ପର୍ଯ୍ୟଟକଙ୍କୁ ଲୁଟିଲେ ହେବ କାର୍ଯ୍ୟାନୁଷ୍ଠାନ, ଶୋଷଣ ରୋକିବା ପାଇଁ ସଜାଗ ପୁରୀ ପୋଲିସ

ଏବେ ଠକ ହେବେ ସାବାଡ୍, ପର୍ଯ୍ୟଟକଙ୍କୁ ଲୁଟିଲେ ହେବ କାର୍ଯ୍ୟାନୁଷ୍ଠାନ

ପର୍ଯ୍ୟଟକଙ୍କୁ ଲୁଟିଲେ ହେବ କାର୍ଯ୍ୟାନୁଷ୍ଠାନ, ଶୋଷଣ ରୋକିବା ପାଇଁ ସଜାଗ ପୁରୀ ପୋଲିସ
file photo

ଜିନୁ ଜେନା, ପୁରୀ: ଏବେ ଠକ ହେବେ ସାବାଡ୍ । ପର୍ଯ୍ୟଟକଙ୍କୁ ଲୁଟିଲେ ହେବ କାର୍ଯ୍ୟାନୁଷ୍ଠାନ । ପର୍ଯ୍ୟଟକଙ୍କ ସୁରକ୍ଷା ଓ ଶୋଷଣ ରୋକିବା ପାଇଁ ସଜାଗ ପୁରୀ ପୋଲିସ । ବିଶେଷକରି ପୁରୀରୁ ଚିଲିକା ଡଲଫିନ ଦେଖିବାକୁ ଯାଉଥିବା ପର୍ଯ୍ୟଟକଙ୍କୁ ହେଉଛି ବେଶୀ ମାତ୍ରାରେ ଶୋଷଣ । ତେଣୁ ତାହାକୁ ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ଟୁରିଷ୍ଟ ପୋଲିସକୁ କ୍ରିୟାଶୀଳ କରାଯାଇଥିବା ବେଳେ ଅଭିଯୋଗ ପାଇଁ ଜାରି ହୋଇଛି ହ୍ୱାଟସ ଅପ୍ ନମ୍ବର 6370-967-100 ଓ 6370-972-100 ।

କାର୍ଯ୍ୟାନୁଷ୍ଠାନକୁ କଡ଼ା କରାଯିବା ସହ ପର୍ଯ୍ୟଟକଙ୍କୁ ଚିଲିକାରେ ଡଲଫିନ ବୋଟ ଭଡାରେ ବ୍ୟାପକ ଠକେଇ କରୁଥିବା ଟ୍ରାଭେଲ୍ସ ଡ୍ରାଇଭର ଓ ମାଲିକଙ୍କୁ ଗିରଫ କରାଯାଇଛି । ପୁଣି ପୁରୀ ସାତପଡାରେ ଗାଡିକୁ ଅଟକାଇ ରସିଦକୁ ଟୁରିଷ୍ଟ ପୋଲିସ ଯାଞ୍ଚ କରି ଡ୍ରାଇଭର ମାନେ ଠକିକି ନେଇଥିବା ଅଧିକ ଟଙ୍କାକୁ ପର୍ଯ୍ୟଟକଙ୍କୁ ମଧ୍ୟ ଫେରାଯାଉଛି । ପୁରୀକୁ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ପୋଲିସର ବ୍ୟବସ୍ଥାକୁ ପ୍ରଂଶସା କରିଛନ୍ତି । ସେପଟେ ହୋଟେଲ ସଙ୍ଘ ପକ୍ଷରୁ ମଧ୍ୟ ପର୍ଯ୍ୟଟକଙ୍କୁ ଏ ନେଇ ସଜାଗ କରାଯିବା ସହ ଟ୍ରାଭେଲ୍ସ ମାଲିକଙ୍କୁ ତାଗିଦ କରାଯିବ ବୋଲି କହିଛି ହୋଟେଲ ମାଲିକ ସଙ୍ଘ । ସେପଟେ ପର୍ଯ୍ୟଟକମାନଙ୍କୁ ଶୋଷଣ ଚିଲିକାରେ ବୋଟ ସଙ୍ଘ ପକ୍ଷରୁ କରାଯାଉଥିବା ବେଳେ ଏହାର ସମାଧାନ ପାଇଁ ଗାଡ଼ି ମାଲିକ, ବୋଟ ସଂଘ ଓ ଟ୍ରାଭେଲ୍ସ ଆସୋସିଏସନକୁ ନେଇ ବୈଠକ କରି ରେଟ ଚାର୍ଟ ସ୍ଥିର ହେବା ଦରକାର । ତାସହ ସବୁଠି ବୁକିଂ ଅନଲାଇନ ମାଧ୍ୟମରେ ରେଟ ଚାର୍ଟ ସହ କଲେ ଏଭଳି ଦୁର୍ନୀତି ହେବନାହିଁ ବୋଲି କହିଛି ଗାଡ଼ି ଚାଳକ ସଙ୍ଘ ।

ରମଣୀୟ ବେଳାଭୂମି ଓ ଶ୍ରୀମନ୍ଦିର ଏବଂ ଚିଲିକାରେ ଡଲଫିନ୍ ଦେଖିବାକୁ ବେଶ ଭିଡ଼ ଜମୁଛି ପର୍ଯ୍ୟଟକଙ୍କର। ଆଉ ଅତିଥି ଦେବୋ ଭବଃ ପରିବର୍ତ୍ତେ ଅତିଥିଙ୍କୁ ହେଉଛି ଶୋଷଣ । ତାହା ବନ୍ଦ କରିବା ପାଇଁ ପୁରୀ ପୋଲିସ ଆଗଭର ହୋଇଛି । ପୁରୀ ସାତପଡ଼ା ପାଇଁ ୨ଟି ଟୁରିଷ୍ଟ ପୋଲିସ ପାଟ୍ରୋଲିଂ ଭ୍ୟାନ ଓ ପୁରୀ କୋଣାର୍କ ପାଇଁ ୨ଟି ପିସିଆର ଭ୍ୟାନ ପାଟ୍ରୋଲିଂ କରୁଛନ୍ତି। ଚିଲିକାରେ ବୋଟ ସଙ୍ଘ ଗୁଡ଼ିକ ପର୍ଯ୍ୟଟକଙ୍କୁ ଅହେତୁକ ଶୋଷଣ କରୁଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ସେମାନଙ୍କ ଲାଇସେନ୍ସ ବାତିଲ କରିବା ପାଇଁ । ଆଉ ଯେକେହି ବି ପର୍ଯ୍ୟଟକଙ୍କୁ ଶୋଷଣ କରିବ ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁରୀ ଏସପି ଡକ୍ଟର ଉମାଶଙ୍କର ଦାସ । ପୋଲିସର ଏଭଳି ଆକ୍ସନ ପର୍ଯ୍ୟଟକଙ୍କ ପାଇଁ ଅତିଥି ଦେବୋ ଭବଃର ବାର୍ତ୍ତା ଦେଇଛି ।