ପଦୋନ୍ନତିରେ ଆରକ୍ଷଣ ବିବାଦ କାରଣରୁ ୧.୩ ଲକ୍ଷ ପ୍ରମୋଶନ ଅଟକି ରହିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି |
Trending Photos
)
ନୂଆଦିଲ୍ଲୀ: ସରକାରୀ ଚାକିରୀ ପଦୋନ୍ନତିରେ ଦେଖା ଦେଇଥିବା ଆରକ୍ଷଣ ବିବାଦ ମାମଲାରେ କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଯାଚିକା ଦାଏର କରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସନ୍ଦର୍ଭରେ ସୁପ୍ରିମକୋର୍ଟଙ୍କ ପୁରୁଣା ଆଦେଶ ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି | ଏ ମାମଲାରେ ସୁପ୍ରିମକୋର୍ଟ ପଦୋନ୍ନତିରେ ଯଥାସ୍ଥିତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ |
ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ୨୦୨୦ ଜାନୁଆରୀ ପର୍ଯ୍ୟନ୍ତ ୧.୩ ଲକ୍ଷ ପଦୋନ୍ନତି ପଡିରହିଛି | ପ୍ରମୋଶନ ନ ହୋଇପାରିବା କାରଣରୁ କର୍ମଚାରୀ ଏବଂ ଅଧିକାରୀଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି | ଅସ୍ଥାୟୀ ଭାବରେ ପଦୋନ୍ନତି ଦେବାକୁ କେନ୍ଦ୍ର ସରକାର ଅନୁମତି ମାଗିଛନ୍ତି | ଅନେକ ସଂଖ୍ୟକ ପଦବୀ ଖାଲି ଥିବାରୁ ସାମୟିକ ଭାବେ ପଦୋନ୍ନତି ଦେବାକୁ ଅନୁମତି ଦେବାକୁ କେନ୍ଦ୍ର ସରକାର କୋର୍ଟଙ୍କୁ ଅନୁରୋଧ କରିଛନ୍ତି |
ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ପ୍ରାୟ ୭୮ଟି ବିଭାଗ ମଧ୍ୟରୁ ୨୩ଟି ବିଭାଗରେ ପଦୋନ୍ନତି କାର୍ଯ୍ୟ ବନ୍ଦ ହୋଇ ପଡିରହିଛି | ଗତ ବର୍ଷ ଏପ୍ରିଲ ୧୫ ତାରିଖରେ ସ୍ଥିତାବସ୍ଥା ବଜାୟ ରଖିବା ଆଦେଶ କାରଣରୁ ସଂରକ୍ଷିତ(reserved) ଏବଂ ସାଧାରଣ ବର୍ଗର(general category) ସମସ୍ତ ପଦୋନ୍ନତି ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି |