ଦୁନିଆରେ କାହା ନାଁ ମୋନାଲିସା ହୋଇଥିଲେ, ଆଖି ଆଗରେ ଉଙ୍କିମାରେ ହସ ହସ ମୁହଁର ସୁନ୍ଦର ଝିଅଟିଏ ହୋଇଥିବ।ଧାମନଗର ବ୍ଲକ ଚଷାଖଣ୍ଡରେ ଆଶ୍ରୟ ନେଇଥିବା ଆଖିରେ ହସ କୁଆଡ଼େ ଉଭେଇ ଯାଇଛି। ଅଛି ମେଞ୍ଚାଏ ଦୁଃଖ। ଆଉ ଅନ୍ଧାର ଦିଶୁଥିବା ଭବିଷ୍ୟତ। ଗାଁ ସ୍କୁଲ କଡ଼ରେ ଆଶ୍ରୟ ନେଇଛନ୍ତି ମୋନାଲିସା, ଶାଶୂ ସତ୍ୟଭାମା ଓ ୩ ଛୁଆ।
Trending Photos
ଭଦ୍ରକ: ଲିଓନାର୍ଡୋ ଦା ଭିନ୍ସଙ୍କ ପରିକଳ୍ପିତ ମୋନାଲିସା ଚିତ୍ରର ହସକୁ ନେଇ ପଞ୍ଚଦଶ ଶତାବ୍ଦୀରୁ ଗବେଷଣା ଚାଲିଛି। ଦୁନିଆରେ କାହା ନାଁ ମୋନାଲିସା ହୋଇଥିଲେ, ଆଖି ଆଗରେ ଉଙ୍କିମାରେ ହସ ହସ ମୁହଁର ସୁନ୍ଦର ଝିଅଟିଏ ହୋଇଥିବ। ହେଲେ ଧାମନଗର ବ୍ଲକ ଚଷାଖଣ୍ଡରେ ଆଶ୍ରୟ ନେଇଥିବା ଆଖିରେ ହସ କୁଆଡ଼େ ଉଭେଇ ଯାଇଛି। ଅଛି ମେଞ୍ଚାଏ ଦୁଃଖ। ଆଉ ଅନ୍ଧାର ଦିଶୁଥିବା ଭବିଷ୍ୟତ।
ଗାଧୁଆବେଳେ କମଳା ଆଉ ଲଙ୍କା ଦଳ ଭାତ ଖାଇବାକୁ କିଏ ବା ପସନ୍ଦ କରିବ। ହେଲେ ମୋନାଲିସା ତାର ଶାଶୂ ଆଉ ତିନି ପିଲାଙ୍କ ପାଇଁ ଥିଲା ମହାପ୍ରସାଦ। ଭାତ ରାନ୍ଧିବା ପରେ ତରକାରୀ କରିବାକୁ ପରିବା ପତ୍ର କାଟିଥିଲେ। ହେଲେ ଅସରାଏ ବର୍ଷାରେ ଚୁଲି ଓଦା ହୋଇଯିବାରୁ ରୋଷେଇ କରିପାରିଲେନି। ଭୋକରେ ଆଉଟୁ ପାଉଟୁ ହେଉଥିବା ୫ ପ୍ରାଣୀ ଏମିତି ହିଁ ଗୋଟିଏ ଥାଳିରେ ଖାଇଲେ। ମନ ଭିତରେ କଷ୍ଟ ଥିଲେ ବି ପରିସ୍ଥିତି ବାଧ୍ୟ କରିଛି ତାଙ୍କୁ। ଆଜି ନୁହେଁ, ଗତ ୪ ବର୍ଷ ହୋଇଗଲାଣି କରଦା ପଞ୍ଚାୟତର ଚଷାଖଣ୍ଡ ଗାଁ ନନ୍ଦିପୁର ସ୍କୁଲ କଡ଼ରେ ଆଶ୍ରୟ ନେଇଛନ୍ତି ମୋନାଲିସା, ଶାଶୂ ସତ୍ୟଭାମା ଓ ୩ ଛୁଆ। ନୁଆଣିଆ ଜରି ଛପର ଘର। ସେଦିନ ଗାଁ ଲୋକଙ୍କ ସହଯୋଗରେ ଯେଉଁ ଘର କରିଥିଲେ, ସେ ନଷ୍ଟ ହୋଇଗଲାଣି। ହେଲେ ପାଉଁଶ ଗଦା, ବରଗଛ ମୂଳ କିଆ ବୁଦା କଡରେ ବଂଚିବାକୁ ଆଶ୍ରୟ ନେଇଛନ୍ତି। କାନ୍ଥ ବୋଲି କିଛି ନାହିଁ। ଛପରରୁ ଓହଳିଥିବା ଜରି ହିଁ ବନ୍ୟଜନ୍ତୁ, ସାପ ବିଛାଙ୍କଠାରୁ ସୁରକ୍ଷା ଦେଉଛି। ଚତୁରି ମାସରେ ବର୍ଷା ୫ ପ୍ରାଣୀଙ୍କ ଆଖିରେ ଲୁହ ହୋଇ ଗଡ଼ିଯାଏ। ବେଶୀ କଷ୍ଟ ପାଏ ୧୩ ମାସର ରୁଦ୍ର। ସନ୍ତସନ୍ତିଆ ଚଟାଣରେ ଜରି ପାଲ ଉପରେ ଶୋଇ ଶୋଇ ରୋଗରେ ପଡ଼ିଗଲାଣି। ହେଲେ ସମସ୍ତେ ନିରୁପାୟ। ଆଉ ଗାଁ ଲୋକ ସିନା ଦୁଃଖ କରନ୍ତି, ହେଲେ କଣ କରିପାରିବେ ସେମାନେ।
ପରିବାର ପୋଷିବା ଲାଗି ମାସିକ ସାଢ଼େ ୩ ହଜାର ଟଙ୍କା ଦରମାରେ ଭଦ୍ରକରେ ମୂଲ ଲାଗୁଛନ୍ତି ସ୍ବାମୀ କାଳନ୍ଦୀ। ସେହି ଟଙ୍କାରେ ନିଜେ ଚଳି ପରିବାର ପୋଷିବା ତାଙ୍କ ପାଇଁ ମୁସ୍କିଲ ହୋଇଯାଉଛି। ଏଥିରେ ଘର କରିବେ କଣ। ପର୍ବ ପର୍ବାଣିରେ ଦୁନିଆ ରଙ୍ଗିନ ହେଉଥିବାବେଳେ ମୋନାଲିସାଙ୍କ ୨ ଝିଅ ସ୍କୁଲରୁ ମିଳିଥିବା ଡ୍ରେସରେ ଖୁସି ହୁଅନ୍ତି। ମୋନାଲିସାଙ୍କ ଏ ଅବସ୍ଥା ଜାଣିବା ପରେ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ।
ଆଖିଠାରୁ ଓଠର ଦୂରତା ହୁଏତ ବେଶୀ ନୁହେଁ। ହେଲେ ମୋନାଲିସାର କାନ୍ଦଠାରୁ ହସର ଦୂରତା କାହିଁ ଯେ କେତେ ଦୂର, ତାହା କଳନା କରିହୁଏନା। ହେଲେ ଏ ପ୍ରଶାସନ କଣ ତା କାନ୍ଦ ଦୂରେଇ ହସ ଆଣି ଦେଇପାରିବ। ....