ସୁବର୍ଣ୍ଣପୁର: ସରକାରଙ୍କ ନୂତନ ଧାନକ୍ରୟ ନୀତି ଆରମ୍ଭରୁ ଅବ୍ୟବସ୍ଥା ଦେଖାଦେଇଛି । ଚଳିତ ଖରିଫ ଋତୁ ଧାନ କ୍ରୟ ପାଇଁ ସରକାର ଚାଷୀମାନଙ୍କୁ ଅନ ଲାଇନରେ ଟୋକନ ପ୍ରଦାନ କରୁଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନକ୍ରୟ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଧାର କରଜ କରି ଚାଷୀ କରିଥିବା ଚାଷୀ ନିଜର ଉତ୍ପାଦିତ ଶସ୍ୟ ବିକ୍ରି କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଜିଲ୍ଲାର ଚାଷୀମାନେ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ ନିତିକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଛି ।
ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ୯୦ପ୍ରତିଶତ ଚାଷୀ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି । ଚାଷୀ ଚଳିତ ଖରିଫ ଋତୁ ଧାନ ବିକ୍ରି ଆରମ୍ଭରୁ ହିଁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଟୋକେନ ପ୍ରଦାନରେ ଅବ୍ୟବସ୍ଥା ସାଙ୍ଗକୁ ଧାନ କ୍ରୟପାଇଁ ପ୍ରାଇମେରୀ ଆଗ୍ରିକଲଚରାଲ କୋ ଅପରେଟିଭ ସୋସାଇଟି ବଦଳରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି । ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି ଚାଷୀ । ସରକାରଙ୍କ ଏହି ନୂତନ ଧାନ କ୍ରୟ ନୀତିକୁ ବିରୋଧ କରି ଜିଲ୍ଲାର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିଛି।
ନଭେମ୍ବର ୧୫ ତାରିଖରୁ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ୬୪ଟି କୃଷି ସେବା ସମବାୟ ସମିତି ଓ ୧୪ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ କରିବେ । ଖରିଫ ଋତୁରେ ୩୦ ଲକ୍ଷ ୮୨ ହଜାର କ୍ୱିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୪୭ ହଜାର ୯ ଶହ ୯୦ଜଣ ଚାଷୀଙ୍କ ଠାରୁ ଧାନ କିଣାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ବିନିକା ଓ ଡୁଙ୍ଗୁରିପାଲି ବ୍ଲକରୁ ପ୍ରାୟ ୫୦୩ କ୍ୱିଣ୍ଟାଲ ଧାନ କିଣା ହୋଇଛି । ମହିଳା ସ୍ୱୟଂ ସହାୟକଗୋଷ୍ଠୀଙ୍କ ଭିତ୍ତିଭୂମୀ ନ ଥାଇ ତାଙ୍କୁ ଧାନ କିଣା ପ୍ରକ୍ରିୟାରେ ସାମିଲ କରାଯାଇଥିବାରୁ ଚାଷୀ ଏହାକୁ ବିରୋଧ କରାଯାଇଛି । ଅପରପଟେ ଦଲାଲଙ୍କୁ ରୋକିବା ପାଇଁ ସରକାର ନୂତନ ଧାନ କିଣା ନିତି ନିର୍ଦ୍ଧାରଣ କରିଛନ୍ତି । ଚାଷୀଙ୍କୁ ଧାନ ବିକ୍ରି କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ । ଆସନ୍ତୁ ନଜର ପକାଇବା ଟୋକନ ବ୍ୟବସ୍ଥାର କଣ ସୁଫଳ ରହିଛି ।
- ଟୋକନ ବ୍ୟବସ୍ଥାରେ ନିର୍ଦ୍ଧାରିତ ସମୟରେ ଧାନ ବିକ୍ରି କରିନପାରିଲେ ପରବର୍ତ୍ତି ସମୟରେ ବି ସୁଯୋଗ ମିଳିବ ।
- ଧାନ ସଂଗ୍ରହ କରିବାକୁ ସହଜ କରିବା ସରକାରଙ୍କ ଲକ୍ଷ୍ୟ ।
- ବୃଦ୍ଧ,ରୋଗାଗ୍ରସ୍ତ ,ଅକ୍ଷମ ବ୍ୟକ୍ତି ମଣ୍ଡିରେ ନରହିଲେ ବି ତାଙ୍କ ଧାନ କିଣାଯିବ ।
- ଧାନ ସଂଗ୍ରହ ଧାର୍ଯ୍ୟ ଦିବସ ପୂର୍ବରୁ ଚାଷୀଙ୍କୁ ସେମାନଙ୍କ ବିକ୍ରି ଯୋଗ୍ୟ ଧାନ ସହ ଉପସ୍ଥିତ ରହିବାକୁ SMS ଜରିଆରେ ଜଣାଇ ଦିଆଯାଉଛି ।
- ସୋସାଇଟି ଓ ଗୋଷ୍ଠୀ କାର୍ଯ୍ୟାଳୟକୁ ଟୋକାନ ନେଇ ଧାନ ଆଣିପାରିବେ ।
- ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ କରାଯାଇଛି ।
ତୁରନ୍ତ ଜିଲ୍ଲାର ଚାଷୀଙ୍କ ସମସ୍ୟାକୁ ସରକାର ଶୁଣିଲେ ଆଗାମୀ ଦିନରେ ଧାନ ଆଭାବୀ ବିକ୍ରି ରୋକାଯାଇପାରିବ।