ଆମ ଗାଁ କୁ...

କେନ୍ଦୁଝର ଘସିପୁରା ବ୍ଲକରେ ରହିଛି  ଓସ୍ତପୁରା ଗାଁ ।

ଆମ ଗାଁ କୁ...
ଫଟୋ ସୌଜନ୍ୟ: ପ୍ରତିନିଧି, ଘସିପୁରା

ନାରାୟଣ ସାହୁ, ଘସିପୁରା: କେନ୍ଦୁଝର ଘସିପୁରା ବ୍ଲକରେ ରହିଛି  ଓସ୍ତପୁରା ଗାଁ । ହେଲେ ଏହି ଗାଁର ରାସ୍ତା ଅବସ୍ଥା ଏବେ ଶୋଚନୀୟ । ଗାଁକୁ ଯାତାୟାତ ପାଇଁ ଥିବା ରାସ୍ତାରେ ଭରିଯାଇଛି ଖାଲଖମା । ରାସ୍ତା ଖରାପ ଥିବାରୁ ଯାତାୟାତରେ ଅନେକ ସମସ୍ୟା ସୃଷ୍ଟି ହେଉଛି । ଦୀର୍ଘ ବର୍ଷ ହେଲା ଏହି ରାସ୍ତାଟି ଏପରି ଅବସ୍ଥାରେ ପଡ଼ିରହିଛି । ରାସ୍ତାରେ କେବେ କଂକ୍ରିଟ କିମ୍ବା ପିଚୁ ପଡ଼ିନାହିଁ । ଖରା ଦିନରେ ପ୍ରବଳ ମାତ୍ରାରେ ଧୂଳି ଉଡୁଥିବା ବେଳେ ବର୍ଷା ଦିନେ ରାସ୍ତା ସାରା ପାଣି କାଦୁଅ ଭର୍ତ୍ତି ।

ଗ୍ରାମବାସୀଙ୍କ ପାଇଁ ଏହି ରାସ୍ତା ପାଲଟିଛି ଏବେ ମରଣଯନ୍ତା । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥବା ଅଭିଯୋଗ କରିଛନ୍ତି ଲୋକେ । ରାସ୍ତାର ଅନେକ ସ୍ଥାନରେ ଗୋଡ଼ି ପଥର ସବୁ ବାହାରି ପଡ଼ିଛି । ଏହି ରାସ୍ତାରେ ଚାଲିକି ଯିବା ମଧ୍ୟ ଲୋକଙ୍କ ପାଇଁ ସମ୍ଭବପର ନୁହେଁ । ଦୀର୍ଘ ବର୍ଷ ହେଲା ଏହି ରାସ୍ତାରେ କୌଣସି ମରାମତି କାମ କରାଯାଇନାହିଁ  । ପ୍ରତ୍ୟେକ ଦିନ ଏହି ରାସ୍ତାରେ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ସ୍କୁଲ ପିଲା ଯାତାୟାତ କରନ୍ତି । ମାତ୍ର ରାସ୍ତା ଅବସ୍ଥା ଖରାପ ଯୋଗୁଁ  ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସମସ୍ତେ ।

ବର୍ଷ ତମାମ ଯିବା ଆସିବା କରିବା କଷ୍ଟସାଧ୍ୟ ହୋଇପଡ଼ିଥିବା ବେଳେ ଅଞ୍ଚଳବାସୀ ପାଇଁ ବର୍ଷା ଦିନରେ ଏହି ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଯାଏ । ବର୍ଷା ଦିନେ ରାସ୍ତା ଅବସ୍ଥା ଏତେ ଖରାପ ହୋଇଯାଏ ଯେ ପିଲାମାନେ ସ୍କୁଲ କି ଅଙ୍ଗନୱାଡି ଯାଇପାରନ୍ତି ନାହିଁ । ଏପରିକି ବର୍ଷା ଦିନରେ ଗାଁର ସମସ୍ତ ଜରୁରୀକାଳୀନ  ସେବା ଠପ୍ ହୋଇଯାଏ । ରାସ୍ତା ଖରାପ ଯୋଗୁଁ ବର୍ଷା ଦିନେ ରାସ୍ତାରେ କୌଣସି ଗାଡ଼ି ଯାଇପାରୁ ନାହିଁ । ଫଳରେ ସମସ୍ତ ସେବାରୁ ଲୋକେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ସମସ୍ୟାର ସମାଧାନ ପାଇଁ  ବହୁବାର  ଲୋକ ପ୍ରତିନିଧିଙ୍କ  ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ  ଜଣାଇଥିଲେ ମଧ୍ୟ ଫଳ ଶୂନ । କେବଳ ପ୍ରତିଶ୍ରୁତି ହିଁ ମିଳୁଛି । ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀ ଏହି ରାସ୍ତାକୁ ନେଇ ସମସ୍ୟା ଭୋଗୁଥିଲେ ସୁଦ୍ଧା ଏଥିପ୍ରତି ପ୍ରଶାସନର ନଜର ପଡ଼ିନାହିଁ । ରାସ୍ତା ମରାମତି କରାଯିବ ବୋଲି ଘସିପୁରା ବିଡିଓ  ମଧୁସ୍ମିତା ସାମନ୍ତରାୟ କହିଛନ୍ତି ।

ଆହୁରି ପଢ଼ନ୍ତୁ; ମୁଁ ନର୍ସରୁ କେମିତି OAS ପାଇଲି।।।