ନୂଆଦିଲ୍ଲୀ: ଭାରତକୁ ଚମକାଇ ଦେଇଛି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ । ଏହି ରିପୋର୍ଟ କହୁଛି ଭାରତରେ କେତେ ସଙ୍ଘାତିକ ରହିଛି ଭୋକିଲା ସମସ୍ୟା । ଏପରିକି ପଡୋଶୀ ପାକିସ୍ତାନ, ବାଂଲାଦେଶ ଏବଂ ନେପାଲଠାରୁ ମଧ୍ୟ ଆମ ଦେଶର ସ୍ଥିତି ଅତ୍ୟନ୍ତ ଦୟନୀୟ । ୨୦୧୪ ଠାରୁ ଲଗାତାର ଭାବରେ ତଳକୁ ଖସିଚାଲିଛି । ଯାହାକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ।
୧୧୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ରହିଛି ୧୦୨ । ୨୦୧୪ରେ ଭାରତର ସ୍ଥାନ ଥିଲା ୫୫ । ୨୦୧୭ରେ ୧୦୦, ୨୦୧୮ରେ ୧୦୩ । ଯାହାକୁ ନେଇ ରାହୁଲ କହିଛନ୍ତି, ୨୦୧୪ ପରେ ଗ୍ଲୋବାର ହଙ୍ଗର ଇଣ୍ଡେକ୍ସରେ ଭାରତ ଖସୁଛି । ଏବେ ୧୦୨ ନମ୍ବର ସ୍ଥାନରେ ପହଞ୍ଚିଗଲାଣି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ବିଫଳତାକୁ ଦାୟୀ କରିଛନ୍ତି ରାହୁଲ । ଆହୁରି ମଧ୍ୟ ମୋଦିଙ୍କ ସବକା ସାଥ, ସବକା ବିକାଶ ନାରାର ସଫଳ ରୂପାୟନ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ ଭାରତ ଅପେକ୍ଷା ବେଶ ଭଲ ସ୍ଥିତିରେ ରହିଛି ପାକିସ୍ତାନ । ୧୧୭ ଦେଶ ମଧ୍ୟରୁ ପାକିସ୍ତାନ ୯୪ ନମ୍ବର ସ୍ଥାନରେ ଅଛି । ସେହିପରି ବାଂଲାଦେଶ ୮୮ ଏବଂ ନେପାଲ ୭୩ ନମ୍ବର ସ୍ଥାନରେ ରହିଛି ।
ଏହି ରିପୋର୍ଟରୁ ଆହୁରି ମଧ୍ୟ ଜଣାପଡିଛି, ଭାରତରେ ୬ରୁ ୨୩ ମାସ ମଧ୍ୟରେ ଥିବା ଶିଶୁଙ୍କ ମଧ୍ୟରୁ ୯.୬ ପ୍ରତିଶତଙ୍କୁ ଆବଶ୍ୟକ ଖାଦ୍ୟ ମିଳିପାରୁନାହିଁ । ଅନ୍ୟପଟେ କେନ୍ଦ୍ର ସରକାର ଏବେ ଯେଉଁ ରିପୋର୍ଟ ପ୍ରକାଶ କରିଥିଲେ, ସେଥିରେ ଏହା ଥିଲା ୬.୪ ପ୍ରତିଶତ ।
କହିରଖୁଛୁ, ଗ୍ଲୋବାଲ ହଙ୍ଗର ରିପୋର୍ଟ ଅନୁଯାୟୀ, ଶୂନ ଅଙ୍କରେ ଥିବା ଦେଶର ସ୍ଥିତି ଭଲ ଭାବରେ ବିବେଚିତ କରାଯିବ । ୧୦ରୁ କମ ଅଙ୍କରେ ଥିବା ଦେଶଗୁଡିକରେ ଭୋକର ସମସ୍ୟା କମ ବୋଲି ଧରାଯିବ । ସେହିପରି ।୨୦ରୁ ୩୪.୯ ଅଙ୍କ ମଧ୍ୟରେ ରହିଥିବା ଦେଶଗୁଡିକରେ ଗମ୍ଭୀର ସଙ୍କଟ ରହିଥିବା କୁହାଯାଉଛି । ୩୫ରୁ ୪୯.୯ ଅଙ୍କ ଥିବା ଦେଶର ସ୍ଥିତି ଚ୍ୟାଲେଞ୍ଜ ରହିଛି । ୫୦ରୁ ଅଧିକ ଅଙ୍କ ଥିବା ଦେଶ ବହୁ ଖରାପ ସ୍ଥିତିରେ ରହିଛି ।
ତେବେ ଏହି ହିସାବରେ ଭାରତକୁ ୩୦.୩ ଅଙ୍କ ମିଳିଛି । ଅର୍ଥାତ ଏବେବି ଭୋକିଲା ରହୁଛି ଭାରତ । ଦେଶରେ ଭୋକର ସ୍ଥିତି ଗମ୍ଭୀର ରହିଛି । ତେବେ ଜଳବାୟୁ ପରିବର୍ତ୍ତନ ପାଇଁ ଅଧିକ ଦେଶରେ ଏହି ସମସ୍ୟା ରହିଥିବା ଗ୍ଲୋବାଲ ହଙ୍ଗର ରିପୋର୍ଟରେ କୁହାଯାଇଛି ।