କଂଗ୍ରେସ ଯୁବ ନେତାଙ୍କ ପାୱାର ଶୋ
Advertisement

କଂଗ୍ରେସ ଯୁବ ନେତାଙ୍କ ପାୱାର ଶୋ

ଶତାଧିକ ବାଇକ ଏବଂ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନରେ ନିଜ ଦମ ଦେଖାଇଲେ ଯୁବ କଂଗ୍ରେସ ସଭାପତି ଆଶାୟୀ ।

କଂଗ୍ରେସ ଯୁବ ନେତାଙ୍କ ପାୱାର ଶୋ

ମଳୟ ମହାନ୍ତି, ଭୁବନେଶ୍ୱର: କଂଗ୍ରେସ ଯୁବ ନେତାଙ୍କ ପାୱାର ଶୋ । ଶତାଧିକ ବାଇକ ଏବଂ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନରେ ନିଜ ଦମ ଦେଖାଇଲେ ଯୁବ କଂଗ୍ରେସ ସଭାପତି ଆଶାୟୀ । ଯୁବ କଂଗ୍ରେସ ସଭାପତି ପଦ ପାଇଁ ଏଥର ଇଲେକ୍ସନ ବଦଳରେ ସିଲେକ୍ସନ ପ୍ରକ୍ରିୟା କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ଆଧାରରେ ଯୁବ କଂଗ୍ରେସ ଆଶାୟୀ  ମାନେ ନିଜ ନିଜ ସମର୍ଥକମାନଙ୍କ ସହ ଆସି ଯୁବ କଂଗ୍ରେସ ସଭାପତି ଚୟନ ପାଇଁ ଗଠିତ କମିଟି ନିକଟରେ ନିଜ ପାଇଁ ସୁପାରିଶ କରିଛନ୍ତି । ସଭାପତି ପଦ ପାଇଁ କରାଯାଇଥିବା ଫର୍ମରେ ବାୟୋଡାଟା ପୂରଣ କରିବା ସହ ଯୁବ ସଭାପତି ପାଇଁ ଦାବି ଜଣାଇଛନ୍ତି । ସଭାପତି ଚୟନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ସମସ୍ତ ଆଶାୟୀଙ୍କ କଥା ଶୁଣିବା ସହ ଏହା ଉପରେ ଚର୍ଚ୍ଚା କରିଛନ୍ତି ।

ଆସନ୍ତା ତିନି ଦିନ ମଧ୍ଯରେ ବିଚାରବିମର୍ଶ କରି ଯୋଗ୍ଯ ପ୍ରାର୍ଥୀଙ୍କ ନାମ ପିସିସି ଜରିଆରେ ଏଆଇସିସିକୁ ପଠାଯିବ ବୋଲି କୁହାଯାଇଛି । ନିଜର ସଂଗଠନ, ଦଳପ୍ରତି ଆନୁଗତ୍ଯ ଏବଂ ବର୍ତ୍ତମାନ ସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମକୁ କେଉଁ ଯୁବନେତା ଆଗକୁ ନେଇପାରିବ ତାକୁ ନେଇ ହିଁ ଯୁବ କଂଗ୍ରେସ ସଭାପତି ଚୟ ନ କରାଯିବ ବୋଲି କମିଟି ଅଧ୍ଯକ୍ଷ ତଥା ରାଜ୍ଯସଭା ସାଂସଦ ରଂଜୀବ ବିଶ୍ବାଳ କହିଛନ୍ତି । ଅନ୍ଯପକ୍ଷରେ ଆଶାୟୀ ମାନେ ନିଜ ନିଜର ଯୋଗ୍ଯତା ସଂପର୍କରେ କମିଟି ଆଗରେ ମତ ରଖିବା ସହ ସଭାପତି ହେଲେ କଂଗ୍ରେସକୁ ଆଗକୁ ନେଇପାରିବେ ବୋଲି ଆଶାୟୀ ମାନେ ମତ ଦେଇଛନ୍ତି । ଯୁବ କଂଗ୍ରେସ ଛାତ୍ର ଏବଂ ମହିଳା କଂଗ୍ରେସ ଭଳି କଂଗ୍ରେସର ପ୍ରମୁଖ ଫ୍ରଣ୍ଟାଲ ସଂଗଠନର ମୁଖିଆ ପଦ ଫାଙ୍କା ରହିଛି ।

ଏଭଳି ସ୍ଥିତିରେ ଯୋଗ୍ଯ ପ୍ରାର୍ଥୀମାନଙ୍କୁ ଚୟ ନ କରି କଂଗ୍ରେସ ତାର ସାଂଗଠନିକ ଅଭିଯାନ ଜୋରଦାର କରିବାକୁ ଯୋଜନା କରିଛି । ଆସନ୍ତା ଏକ ମାସ ମଧ୍ଯରେ ଯୁବ ଛାତ୍ର ମହିଳା କଂଗ୍ରେସର ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବାକୁ ଯୋଜନା ହୋଇଛି । ମହିଳା ଏବଂ ଛାତ୍ର କଂଗ୍ରେସ ସଭାପତି ଚୟନ ପାଇଁ ଗଠିତ କମିଟି ରିପୋର୍ଟ ଦେଇ ସାରିଥିବାବେଳେ ଯୁବ କଂଗ୍ରେସ ସଭାପତି ପାଇଁ ଗଠିତ କମିଟି ପାଖରେ ଆଶାୟୀ ମାନେ ଦମ ଦେଖାଇଛନ୍ତି । ଯୁବ କଂଗ୍ରେସ ସଭାପତି ପଦ ପାଇଁ ଉତ୍କଳ ବିଶ୍ବବିଦ୍ଯାଳୟର ପୂର୍ବତନ ସଭାପତି ମନୋଜ ବିଶ୍ବାଳ, ଯୁବ ନେତା ଅଭିଳାଷ ମାଣିଆ, ରାଜୀବ ପଟ୍ଟନାୟକ, ନିରଞ୍ଜନ  ନାୟକ ପ୍ରମୁଖ ଯୁବ କଂଗ୍ରେସ ସଭାପତି ଦାବିଦାର ଭାବେ ରହିଛନ୍ତି । ମୋଟ 5 ରୁ 6 ଜଣ ପ୍ରମୁଖ ଦାବିଦାର ରହିଥିବାବେଳେ ସେମାନଙ୍କ ମଧ୍ଯରୁ ଯୋଗ୍ଯ ପ୍ରାର୍ଥୀଙ୍କ ନାମ ତୁରନ୍ତ ସୁପାରିଶ କରାଯିବ ବୋଲି କୁହାଯାଇଛି ।