୧୫ ତାରିଖ ପରଠାରୁ ଘରୋଇ ଉଡ଼ାଣ ପାଇଁ ଟିକେଟ ବୁକିଂ ଆରମ୍ଭ
Trending Photos
)
ନୂଆଦିଲ୍ଲୀ: କୋରୋନା ପାଇଁ ସରକାର ୨୧ ଦିନିଆ ଲକଡାଉନ ସ୍ଥିତି ଜାହିର କରିଛନ୍ତି। ତେବେ ଏହି ଲକଡାଉନ ଆସନ୍ତା ୧୪ ତାରିଖରେ ଶେଷ ହେବ। ତେବେ ଆସନ୍ତା ୧୫ ତାରିଖ ପାଇଁ ରେଳବାଇ ଓ ଘରୋଇ ବିମାନସେବା ଯୋଗାଉଥିବା କିଛି କମ୍ପାନୀ ଟିକେଟ ବୁକିଂ ଆରମ୍ଭ କରିଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ବିଗତ ଦୁଇ ଦିନ ମଧ୍ୟରେ ପ୍ରାୟ ସବୁଥିରେ ଟିକେଟ ବୁକିଂ ସରିସାରିଛି। ସବୁଥିରେ ପ୍ରାୟ ଫୁଲ ହୋଇ ସାରିଛି।
ଏନେଇ ପଶ୍ଚିମ ରେଳବାଇର ଲୋକସମ୍ପର୍କ ଅଧିକାରୀ ପ୍ରଦୀପ ଶର୍ମା କହିଛନ୍ତି କି, ୧୪ ତାରିଖ ପରେ ରେଳ ଯାତ୍ରା ପାଇଁ ଟିକେଟ ବୁକିଂ ପାଇଁ ଆରମ୍ଭ କରାଯାଇଛି। ଏପରିକି କିଛି ଏଜେନ୍ସି ମଧ୍ୟ ଲକଡାଉନ ସମ୍ପର୍କରେ ପଚରାଉଚୁରା ଆରମ୍ଭ କରିଦେଇଛନ୍ତି। ଅଧିକାଂଶ ବ୍ୟବସାୟିକ ଯାତ୍ରା ସମ୍ପର୍କରେ ଅନୁଧ୍ୟାନ ପାଇଁ ଆସୁଥିବା ଜଣାପଡ଼ିଛି। ଲକଡାଉନ ଜାରି ରହିଥିବାରୁ କାର୍ଯ୍ୟାଳୟ ବନ୍ଦ ରହିଛି। ଏହା ସତ୍ତ୍ୱେ ମଧ୍ୟ ଅନେକ ଅନୁଧ୍ୟାନ ପାଇଁ ଫୋନ କଲ ଆସୁଥିବା ସେ ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି କି, ଆଇଆରସିଟିସି ଆପ ଓ ଓ୍ୱେବସାଇଟରେ ଆସନ୍ତା ୧୫ ତାରିଖ ପରଠାରୁ ଟିକେଟ ବୁକିଂ ପାଇଁ ସୁବିଧା ଯୋଗାଇ ଦିଆଯାଇଛି। କିଛି ଟ୍ରେନରେ ଟିକେଟ ସୋଲ୍ଡ ଆଉଟ(Sold Out) ହୋଇ ସାରିଛି। ଏୟାରଲାଇନ୍ସ କମ୍ପାନୀ ଗୁଡ଼ିକ ମଧ୍ୟ ଯାତ୍ରା ପାଇଁ ଟିକେଟ ବୁକିଂ ଆରମ୍ଭ କରିଛନ୍ତି। ଘରୋଇ ବିମାନ କମ୍ପାନୀ ସ୍ପାଇସ ଜେଟ, ଇଣ୍ଡିଗୋ ଓ ଗୋ ଏହାର ଘରୋଇ ଯାତ୍ରା ପାଇଁ ଅନଲାଇନରେ ବୁକିଂ ଆରମ୍ଭ କରିଛନ୍ତି। ଆସନ୍ତା ୧୫ ତାରିଖରୁ ତେଣିକି ଘରୋଇ ଉଡ଼ାଣ ପାଇଁ ଉପରୋକ୍ତ ବିମାନ କମ୍ପାନୀ ଗୁଡ଼ିକରେ ଟିକଟ ବୁକ କରିପାରିବେ। ତେବେ ବିମାନ ସେବା ପାଇଁ ଟିକଟ ସମ୍ବନ୍ଧୀୟ କୌଣସି ଅଧିକାରୀସ୍ତରରେ ସୂଚନା ମିଳିପାରିନାହିଁ।
ସୂଚନାଯୋଗ୍ୟ ଭାରତୀୟ ରେଳ ଦୁନିଆର ସବୁଠାରୁ ବଡ଼ ରେଳ ନେଟଓ୍ୱାର୍କ। ସରକାରୀ ଟ୍ରଷ୍ଟ ଇଣ୍ଡିଆ ବ୍ରାଣ୍ଡ ଇକ୍ୱିଟି ଫାଉଣ୍ଡେସନ ଓ୍ୱେବସାଇଟ ଅନୁଯାୟୀ ପ୍ରତିଦିନ ୧୩୪୫୨ ଟ୍ରେନ ଯୋଗେ ୨.୩ କୋଟି ଲୋକ ୧,୨୩,୨୩୬ କିଲୋମିଟର ଯାତ୍ରା କରିଥାନ୍ତି। ରେଳବାଇକୁ ଭାରତର ଲାଇଫଲାଇନ ବୋଲି ମଧ୍ୟ କୁହାଯାଇଥାଏ। ଏହା ବ୍ୟତୀତ କିଛି ମହାନଗରରେ ମଧ୍ୟ ମେଟ୍ରୋ ଟ୍ରେନର ମଧ୍ୟ ପରିଚାଳନା କରାଯାଉଛି। ଯାହା ମାଧ୍ୟମରେ ଦୈନିକ ଲକ୍ଷାଧିକ ଲୋକ ଯାତ୍ରା କରିଥାନ୍ତି ବୋଲି ଉକ୍ତ ଓ୍ୱେବସାଇଟରେ ସୂଚନା ଦିଆଯାଇଛି।