ଅପରାଧମୁକ୍ତ ହେବ ରାଜନୀତି

ଅପରାଧ ମୁକ୍ତ ରାଜନୀତି  

ଅପରାଧମୁକ୍ତ ହେବ ରାଜନୀତି

ନୂଆଦିଲ୍ଲୀ: ରାଜନୀତି ହେବ ଅପରାଧମୁକ୍ତ । ଦୁଇବର୍ଷ ପୂର୍ବରୁ ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ସମସ୍ତ ରାଜନୈତିକ ଦଳଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି  । ଏଣିକି ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଘୋଷଣା କରାଯିବା ସହ ସମସ୍ତ ଆପରାଧିକ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେବାକୁ ପଡ଼ିବ । ଆପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ କୌଣସି ଦଳ ଟିକେଟ୍ ଦେଲେ ଏହାର କାରଣ ନିର୍ବାଚନ କମିଶନଙ୍କୁ ଦର୍ଶାଇବାକୁ ପଡ଼ିବ । ସମ୍ପୃକ୍ତ ପ୍ରାର୍ଥୀ ଯଦି କୌଣସି ରେଜିଷ୍ଟାର୍ଡ ଦଳ ଟିକେଟରେ ନିର୍ବାଚନ ଲଢୁଥାନ୍ତି, ତାହେଲେ ସମ୍ପୃକ୍ତ ପାର୍ଟି ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଜଣାଇବା ସହ ସମ୍ପୃକ୍ତ ରାଜନୈତିକ ଦଳ ନିଜ ୱେବ୍ ସାଇଟରେ ମଧ୍ୟ ଏ ନେଇ ପ୍ରକାଶ କରିବା ବାଧ୍ୟତାମୂଳକ । 

ରାଜନୈତିକ ଦଳ ଉପରେ ଅଙ୍କୁଶ ଲଗାଇବାକୁ ଗତ ୨୫ ଅକ୍ଟୋବର ୨୦୧୮ରେ ଦାୟର ହୋଇଥିଲା ମାମଲା । ରାଜନୈତିକ ଦଳଗୁଡ଼ିକୁ ପ୍ରାର୍ଥୀଙ୍କ ସମ୍ପର୍କରେ ନୋଟିଫିକେସନ ସମୟରେ ଟ୍ରାନ୍ସପରେନ୍ସି ଅବଲମ୍ବନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହିତ ପ୍ରାର୍ଥୀଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ଥିଲେ ତାହା ବଡ଼ ବଡ଼ ଅକ୍ଷର ବା ବୋଲ୍ଡ ଲେଟରରେ ଉଲ୍ଲେଖ କରିବାକୁ ପଡ଼ିବ । ନିଜ ଆପରାଧିକ ରେକର୍ଡକୁ ଲୁଚାଇ ପ୍ରାର୍ଥୀ ହେବା ଏଣିକି ଆଉ ସମ୍ଭବପର ହେବ ନାହିଁ ।  

ଆବେଦକ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ, ବିଭିନ୍ନ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଏବଂ ରାଜନୈତିକ ଦଳ ଉପରେ ଅଙ୍କୁଶ ଲଗାଇବାକୁ ସୁପ୍ରିମ କୋର୍ଟଙ୍କ ଆଦେଶ ପାଳନ କରିବାରେ ନିର୍ବାଚନ କମିଶନ ବିଫଳ ହୋଇଥିବା ନେଇ ଅଭିଯୋଗ ଆଣିଥିଲେ ।  ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ଏହାକୁ ଦେଶର ପ୍ରାୟ ସମସ୍ତ ରାଜନୈତିକ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିବା ବେଳେ ଜନତାଙ୍କୁ ଅନ୍ଧାରରେ ରଖି ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ଉପରେ ଏବେ ଲାଗିଛି ଅଂକୁଶ  ।