ରବିବାର କଣ ପାଇଁ ହୋଇଥାଏ ଛୁଟି ? ଜାଣନ୍ତୁ ଏହାର ଇତିହାସ

କେବେ ଆପଣ ଭାବିଛନ୍ତି ରବିବାରକୁ ଆମେ କାହିଁକି ଛୁଟିର ଦିନ ବୋଲି ମାନିଥାଉ । ସପ୍ତାହକ ୭ଟି ଦିନ ଭିତରୁ ରବିବାରକୁ ହିଁ କାହିଁକି ଛୁଟି ଦିନ ରୂପେ ଗଣାଯାଏ । ଏହା ପଛରେ କଣ କାରଣ ରହିଛି ? ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ରବିବାର କଣ ପାଇଁ ହୋଇଥାଏ ଛୁଟି ? ଜାଣନ୍ତୁ ଏହାର ଇତିହାସ

ସୁଭଦ୍ରା ବେହେରା, ଭୁବନେଶ୍ୱର: ପୁରା ସପ୍ତାହରେ ସମସ୍ତେ ଗୋଟିଏ ଦିନକୁ ହିଁ  ଅପେକ୍ଷା କରିଥାନ୍ତି, ଆଉ ସେ ଦିନଟି ହେଲା ରବିବାର । ସ୍କୁଲ ଯାଉଥିବା ପିଲା ହୁଅନ୍ତୁ କିମ୍ବା ଚାକିରୀ କରୁଥିବା ବ୍ୟକ୍ତି ସମସ୍ତେ ରବିବାରକୁ ଅପେକ୍ଷା କରିଥାନ୍ତି । ରବିବାର ଦିନଟି ସମସ୍ତଙ୍କ ପାଇଁ ଛୁଟିର ଦିନ । ଏହି ଦିନ ଲୋକେ ନିଜକୁ ସମୟ ଦେବା ସହିତ ପରିବାର ଲୋକଙ୍କ ସହ କିଛି ସୁନ୍ଦର ମୂହୁର୍ତ୍ତ ବିତାଇଥାନ୍ତି । ପୁରା ସପ୍ତାହ କାମ କରିବା ପରେ ଆମେ ରବିବାରକୁ ଅପେକ୍ଷା କରିଥାଉ । କାହିଁକି ନା ରବିବାର ସବୁ ସରକାରୀ ଅଫିସ, ସ୍କୁଲ, କଲେଜ ଆଉ ବ୍ୟାଙ୍କ ଛୁଟି ଥାଏ । ଏହି ଦିନ କାମ କମ ମନୋରଞ୍ଜନ ଅଧିକ ହୋଇଥାଏ । ହେଲେ କେବେ ଆପଣ ଭାବିଛନ୍ତି ରବିବାରକୁ ଆମେ କାହିଁକି ଛୁଟିର ଦିନ ବୋଲି ମାନିଥାଉ । ସପ୍ତାହକ ୭ଟି ଦିନ ଭିତରୁ ରବିବାରକୁ ହିଁ କାହିଁକି ଛୁଟି ଦିନ ରୂପେ ଗଣାଯାଏ । ଏହା ପଛରେ କଣ କାରଣ ରହିଛି ? ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ପୂର୍ବରୁ ଆମଦେଶରେ ବ୍ରିଟିଶ ମାନେ ରାଜ କରୁଥିଲେ । ସେତେବେଳେ ମଜଦୁର ମାନଙ୍କୁ ସାତଦିନ କାମ କରିବାକୁ ପଡ଼ୁଥିଲା । ତାଙ୍କୁ କୌଣସି ଛୁଟି ମିଳୁନଥିଲା । ଏହା ଦ୍ୱାରା ମଜଦୁର ମାନଙ୍କ ଅବସ୍ଥା ଖରାପ ହୋଇଯାଉଥିଲା । କେବଳ ଏତିକି ନୁହେଁ ଏମାନଙ୍କୁ ଖାଇବା ପାଇଁ ମଧ୍ୟ ସମୟ ଦିଆଯାଉନଥିଲା ।  ହେଲେ ସେତେବେଳେ ମଜଦୁରଙ୍କ ଶୋଷଣ ବିରୋଧରେ ନିଜ ସ୍ୱର ଉଠାଇଥିଲେ ଜଣେ ଭାରତୀୟ ।  ମଜଦୁରଙ୍କୁ ସପ୍ତାହରୁ ଗୋଟିଏ ଦିନ ଛୁଟିଦେବା ପାଇଁ ସେ ଆନ୍ଦୋଳନ କରିଥିଲେ । ସେ ଦୀର୍ଘ ୮ ବର୍ଷ ଧରି ଆନ୍ଦୋଳନ ଚଳାଇ ତତ୍କାଳୀନ ଇଂରେଜ ସରକାରଙ୍କୁ ବାଧ୍ୟ କରିଥଲେ ରବିବାରର ଦିନକୁ ଛୁଟିର ଦିନ ରୂପେ ଘୋଷଣା କରିବା ପାଇଁ ।

