ପ୍ରଦୂଷଣ ସହରକୁ ସାହା କୋଇଲା ଚୁଲା କଟକଣା

ପ୍ରଦୂଷଣ ମାତ୍ରାକୁ ଆଖିରେ ରଖି ଚିନ୍ତା ପ୍ରକଟ କରିଛନ୍ତି ଜାତୀୟ ସବୁଜ ପ୍ରାଧିକରଣ ବା NGT ।  

ପ୍ରଦୂଷଣ ସହରକୁ ସାହା କୋଇଲା ଚୁଲା କଟକଣା
ପ୍ରତୀକାତ୍ମକ ଫଟୋ

ସୁଚିତ୍ରା ସେଣ୍ଟ, ନୂଆଦିଲ୍ଲୀ: ଦିନକୁ ଦିନ ଗ୍ରାସି ଚାଲିଛି ପ୍ରଦୂଷଣ ରାକ୍ଷସ । ଫଳରେ ଓଡ଼ିଶା ସମେତ ସାରା ଦେଶରେ ସାଧାରଣ ଜୀବନ ପ୍ରଭାବିତ ହେବାରେ ଲାଗିଛି ।  ତେଣୁ,  ପ୍ରଦୂଷଣ ମାତ୍ରାକୁ ଆଖିରେ ରଖି ଚିନ୍ତା ପ୍ରକଟ କରିଛନ୍ତି ଜାତୀୟ ସବୁଜ ପ୍ରାଧିକରଣ ବା NGT ।  ଆଉ ନେଇଛନ୍ତି କୋଇଲା ଚୁଲା ବନ୍ଦ କରିବା ପାଇଁ ନିଷ୍ପତ୍ତି । ଅନୁଗୁଳ ଜିଲ୍ଲାର ଦୁଇଟି ସହରରେ ଏଭଳି ପଦକ୍ଷେପ ନେବା ପରେ ଏବେ ରାଜ୍ୟର ଅନ୍ୟ କେତେକ ପ୍ରମୁଖ ସହରରେ ମଧ୍ୟ ଏହା ଲାଗୁ ହୋଇପାରେ । 

ପ୍ରଦୂଷଣ ସମସ୍ୟା ଏବେ ଉଦବେଗଜନକ ସ୍ଥିତିରେ ପହଞ୍ଚିଲାଣି । କିଭଳି ଏହାକୁ କମ୍ କରାଯିବ ସେ ନେଇ ସରକାର ତଥା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ମୁଖ୍ୟତଃ ଯେଉଁ ସହର ଗୁଡିକରେ ପ୍ରଦୂଷଣର ମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଉଛି, ସେହି ସହରରେ କିଭଳି ପ୍ରଦୂଷଣକୁ ନିୟନ୍ତ୍ରଣ କରାଯିବ ସେ ନେଇ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି । ତେବେ ପ୍ରଦୂଷଣର ମାତ୍ରା ବଢ଼ିଥିବା ସହର ଭାବେ ଅନୁଗୁଳ ଓ ତାଳଚେର ପାଇଁ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି । ଆଉ ଏହାର ପ୍ରତିକାର ସ୍ୱରୂପ ଏକ ବିଶେଷ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଏହି ଦୁଇ ସହରରେ କୋଇଲା ଚୁଲାରୁ ନିର୍ଗତ ଧୂଆଁ ପରିବେଶ ପ୍ରଦୂଷଣର ଅନ୍ୟତମ କାରଣ ପାଲଟିଛି । ଏଥିପାଇଁ କୋଇଲା ଚୁଲା ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି NGT । 

2

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ କୁହାଯାଇଛି ଯେ, କୋଇଲା ଚୁଲାରୁ ନିର୍ଗତ ଧୂଆଁରେ ବିଭିନ୍ନ ପ୍ରକାରର ବିଷାକ୍ତ ରାସାୟନିକ ପଦାର୍ଥର ମାତ୍ରା ଅଧିକ ରହିଛି । ଯାହାକି ଜିଲ୍ଲାର ଏହି ଦୁଇ ସହରରେ ଧାର୍ଯ୍ୟ ସୀମା ଅତିକ୍ରାନ୍ତ କରି ସାରିଲାଣି । ତେଣୁ, ଏସବୁ କୋଇଲା ଚୁଲାର ଧୂଆଁ ଲୋକଙ୍କ ପାଇଁ ବିଷ ସଦୃଶ । ଏହି ଧୂଆଁ ଫଳରେ ଅନେକ ରୋଗ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ଅନୁଗୁଳ, ତାଳଚେର, କଟକ, ବାଲେଶ୍ଵର ଓ ରାଉରକେଲା ଭଳି ୫ଟି ସହରରେ କୋଇଲା ଚୁଲା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

