତିକ ହିଂସାକାଣ୍ଡ କାରଣରୁ ୧୦୦ରୁ ଅଧିକ ବିଜେପି କର୍ମୀ ପ୍ରାଣ ହରାଇଛନ୍ତି | ମୁଁ ସେମାନଙ୍କ ପରିବାରକୁ ମୋର ସମ୍ମାନ ଜଣାଉଛି କାରଣ ସେମାନେ ସୁନାର ବଙ୍ଗଳାର ନିର୍ମାଣରେ ସହଯୋଗ କରିଛନ୍ତି | ଦଳୀୟ ସମର୍ଥକ ଏବଂ କର୍ମକର୍ତ୍ତାଙ୍କ ହତ୍ୟା ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଟିଏମସି ସରକାରଙ୍କୁ ଘେରିଛନ୍ତି |
ଗୃହମନ୍ତ୍ରୀ ଶାହାଙ୍କ ଭର୍ଚ୍ୟୁଆଲ ରାଲି ହେଉଛି ବିଜେପିର 'ଆତ୍ମନିର୍ଭର ଭାରତ' ଅଭିଯାନର ଏକ ଅଂଶ | ଗତ କିଛି ବର୍ଷ ପୂର୍ବେ ପଶ୍ଚିମବଙ୍ଗରେ ୯ ବର୍ଷ ଧରି ଶାସନ କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନ ବିରୋଧରେ ବିଜେପି ପକ୍ଷରୁ ୯ ପଏଣ୍ଟ ଚାର୍ଜସିଟ୍ ପ୍ରକାଶ ପାଇଛି | ଏହା ସହିତ ଆଗାମୀ ପଶ୍ଚିମବଙ୍ଗ ବିଧାମସଭା ନିର୍ବାଚନରେ ଟିଏମସିକୁ ମାତ ଦେବା ପାଇଁ ବିଜେପି ପକ୍ଷରୁ ସୋସିଆଲ ମିଡିଆରେ 'ଆର ନୋଏ ମମତା' (ଆଉ ମମତାଙ୍କ ନିୟମ ନୁହେଁ) କ୍ୟାମ୍ପେନ ଆରମ୍ଭ କରାଯାଇଛି |