୭ ଥର ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି ରାନୁ
ମେକଅପକୁ ନେଇ ଟ୍ରୋଲ ହେବା ପୂର୍ବରୁ ରାନୁ ୬ଥର ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛନ୍ତି ।
Trending Photos

ସୁଭଦ୍ରା ବେହେରା, ଭୁବନେଶ୍ୱର: ଏବେ ରାନୁ ମଣ୍ଡଳ ପ୍ରାୟ ସବୁ ସମୟରେ ଇଣ୍ଟରନେଟରେ ଛାଇ ହୋଇରହୁଛନ୍ତି । କେତେବେଳେ ତାଙ୍କର ଗୀତ ଭାଇରାଲ ହେଉଛି ତ କେତେବେଳେ ତାଙ୍କ ସହ ଜଡ଼ିତ ଅନ୍ୟ କିଛି ଖବର । ବର୍ତ୍ତମାନ ଇଣ୍ଟରନେଟରେ ରାନୁଙ୍କ ମେକଅପ ଫଟୋ ଖୁବ୍ ଭାଇରାଲ ହେଉଛି । ୧୫ ନଭେମ୍ବରରେ କାନପୁରରେ ସନ୍ଧ୍ୟା ମେକଓଭର ସେଲୁନର ଏକ ବ୍ରାଞ୍ଚର ଓପନିଂ ସେରିମନି ଥିଲା । ସେହି ଇଭେଣ୍ଟକୁ ରାନୁ ମଣ୍ଡଳଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସେଠାରେ ତାଙ୍କୁ ମେକଅପ ମଧ୍ୟ କରାଯାଇଥିଲା । ଆଉ ସେହି ସମୟର ମେକଅପ ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ବହୁ ଲୋକେ ତାଙ୍କୁ ଟ୍ରୋଲ କରିବା ସହ ଏହି ଫଟୋକୁ ନେଇ ବହୁତ ମିମ୍ସ ମଧ୍ୟ ବନାଇଥିଲେ । ତାଙ୍କର ଏହି ଭାଇରାଲ ମେକଅପ ଫଟୋକୁ ନେଇ ବହୁ ପ୍ରଶ୍ନ ମଧ୍ୟ ଉଠାଇଥିଲେ ସୋସିଆଲ ମିଡିଆ ୟୁଜର୍ସ । ହେଲେ ପରେ ମେକଅପ ଆର୍ଟିଷ୍ଟ ସନ୍ଧ୍ୟା ସ୍ପଷ୍ଟୀକରଣ ଦେଇଥିଲେ ଯେ ଭାଇରାଲ ହୋଇଥିବା ରାନୁଙ୍କ ଫଟୋ ଫେକ୍ ଅଟେ । ଏହି ଫଟୋକୁ ଏଡିଟ୍ କରାଯାଇଥିବା କହିଛନ୍ତି ମେକଅପ୍ ଆର୍ଟିଷ୍ଟ ସନ୍ଧ୍ୟା । ଏଥିସହ ସେହି ଇଭେଣ୍ଟ ସମୟର ପ୍ରକୃତ ଫଟୋକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ । ଆଉ ସେହି ଫଟୋଟି ଭାଇରାଲ ହୋଇଥିବା ଫଟୋଠୁ ସମ୍ପୂର୍ଣ୍ଣ ଅଲଗା ଥିଲା । ସେହି ଫଟୋରେ ରାନୁଙ୍କ ମୁହଁରେ ଅଧିକ ମେକଅପ୍ ଲାଗିନଥିଲା । ହେଲେ ଯାହାବି ହେଉ ଇଣ୍ଟରନେଟରେ ରାନୁ ମଣ୍ଡଳ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି । ତେବେ ଏହି ମେକଅପକୁ ନେଇ ଟ୍ରୋଲ ହେବା ପୂର୍ବରୁ ରାନୁ ୬ଥର ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛନ୍ତି ।
ଆସନ୍ତୁ ଜାଣିବା ରାନୁଙ୍କ ଇଣ୍ଟରନେଟ ବ୍ରେକ ବିଷୟରେ ଯାହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା
