ଡାକିନେଲେ, ଅଧାବାଟେ ଛାଡ଼ିଦେଲେ...

ଭାଙ୍ଗିଗଲା ଶିବସେନାର ସ୍ୱପ୍ନ...ଅବଶ୍ୟ ଏବେ ବି ୬ ମାସ ଭିତରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାର ସୁଯୋଗ ଅଛି...ହେଲେ ଉଦ୍ଧବ ଆଉ ଥରେ ସ୍ୱପ୍ନ ଦେଖିବେ ତ ? ଉଦ୍ଧବଙ୍କ ସ୍ୱପ୍ନ ପାଇଁ ରାତି ଅଛି ତ ? ନା ବିଜେପିର ଗୋଟି ଚାଳନାରେ ସ୍ୱପ୍ନ ଦେଖିବା ହିଁ ଛାଡିଦେବ ଶିବସେନା !  

ଡାକିନେଲେ, ଅଧାବାଟେ ଛାଡ଼ିଦେଲେ...
ଡିଜାଇନ ଫଟୋ

ଶେଷଦେବ ମହାପାତ୍ରନୂଆଦିଲ୍ଲୀ: ଅନ୍ତ ହେଲା ସବୁ କଳ୍ପନା ଜଳ୍ପନା । ଅଧୁରା ରହିଲା ଶିବସେନାର ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ । ଯାହା ଆଶଙ୍କା କରାଯାଉଥିଲା, ସେମିତି ହିଁ ହେଲା । ଶେଷରେ ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ନାଟକୀୟ ମୋଡ଼ରେ ଉଦ୍ଧବ ଠାକରେଙ୍କ ସବୁ ସ୍ୱପ୍ନ ଭାଙ୍ଗିରୁଜି ଚୁରମାର ହୋଇଗଲା । ବିଚାରଗତ ବିଭେଦତା ସତ୍ତ୍ୱେ ବିକଳ୍ପ ସରକାର ସମ୍ଭବ ବୋଲି ଉଦ୍ଧବ ଯେଉଁ ପାଣିଚିଆ ବିଶ୍ୱାସ ରଖିଥିଲେ,  ତାହା ଶେଷରେ ଭୁଲ ପ୍ରମାଣିତ ହେଲା । କଂଗ୍ରେସର ମନ୍ଥର ଚାଲ୍ ଓ ଏନସିପିର ଚତୁରତାକୁ ସାଙ୍ଗରେ ଘେନି ସରକାର ଗଢ଼ିବା ଯେ କାଠିକାର ପାଠ, ତାହା ଅଭିଜ୍ଞ ଉଦ୍ଧବ ବୁଝିବାରେ ଭୁଲ କରିଦେଲେ । 

ଉଦ୍ଧବ ଯେତିକି ସ୍ୱପ୍ନ ନିଜେ ଦେଖିଥିଲେ, ତାଠାରୁ ଅଧିକ ସ୍ୱପ୍ନ ଦେଖାଇଥିଲେ ଏନସିପି ଓ କଂଗ୍ରେସ । ବିଜେପିକୁ ମଜବୁର କରି ପୁଅ ଆଦିତ୍ୟଙ୍କୁ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ ଶିବସେନା ମୁଖ୍ୟ । ସ୍ୱପ୍ନ ବାସ୍ ଏତିକି ହିଁ ଥିଲା । ହେଲେ ଉଦ୍ଧବଙ୍କ ଆଖିରେ ଚେନାଏସ୍ୱପ୍ନ ପୂରାଇ ଦେଇଥିଲେ ଏନସିପି ନେତା । ଅଢେଇ ବର୍ଷ କାହିଁକି, ବିକଳ୍ପ ସରକାରରେ ପୂରା ଟର୍ମ ଶିବସେନା ହାତରେ, ଏମିତି କିଛି କହି ବିଜେପି-ଶିବସେନା ଭିତରେ ଦୂରତା ସୃଷ୍ଟି କରିଥିଲା ଦଳ । 

କ୍ଷମତାର ଲୋଭ ମଣିଷକୁ ଅନ୍ଧ କରିଦିଏ । ହେଲେ ଉଦ୍ଧବଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସେ ଏ ସ୍ୱପ୍ନରେ ଭାସି ଯାଇ ନ ଥିଲେ । ବରଂ ବିଜେପିଠୁ ସେହି ୫୦/୫୦ ଫର୍ମୁଲା ହିଁ ଆଶା କରୁଥିଲେ । ହେଲେ ସଂଖ୍ୟା ଦୃଷ୍ଟିରୁ ନିଜକୁ ବଳିୟାନ ଭାବୁଥିବା ବିଜେପି, ଶିବସେନାର ଏହି ସର୍ତ୍ତକୁ ମାନିବାକୁ ନାରାଜ । ଅବଶ୍ୟ ବିଜେପି ଏହି ସର୍ତ୍ତରେ ରାଜି ନ ହେବାର ଅନ୍ୟ ଏକ କାରଣ ବି ଥିଲା । ଦଳ ଭଲ ଭାବରେ ବୁଝିଥିଲା, ତାକୁ ଛାଡ଼ି ବିକଳ୍ପ ସରକାର ଏକ ଦିବାସ୍ୱପ୍ନ । ଏହା ଅଢେଇ ଦିନିଆ । ହେଲେ ପୁତ୍ରମୋହରେ ଅନ୍ଧ ହୋଇଥିବା ଉଦ୍ଧବ ଶେଷ ମୁହୂର୍ତ୍ତରେ ଏସବୁ ବୁଝିପାରି ନ ଥିଲେ । 

ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଅକୁହା ସମର୍ଥନ ଦେବ । ଆଉ ଏନସିପିକୁ ଉପ ମୁଖ୍ୟମନ୍ତ୍ରୀ ପଦ ସହ ଦୁଧିଆଳି କିଛି ମନ୍ତ୍ରୀ ପଦ ଦେଇଦେଲେ ଖେଳ ଖତମ୍ । ସେମିତିରେ ବି ଉଭୟ ଦଳ ବିକଳ୍ପ ସରକାର ପାଇଁ ଅଫର କରୁଛନ୍ତି । ତେଣୁ ଏଥିରେ କୌଣସି ଅସୁବିଧା ହେବନାହିଁ । ଏମିତି କିଛି ଭାବିଥିଲେ ଶିବସେନା ମୁଖ୍ୟ । ଆଉ ଏନସିପିର ସର୍ତ୍ତ ମାନିବାକୁ ଯାଇ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଦଳୀୟ ସାଂସଦ ଅରବିନ୍ଦ ସାୱନ୍ତ ଇସ୍ତଫା ଦେଇଥିଲେ । 

ହେଲେ ସଫଳ କିଙ୍ଗ ମେକର ଉଦ୍ଧବ କଣ ଜାଣିଥିଲେ, କିଙ୍ଗ ହେବା କାଠିକାର ପାଠ। 'ମହା' ସିଂହାସନ ତାଙ୍କ ପାଇଁ ମରୀଚିକା ! ବିଜେପି ହାତ ଟେକି ଦେବା ପରେ ଯେତେବେଳେ ଶିବସେନାକୁ ରାଜ୍ୟପାଳଙ୍କ ପକ୍ଷରୁ ଆମନ୍ତ୍ରଣ ମିଳିଥିଲା, ବୋଧହୁଏ ଏହା ପରେ ଉଦ୍ଧବ ଭଲ ଭାବରେ ବୁଝି ପାରିଥିଲେ ।  ହାତରେ ୨୪ ଘଣ୍ଟା, ହେଲେ କଂଗ୍ରେସର ଗାଡି ୨୪ ସ୍ପିଡ ବି ନଥିଲା । ଆଉ କଂଗ୍ରେସକୁ ଅପେକ୍ଷା କରିଥିଲା ଏନସିପି । ରୁଦ୍ଧଦ୍ୱାର ଘରେ ଚାଲିଥିଲା ଭାଗବଣ୍ଟା । ଏପରିକି ମୁଖ୍ୟମନ୍ତ୍ରୀ ପଦ ଉପରେ ବି ଦଳର ଆଖି ପଡିଥିବା କୁହାଯାଉଛି । 

ଯେତେବେଳେ ଗତକାଲି ସନ୍ଧ୍ୟାରେ ରାଜଭବନରୁ ନିରାଶ ହୋଇ ଆଦିତ୍ୟ ଠାକରେ ଫେରୁଥିଲେ, ସେତେବେଳେ ହିଁ ବୁଝା ପଡୁଥିଲା ଡାଲ ମେଁ କୁଛ୍ କାଲା ହେ । ସତକୁ ସତ ପରେ ଜଣା ପଡିଥିଲା ସମର୍ଥନ ପତ୍ର (ଲେଟର ଫର ସପୋର୍ଟ) ଦେଇ ନ ଥିଲା କଂଗ୍ରେସ । ଲାଗୁଥିଲା, ସଂଖ୍ୟା ସିନା ୪୪ । ହେଲେ କଂଗ୍ରେସର ସମର୍ଥନ ପତ୍ର ପ୍ରୋସେସିଙ୍ଗ ପାଇଁ ଦରକାର ୪୪ ଘଣ୍ଟା । ଆଉ ଅତି ଚତୁର ଏନସିପି କଂଗ୍ରେସର ନାଁ ନେଇ ଭିତରେ ଭିତରେ ଗେମ କରୁଥିଲା । ପରେ ରାଜଭବନରୁ ଡକରା ଆସିବା ପରେ ଅଜିତ ପାୱାର ଧାଇଁ ଧାଇଁ କି ଯିବା ଦୃଶ୍ୟ କହୁଥିଲା ମହାରାଷ୍ଟ୍ର ରାଜନୀତି ପଶାପାଲିରେ ଶିବସେନାର ସ୍ଥାନ । 

ଆଉ ଆଜି କେହି କିଛି ବୁଝିବା ପୂର୍ବରୁ ରାଜ୍ୟପାଳ ବୁଝି ଯାଇଥିଲେ, ଏଠି ସରକାର ଗଢିବା କାହା ପାଇଁ ବି ସମ୍ଭବ ନୁହେଁ । ସୁପାରିସ କଲେ, କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ବି ଦେଲା । ଶେଷରେ ଅନୁମୋଦନ ପରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ସେହିପରି ୬ ମାସ ଭିତରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଯିଏ ସଂଖ୍ୟା ଗରିଷ୍ଠତା ଦେଖାଇବ, ସିଏ ସରକାର ଗଢ଼ିବ । କିନ୍ତୁ ସର୍ବୋପରି ଏବେ ବିଜୟ କେବଳ ବିଜେପିର ହିଁ ହୋଇଛି କହିଲେ ଭୁଲ୍ ହେବ ନାହିଁ । କାରଣ ସଂଖ୍ୟା ନ ଥାଇ ବି ସରକାର ଗଢ଼ିବା ଓ ଭାଙ୍ଗିବା ଚାଲ୍ କେବଳ ଚାଣକ୍ୟ ଅମିତ ଶାହଙ୍କୁ ହିଁ ଜଣା, ଏଥିରେ ଦ୍ୱିମତ ନାହିଁ ।