5

୨୦୧୮ ମସିହା ସୁଦ୍ଧା ଅନୁଗୁଳ ଓ ତାଳଚେର ସହର ପ୍ରଦୂଷଣରେ ଏକ ସଙ୍କଟପୂର୍ଣ୍ଣ ସ୍ଥିତିରେ ପହଞ୍ଚିଥିଲା । ଏହି ସ୍ଥିତି ଲାଗି ରହିଲେ ଦିଲ୍ଲୀ ଭଳି ସ୍ଥିତି ହେବାକୁ ବେଶୀ ଦିନ ଲାଗିବନାହିଁ ।   ଏଣୁ ସରକାର ଓ NGT ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।  ମୁଖ୍ୟତଃ ଅନୁଗୁଳ ଓ ତାଳଚେର ଜିଲ୍ଲାର ଜାତୀୟ ରାଜପଥ କଡ଼ରେ ଥିବା ଢାବା ସହ ଅନେକ ପରିବାରରେ କୋଇଲା ଚୁଲାରେ ରୋଷେଇ ହେଉଛି । ମୁଖ୍ୟତଃ ଶୀତ ଦିନରେ କିମ୍ବା କୋହଲା ପାଗ ବେଳେ ଏହି କୋଇଲା ଚୁଲାର ଧୂଆଁ ପବନରେ ବିସ୍ତାରି ପାରେ ନାହିଁ ।  ଫଳରେ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ବେଶି ବୃଦ୍ଧି ପାଇଥାଏ । ଏଣୁ ଲୋକଙ୍କୁ ସଚେତନ କରିବା ସହ ଏସବୁ ଚୁଲାକୁ ବନ୍ଦ କରିବା ପାଇଁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ନିଷ୍ପତ୍ତି ନେଇଛନ୍ତି ।

ତେବେ ପ୍ରଦୂଷଣ ମାତ୍ରା ବୃଦ୍ଧି ହେତୁ ପ୍ରତିବର୍ଷ ରାଜ୍ୟରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ୨୦୧୮ ମସିହାରେ ଲାନସେଟ୍ ରିପୋର୍ଟ ଅନୁସାରେ, ଓଡ଼ିଶାରେ ବାୟୁ ପ୍ରଦୂଷଣ ଯୋଗୁଁ ୩୧ ହଜାର ୧୭୮ ଜଣ ଲୋକ ପ୍ରାଣ ହରାଇଥିଲେ । ସେହପରି ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ପ୍ରାୟ ୬୫।୩ ପ୍ରତିଶତ ଲୋକଙ୍କ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ହେଉଛି ।  ତନ୍ମଧ୍ୟରୁ ୧୭ ହଜାର ୬୩୩ ଜଣ ଲୋକ ଗୃହ ନିର୍ମାଣରୁ ହେଉଥିବା ପ୍ରଦୂଷଣ କାରଣରୁ ପ୍ରାଣ ହରାଇଛନ୍ତି ଏବଂ ୧୧ ହଜାର ୯୮୫ ଜଣ ଲୋକ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାଣ ହରାଇଛନ୍ତି । 

3
ତେବେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ହୃତ୍ ଜନିତ ରୋଗ ଏବଂ ଶ୍ୱାସ ଜନିତ ରୋଗରେ ପ୍ରାଣ ହରାଇଛନ୍ତି ।  ଅନ୍ୟପଟେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇଲେ ଓଡ଼ିଶାର ଲୋକଙ୍କ ଆୟୁଷ ୧।୨ ବର୍ଷ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ସେହପରି ସହରାଞ୍ଚଳ ବାୟୁ ପ୍ରଦୂଷଣ ପାଇଁ ମୁଖ୍ୟତଃ ଶିଳ୍ପ ଓ କଳ କାରଖାନା ଦାୟୀ ରହିଥିବା ହେତୁ ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ ଓ ରାଉରକେଲାର ଶିଳ୍ପଗୁଡ଼ିକୁ ରେଡ୍, ଓରେଞ୍ଜ ଓ ଗ୍ରୀନ୍ ଭଳି ତିନିଟି କାଟାଗୋରୀରେ ବିଭକ୍ତ କରାଯାଇଛି ।  ତେଣୁ ଏ ସବୁ ପ୍ରତି ଏବେଠୁ ଧ୍ୟାନ ଦେବା ନିହାତି ଆବଶ୍ୟକ ।

ଆହୁରି ପଢ଼ନ୍ତୁ; ମୁଁ ନର୍ସରୁ କେମିତି OAS ପାଇଲି...