କୋରୋନା ସଂକଟ ସମୟରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଆୟୋଜନକୁ ନେଇ ଦେଖା ଦେଇଥିବା ଅସୁବିଧା ବାବଦରେ ବିରୋଧିଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜ୍ୟ ସରକାର |
Trending Photos
)
ଭୁବନେଶ୍ୱର: ରଥଯାତ୍ରା ଆୟୋଜନକୁ ଆରମ୍ଭ ହୋଇଯାଇଛି ତର୍କବିତର୍କ | ଏହାକୁ ନେଇ ରାଜ୍ୟରେ ଜାରି ରହିଛି ଚର୍ଚ୍ଚା | କୋରୋନା ସଂକଟ ସମୟରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଆୟୋଜନକୁ ନେଇ ଦେଖା ଦେଇଥିବା ଅସୁବିଧା ବାବଦରେ ସରକାରଙ୍କୁ ପ୍ରଶ୍ନ କରିଥିଲେ ବିରୋଧି | ଯାହାର ଜବାବ ରଖିଛି ଶାସକ ବିଜୁ ଜନତା ଦଳ(ବିଜେଡି) |
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ରଥଯାତ୍ରା ଆୟୋଜନକୁ ନେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁନାହାଁନ୍ତି | ଏନେଇ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଦାଏର ହୋଇଥିଲା | ଏବେ ମାମଲା ସୁପ୍ରିମକୋର୍ଟରେ ବିଚରାଧିନ ରହିଛି | ମନ୍ଦିର ପରିଚାଳନା କମିଟି ବିଭିନ୍ନ ନିଯୋଗ ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରୁଛି | ମହାପ୍ରଭୁ ଜଗନ୍ନାଥଙ୍କ ଇଛା ଅନୁସାରେ ସବୁ ପ୍ରସ୍ତୁତି ଚାଲିଛି |
କୋଭିଡ୧୯ ମୁକାବିଲା ପାଇଁ ଜାରି ହୋଇଥିବା ଗାଇଡଲାଇନ ଓ ନିୟମକୁ କିପରି ଅନୁସରଣ କରି ରଥାଯାତ୍ରା ଆୟୋଜିତ ହୋଇପାରିବ, ସେ ନେଇ ସରକାର ସବୁ ଦିଗକୁ ଅନୁଶୀଳନ କରି ପଦକ୍ଷେପ ନେଉଛନ୍ତି | ବାରମ୍ବାର ସେହି ପ୍ରସଙ୍ଗକୁ ଉଠାଇ ବିରୋଧି ତାହାକୁ ଚର୍ଚ୍ଚାର ପରିସର ମଧ୍ୟକୁ ଆଣୁଛନ୍ତି | ଭକ୍ତଙ୍କ ଭାବାବେଗ ଓ ପରମ୍ପରାକୁ ନେଇ ରଥଯାତ୍ରା କରିବା ଏବେ ଚ୍ୟାଲେଞ୍ଜ ହୋଇପଡିଛି | ସବୁ ଦିଗକୁ ଅନୁଶୀଳନ କରି କରାଯାଉଛି | ମହାପ୍ରଭୁଙ୍କ ଇଛା ହେଲେ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇ ପାରିବ |
ଅନ୍ୟପଟେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଚଳିତ ବର୍ଷର ରଥଯାତ୍ରା ଆୟୋଜନ ଉପରେ ମତାମତ ରଖି କହିଥିଲେ, ସରକାର ଟାଳଟୁଳ ନୀତି ଗ୍ରହଣ ନ କରନ୍ତୁ | ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆୟୋଜନ କରିବା ନେଇ ତୁରନ୍ତ ନିଷତ୍ତି ନିଅନ୍ତୁ |
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ରଥଯାତ୍ରା ଆୟୋଜନ ସମ୍ପର୍କରେ ମତ ରଖି କହିଛନ୍ତି, ଦିନକ ମଧ୍ୟରେ ରଥଯାତ୍ରା ଆୟୋଜନକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର | ରଥଯାତ୍ରାକୁ ସାରା ବିଶ୍ୱ ଅନେଇ ବସିଛି | ଟିଭି ଜରିଆରେ ଲୋକେ ଏହାର ଦର୍ଶନ କରି ପାରିବେ | ଲୋକଙ୍କ ଅନୁରୋଧ ଶୁଣି ଦେଶର ପ୍ରଧାନମନ୍ତ୍ରୀ ରଥ ତିଆରି ପାଇଁ ଅନୁମତି ଦେଲେ | ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି | ମୁଖ୍ୟମନ୍ତ୍ରୀ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଆମର ନିବେଦନ | କେବଳ ପୋଲିସ ଓ ସେବାୟତ ରଥ ଟାଣନ୍ତୁ | କୌଣସି ମନ୍ତ୍ରୀ, ବିଧାୟକ କିମ୍ବା ସଚିବଙ୍କୁ ରଥ ପାଖକୁ ଯିବା ପାଇଁ ଅନୁମତି ଦିଆନଯାଉ |
ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଚଳିତ ବର୍ଷର ରଥଯାତ୍ରା ଆୟୋଜନ କରିବାକୁ ନେଇ ପ୍ରତିକ୍ରିୟା ରଖି କହିଥିଲେ ଏହି ଘଟଣାକୁ ଆଉ ବିବାଦୀୟ ନକରି ମୁଖମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ | ଜଗନ୍ନାଥପ୍ରେମୀ ଏବଂ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ କିଛି ଆଶା କରିଛନ୍ତି | ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ | ସେ ଯାହା କହିବେ ଲୋକେ ତାକୁ ଗ୍ରହଣ କରିବେ | ରଥଯାତ୍ରା ହେବା ନିଶ୍ଚିତ |
ରଥଯାତ୍ରା ବିନା ଭକ୍ତରେ ହେବ | ସରକାର ଶୀଘ୍ର ନିଷ୍ପତ୍ତି ନିଅନ୍ତୁ | କୋଭିଡ୧୯ ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯେଉଁ ଗାଇଡ଼ଲାଇନ ଜାରି କରିଛନ୍ତି ସେହି ଅନୁସାରେ ବ୍ୟବସ୍ଥା କରାଯାଉ | ଆମେ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛୁ | ୧୫୦୦ରୁ ୨୦୦୦ ସେବାୟତ ପ୍ରସ୍ତୁତ ଓ ରଥ ବି ପ୍ରସ୍ତୁତ ରହିଛି | ଯେତେବେଳେ ବଡ଼ ଦାଣ୍ଡରେ ବାଲି ଥିଲା ଓ ଭକ୍ତ କମ ଥିଲେ ସେବେ ହାତୀ ମାଧ୍ୟମରେ ରଥ ଟଣା ଯାଉଥିଲା | ରଥ ଟାଣିବା ଲାଗି ହେଲେ ଏବେ ହାତୀ ନାହାଁନ୍ତି | ସେହିପରି ମେସିନ ଯୋଗେ ରଥ ଟଣାଯିବା ଠିକ ନୁହେଁ | ସେବାୟତ ଓ ପୋଲିସ ମାଧ୍ୟମରେ ରଥ ଟଣା ହେଉ | ଜଗନ୍ନାଥଙ୍କ ପ୍ରସଙ୍ଗରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଯିବା କିମ୍ବା ରାଜନୀତି କରିବା ଠିକ ନୁହେଁ | ଆସନ୍ତା ୧୮ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ | ଆମେ ଆଶା କରୁଛୁ ସକରାତ୍ମକ ନିଷ୍ପତ୍ତି ଆସିବ ବୋଲି ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର କହିଥିଲେ |