ସେହି ମହାପୁରୁଷ ଜଣକ ହେଲେ ନାରାୟଣ ମେଘାଜୀ ଲୋଖଣ୍ଡେ, ସେ  ଏହି ଆନ୍ଦୋଳନ ୧୮୮୧ରୁ ଆରମ୍ଭ କରିଥିଲେ । ୧୮୮୧ରେ ସେ ଇଂରେଜ ସରକାରଙ୍କ ସମ୍ମୁଖରେ ତାଙ୍କର ପ୍ରସ୍ତାବ ରଖିଥିଲେ । ହେଲେ ସେତେବେଳେ ଇଂରେଜ ଏହାକୁ ମାନିବାକୁ ନାରାଜ ଥିଲେ । ଆଉ ଏହାପରେ ସେ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଆଉ ଏହି ଆନ୍ଦୋଳନ ଦିନକୁ ଦିନ ବଢିବାକୁ ଲାଗିଲା , ଆଉ ତା' ପରେ  ବାଧ୍ୟ ହୋଇ ୧୮୮୯ରେ ଇଂରେଜ ମାନେ  ରବିବାରକୁ ସାପ୍ତାହିକ ଛୁଟି ଦିନ ଭାବେ ଘୋଷଣା କରିଲେ । ସେବେଠୁ ହିଁ ଭାରତରେ ରବିବାରକୁ ଛୁଟିର ଦିନ ଭାବେ ଜଣାଯାଇଥାଏ ।

ଧାର୍ମିକ କାରଣ

ରବିବାର ଛୁଟିକୁ ନେଇ ଧାର୍ମିକ ବିଚାର ମଧ୍ୟ ରହିଛି । ହିନ୍ଦୁ ଧର୍ମ ହିସାବରେ ସପ୍ତାହର ଆରମ୍ଭ ରବିବାରରୁ ହୋଇଥାଏ, କାହିଁକି ନା ରବିବାର ସୂର୍ଯ୍ୟ ଦେବତାଙ୍କ ଦିନ । ସୂର୍ଯ୍ୟଙ୍କୁ ସବୁ ଗ୍ରହଙ୍କ ଦେବତା ରୂପେ ଗଣନା କରାଯାଏ । ସେଥିପାଇଁ ଏହି ଦିନ ପୂଜା ପାଠ କରିବା ଦ୍ୱାରା ସବୁ ଗ୍ରହଙ୍କ କୃପା ଦୃଷ୍ଟି ପଡ଼େ । ଏହା କୌଣସି ଆଜି କାଲିର କଥା ନୁହେଁ, ଏହି ପ୍ରଥା କେଉଁ ପ୍ରାଚୀନ କାଳରୁ ଚାଲିଆସିଛି ।  ତେଣୁ ଧାର୍ମିକ କାରଣରୁ ରବିବାରକୁ ଛୁଟିର ଦିନ ଭାବେ ଗ୍ରହଣ କରାଯାଇଛି ।

ସେହିପରି ଖ୍ରୀଷ୍ଟ ଧର୍ମ ଗ୍ରନ୍ଥ ଅନୁସାରେ ଭଗବାନ ଯୀଶୁଙ୍କୁ ଫାଶି ଲଗାଯିବାର ୩ ଦିନ ପରେ ସେ ପୁନର୍ଜୀବିତ ହୋଇଯାଇଥିଲେ । ଆଉ ସେହିଦିନ  ରବିବାର  ଥିଲା । ଖ୍ରୀଷ୍ଟ ଧର୍ମରେ ରବିବାରକୁ ଇଷ୍ଟର କୁହାଯାଇଥାଏ । ଭଗବାନ ଯୀଶୁ ପୁନର୍ଜୀବିତ ହୋଇଥିବାରୁ ଖ୍ରୀଷ୍ଟ ଧର୍ମୀ ଏହାକୁ ଇଷ୍ଟର ବା ଇଷ୍ଟର ରବିବାର ଭାବେ ମାନିଥାନ୍ତି । ଧୀରେ ଧୀରେ ରବିବାରକୁ  ଛୁଟି ଦିବସ ଭାବେ ଗ୍ରହଣ କରିନିଆଯାଇଛି ।

ସେହିପରି ମୁସଲିମ ସମ୍ପ୍ରଦାୟ ଦେଶରେ ଶୁକ୍ରବାରକୁ ଛୁଟି ଦିଆଯାଇଥାଏ । କାହିଁକି ନା  ଶୁକ୍ରବାର ମୁସଲମାନ ସମ୍ପ୍ରଦାୟର ଜୁମ୍ମା ଥାଏ । ସେଥିପାଇଁ ରବିବାର ପରିବର୍ତ୍ତେ ଶୁକ୍ରବାରକୁ ଛୁଟିର ଦିନ ଭାବେ ଗ୍ରହଣ କରିନେଇଛନ୍ତି ।