୧ -ଏକ ପ୍ୟାର କା ନଗମା ହୈ ... ଗୀତ ଗାଇ ରାନୁ ମଣ୍ଡଲ ପ୍ରଥମେ ଇଣ୍ଟରନେଟରେ ଛାଇଯାଇଥିଲେ । ସେ ରେଲୱେ ଷ୍ଟେସନରେ ଗୀତ ଗାଉଥିବା ବେଳେ କେହି ଜଣେ ବ୍ୟକ୍ତି ତାଙ୍କ ଭିଡିଓ ରେକର୍ଡ କରି ଇଣ୍ଟରନେଟରେ ଛାଡିଥିଲେ । ଆଉ ଏହି ଭିଡିଓଟି ଖୁବ ଭାଇରାଲ ହୋଇଥିଲା। ଲୋକେ ତାଙ୍କ ସ୍ୱରକୁ ଭୂରିଭୂରି ପ୍ରଶଂସା ମଧ୍ୟ କରିଥିଲେ । ତାଙ୍କ ଭିଡିଓଟି ଏତେ ଭାଇରାଲ ହୋଇଥିଲା ଯେ ତାଙ୍କୁ ମୁମ୍ବାଇରୁ ଡକରା ଆସିଥିଲା । ଆଉ ତାପରେ ସେ ଏକ ରିଅଲିଟି ସୋରେ ଗୀତ ପରିବେଷଣ କରିଥିଲେ । ଯେଉଁଠାରେ ହିମେଶ ରେସମିୟାଁ ତାଙ୍କୁ ଫିଲ୍ମରେ ଗୀତ ଗାଇବା ପାଇଁ ଅଫର କରିଥିଲେ । ଆଉ ତାପରେ ରାନୁ ମଣ୍ଡଲ ଗୋଟେ ପରେ ଗୋଟେ ଗୀତ ଗାଇ ଚାଲିଲେ । ବର୍ତ୍ତମାନ ସୁଦ୍ଧା ରାନୁ ବଲିଉଡରେ ୩ଟି ଗୀତ ଗାଇ ସାରିଛନ୍ତି । ଯେଉଁଥିରୁ ୨ଟି ଗୀତ ରିଲିଜ ମଧ୍ୟ ହୋଇସାରିଛି ।
୨-ହିମେଶ ରେସମିୟାଁଙ୍କ ସହ ରାନୁ ମଣ୍ଡଳ ଏକ ଷ୍ଟୁଡିଓରେ ଗୀତ ଗାଉଥିବାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା । ତେରି ମେରି କାହାନୀ ଗୀତ ଗାଇ ରାନୁ ଇଣ୍ଟରନେଟ ସେନସେସନ ବନିଯାଇଥିଲେ । ହିମେଶଙ୍କ ସହ ରାନୁ ଗୀତ ଗାଉଥିବାର ଏକ ଛୋଟିଆ କ୍ଲିପ ହିମେଶ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଥିଲେ । ଏହି କ୍ଲିପଟି ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା । କିଛି ଲୋକ ଏହି ଗୀତକୁ କପି କରି ଅଲଗା ଅଲଗା ଭିଡିଓ ମଧ୍ୟ ବନାଇଥିଲେ ।
୩- ଏହାପରେ ଇଣ୍ଟରନେଟରେ ରାନୁଙ୍କୁ ନେଇ ଏମିତି ଏକ ଖବର ଆସିଲା ଯାହା ହଇଚଇ ସୃଷ୍ଟି କରିଥିଲା । ଆଉ ସେ ଖବରଟି ଥିଲା ରାନୁ ମଣ୍ଡଲଙ୍କୁ ସଲମାନ ଖାନ ଏକ ଫ୍ଲାଟ ଗିଫ୍ଟ କରିଛନ୍ତି । ହେଲେ ପରେ ଏହି ଖବରଟି ମିଥ୍ୟା ପ୍ରମାଣିତ ହୋଇଥିଲା ।
୪ - ରାନୁ ମଣ୍ଡଲ ଭାଇରାଲ ହେବା ପରେ ଲତା ମଙ୍ଗେସକର ତାଙ୍କ ଉପରେ ଏକ ବଡ଼ କଥା କହିଥିଲେ ଆଉ ତାହା ଥିଲା "ଯଦି ମୋ ନାଁ ଆଉ କାମରେ କାହାର ଭଲ ହେଇଛି ତାହାହେଲେ ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି । ହେଲେ ମୋତେ ଲାଗୁଛି ନକଲ କରିବା ଦ୍ୱାରା ସଫଳତା ମିଳେନା ଆଉ ଏହା ବିଶ୍ୱସନୀୟତା ନୁହେଁ , ମୋ ଗୀତ ହେଉଁ କିମ୍ବା କିଶୋର ଭାଇଙ୍କ ଗୀତ , ମହମ୍ମଦ ରଫିଙ୍କ ଗୀତ ହେଉ କି ମୁକେଶ ଭାଇଙ୍କ ଗୀତ କିମ୍ବା ଆଶା ଭୋଁସଲେଙ୍କ ଗୀତ ଗାଇକି ଆପଣ କିଛି ସମୟ ପାଇଁ ପ୍ରସିଦ୍ଧ ହୋଇପାରିବେ , ହେଲେ ଏହା ବହୁ ସମୟ ପର୍ଯ୍ୟନ୍ତ ଆପଣଙ୍କ ସାଥ୍ ଦେବନି ମୋ ଗୀତ ବହୁତ ଲୋକ ବହୁତ ଭଲ ଭାବେ ଗାଆନ୍ତି, ହେଲେ ପ୍ରଥମ ସଫଳତା ମିଳିବା ପରେ ଆପଣ କେତେ ଲୋକଙ୍କୁ ମନେ ରଖିଛନ୍ତି ? ମୁଁ କେବଳ ସୁନିଧି ଚୌହ୍ୱାନ ଏବଂ ଶ୍ରେୟା ଘୋଷଲଙ୍କୁ ଜାଣିଛି । ଆପଣ ବାସ୍ତବିକ ରୁହନ୍ତୁ ମୁଁ କେବଳ ଏହା କହିବାକୁ ଚାହୁଁଛି ଯେ ଆପଣ ମୋର ଏବଂ ମୋ ସହକର୍ମୀଙ୍କ ଗୀତ ଗାଆନ୍ତୁ କିନ୍ତୁ ପରେ ଆପଣ ନିଜ ଗୀତ ବି ଗାଆନ୍ତୁ । ଯଦି ଆଶା ଭୋଁସଲେ ନିଜ ଗୀତ ଉପରେ ଜୋର ଦେଇନଥାନ୍ତେ ତେବେ ସେ ଆଜବି କେବଳ ମୋର ପ୍ରତିଛବି ହୋଇ ରହିଯାଇଥାନ୍ତା । ଏଇଟା ହିଁ ସବୁଠୁ ବଡ଼ ଉଦହାରଣ , ନିଜର ଗୁଣ ଆପଣଙ୍କୁ ବହୁତ ଆଗକୁ ନେଇ ଯାଇପାରିବ "।
ଏହା ଉପରେ ହିମେଶ ରେସମିୟାଁ ରାନୁ ମଣ୍ଡଲଙ୍କ ତରଫରୁ ଜବାବ ଦେଇଥିଲେ। ସେ କହିଥିଲେ ଲତା ମଙ୍ଗେସକରଙ୍କ କଥାର ମହତ୍ୱ ବୁଝିବାର ଅଛି । ମୋତେ ଲାଗୁଛି ରାନୁ ଟ୍ୟାଲେଣ୍ଟ ସହିତ ହିଁ ଜନ୍ମ ହୋଇଛନ୍ତି । ଆଉ ସେ ଲତାଜୀଙ୍କ ଠାରୁ ପ୍ରଭାବିତ ହୋଇଛନ୍ତି । ଲତାଜୀଙ୍କ ପରି କେହି ବି ହୋଇପାରିବେ ନାହିଁ । ସେ ବେଷ୍ଟ ଅଟନ୍ତି । ରାନୁ ନିଜର ଏକ ସଫର ଆରମ୍ବ କରିଛନ୍ତି । ଲୋକେ ଲତା ଜୀଙ୍କର ବୟାନଙ୍କୁ ଭୁଲ ଅର୍ଥରେ ନେଉଛନ୍ତି । ମୋ ହିସାବରେ ଲତାଜୀ ରାନୁ ମଣ୍ଡଳଙ୍କୁ କହିଥିଲେ କି କାହାଠୁ ପ୍ରଭାବିତ ହେବା ଭଲକଥା କିନ୍ତୁ କାହାକୁ ନକଲ କରିବା ଭଲ କଥା ନୁହେଁ , ଆଉ ମୋତେ ଲାଗୁନି ରାନୁ କାହା ସ୍ୱରକୁ ନକଲ କରିଛନ୍ତି ।
ତେବେ ଲତା ମଙ୍ଗେସକରଙ୍କ ବୟାନ ପରେ ରାନୁ ମଣ୍ଡଲ ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥିଲେ ।
୫-ଏହାପରେ କିଛି ଦିନ ପୂର୍ବରୁ ରାନୁ ଲତା ମଙ୍ଗେସକରଙ୍କୁ ଭେଟିବାର ଭିଡିଓ ଭାଇରାଲ ହୋଇଥିଲା । ହେଲେ ପରେ ଏହି ଭିଡିଓ ଫେକ ଭିଡିଓ ବୋଲି ଜଣା ପଡ଼ିଥିଲା।
୬ - ରାନୁଙ୍କ ଫ୍ୟାନ୍ସ ଯେତେବେଳେ ତାଙ୍କ ସହ ସେଲ୍ଫି ନେବା ପାଇଁ ଆସିଥିଲେ । ସେତେବେଳେ ରାନୁ ରାଗିଯାଇଥିଲେ । ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ରାନୁ ଏକ ଷ୍ଟୋରରେ ଥିବା ବେଳେ ଜଣେ ମହିଳା ତାଙ୍କ ନିକଟକୁ ଆସି ତାଙ୍କ ସହ ସେଲଫି ନେବା ପାଇଁ ରାନୁଙ୍କୁ ନିବେଦନ କରିଥିଲେ । ଏହି ସମୟରେ ରାନୁଙ୍କୁ ମହିଳା ଜଣଙ୍କ ହାତରେ ଛୁଇଁଥିଲେ । ଏହି କଥାକୁ ନେଇ ରାନୁ ବହୁତ ବିଗିଡ଼ି ଯାଇଥିଲେ । ଆଉ ମହିଳାଙ୍କ ଉପରେ ଚିଲାଇବାକୁ ଲାଗିଥିଲେ । ଆଉ କହିଥିଲେ ମୋତେ କାହିଁକି ଛୁଇଁଲ ? ଏହି ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଫ୍ୟାନ୍ସ ମାନେ ରାନୁଙ୍କ ଏହି ବ୍ୟବହାର ଉପରେ କ୍ଷୋଭ ପ୍ରକାଶ କରିଥିଲେ ।
More Stories