କାଶ୍ମୀର ବୁଲିବା ପରେ କ'ଣ କହିଲେ ଇୟୁ ସାଂସଦ ?
Advertisement

କାଶ୍ମୀର ବୁଲିବା ପରେ କ'ଣ କହିଲେ ଇୟୁ ସାଂସଦ ?

ଆଜି ଶ୍ରୀନଗରରେ ସାମ୍ବାଦିକ ସମ୍ବିଳନୀ କରି କାଶ୍ମୀର ସ୍ଥିତି ଉପରେ ମତବ୍ୟକ୍ତ କରିଛନ୍ତି ବିଦେଶୀ ସାଂସଦ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ୟୁରୋପୀୟ ସାଂସଦଙ୍କ କାଶ୍ମୀର ଗସ୍ତକୁ ନେଇ ସରଗରମ ରାଜନୀତି । କିଏ ଏମାନଙ୍କୁ ନିମନ୍ତ୍ରଣ କଲା ? କାହିଁକି କାଶ୍ମୀର ଯିବାକୁ ଅନୁମତି ଦିଆଗଲା ? ଏସବୁର ଆୟୋଜନ କିଏ କରିଛି ? ଫଣ୍ଡି କାହାର ? ଏମିତି ଅନେକ ପ୍ରଶ୍ନ ଉଠାଇ ବିରୋଧୀ ଘେରିଥିବା ବେଳେ କାଶ୍ମୀର ବୁଲି ନିଜର ଅନୁଭବକୁ ବଖାଣିଛନ୍ତି ଇୟୁ ସାଂସଦ । 

ଆଜି ଶ୍ରୀନଗରରେ ସାମ୍ବାଦିକ ସମ୍ବିଳନୀ କରି କାଶ୍ମୀର ସ୍ଥିତି ଉପରେ ମତବ୍ୟକ୍ତ କରିଛନ୍ତି ବିଦେଶୀ ସାଂସଦ । କାଶ୍ମୀର ବୁଲିବା ପରେ ନିଜର ଅନୁଭବକୁ ବଖାଣିଛନ୍ତି । ତେବେ ସେମାନଙ୍କ ଗସ୍ତ ନେଇ ଭାରତରେ ହେଉଥିବା ରାଜନୀତି ଉପରେ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି । ସେହିପରି ଏଆଇଏମଆଇଏମ ମୁଖ୍ୟ ଓୱେସୀଙ୍କ କଟାକ୍ଷର ଜବାବ ରଖିଛନ୍ତି । 

ସାମ୍ବାଦିକ ସମ୍ମିଳନୀ କରି ଏମାନେ କହିଛନ୍ତି, ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ସେମାନଙ୍କ କୌଣସି ଭୂମିକା ନାହିଁ । ଏଥିରେ ସେମାନେ ହସ୍ତକ୍ଷେପ ମଧ୍ୟ କରିବାକୁ ଚାହାଁନ୍ତି ନାହିଁ । କେବଳ କାଶ୍ମୀର ସ୍ଥିତି ବିଷୟରେ ଜାଣିବା ପାଇଁ ଆସିଛୁ ବୋଲି କହିଛନ୍ତି ଇୟୁ ସାଂସଦ । କାଶ୍ମୀର ଲୋକଙ୍କୁ ସମ୍ବୋଧନ କରି କହିଥିଲେ, ଆମେ ଆପଣଙ୍କ ବନ୍ଧୁ । ରାଜନୀତି ଆପଣଙ୍କ ସମସ୍ୟା ହୋଇଥାଇପରେ । ହେଲେ ଆତଙ୍କବାଦ ଆମ ସମସ୍ତଙ୍କ ସମସ୍ୟା । ଏହାର ସ୍ଥାୟୀ ସମାଧାନ ହେବାର ଆବଶ୍ୟକତା ରହିଛି । 

ପୂର୍ବରୁ ୨୦ରୁ ଅଧିକ ଥର ଭାରତ ଆସିଥିବା କହିଛନ୍ତି ୟୁରୋପୀୟ ସାଂସଦ ଥିୟୋରୀ ମରିୟାନୀ । ମୋର କାଶ୍ମୀର ବିଷୟରେ ଜାଣିବାର ଇଚ୍ଛା ଥିଲା । ଏବେ କାଶ୍ମୀରରେ ସ୍ଥିତି ସ୍ୱାଭାବିକ ରହିଛି । ଏହି ଗସ୍ତ ବେଳେ ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିଛି । ସମସ୍ତେ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଥିବା କହିଛନ୍ତି ଥିୟୋରୀ ମରିୟାନୀ । 

ଅନ୍ୟପଟେ ମଙ୍ଗଳବାର ଜମ୍ମୁ କଶ୍ମୀରରେ ୫ ଶ୍ରମିକଙ୍କୁ ଆତଙ୍କବାଦୀ ହତ୍ୟା ଘଟଣାର ପ୍ରତିକ୍ରିୟା ରଖିଛନ୍ତି ୟୁରୋପୀୟ ସାଂସଦ ବିଲ୍‌ ନ୍ୟୁଟନ।  ଏହାକୁ ସେ ନିନ୍ଦା କରିବା ସହ ଭାରତ ସବୁବେଳେ ଶାନ୍ତିକୁ ଅଗ୍ରାଧିକାର ଦେଇଆସିଛି ବୋଲି ମତ ରଖିଥିଲେ । 

ଖବର ସରବରାହ ସଂସ୍ଥା ଏଏନଆଇକୁ ଜଣେ ଇୟୁ ସାଂସଦ ପ୍ରତିକ୍ରିୟା ଦେଇ ଆତଙ୍କବାଦକୁ କାଶ୍ମୀରର ବଡ ସମସ୍ୟା ଭାବରେ ଅବିହିତ କରିଛନ୍ତି । ସେହିପରି ଦେଶର ବିରୋଧୀ ସାଂସଦଙ୍କୁ ମଧ୍ୟ କାଶ୍ମୀର ଆସିବା ପାଇଁ ଅନୁମତି ଦେବାରେ ସେ ଗୁରୁତ୍ୱାରୋପ କରିଥିଲେ ।