)
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋରୋନା ପାଇଁ ଲକଡାଉନ ସ୍ଥିତି ଜାରି ରହିଛି। ଫଳରେ ଘରେ ଗୃହବନ୍ଦୀ ହୋଇ ରହିଛନ୍ତି ଦେଶବାସୀ। ଏହି ଲକଡାଉନ ସମୟରେ କିଛି ଜରୁରୀକାଳୀନ ସେବା ଜାରି ରହିଛି। ଏହି ଜରୁରୀକାଳୀନ ସେବା ମଧ୍ୟରେ ଗଣମାଧ୍ୟମ ପ୍ରମୁଖ ଭୁମିକା ଗ୍ରହଣ କରୁଛି। ତେବେ ଏଭଳି ସଂକଟ ସମୟରେ କିଛି ନକଲି ସାମ୍ବାଦିକ ମଧ୍ୟ ଏହାର ଫାଇଦା ନେବାକୁ ଆଗଭର ହୋଇ ପଡ଼ୁଛନ୍ତି। ଏହି ଲକଡାଉନ ସ୍ଥିତି ଜାରି ହେବା ପୂର୍ବରୁ ମଧ୍ୟ କିଛି ନକଲି ସାମ୍ବାଦିକ ଧରା ପଡ଼ିଥିବା ବେଳେ ଆଜି ଆଉ ଦୁଇ ନକଲି ସାମ୍ବାଦିକଙ୍କୁ ଚିହ୍ନଟ କରିଛି ପୋଲିସ।
ଘଟଣାଟି ଉତ୍ତରପ୍ରଦେଶର ମେରଠ ସହରର। ଏହି ସହରରେ ଦିନକୁ ଦିନ ନକଲି ସାମ୍ବାଦିକଙ୍କ ସଂଖ୍ୟ ବଢିବାରେ ଲାଗିଛି। ଏହି ଲକଡାଉନ ସମୟରେ କିଛି ଲୋକ ନକଲି ସାମ୍ବାଦିକଙ୍କ ପରିଚୟ ପତ୍ର ସୃଷ୍ଟି କରି ବେକରେ ପକାଇ ସହର ମଧ୍ୟରେ ଘୁରି ବୁଲୁଛନ୍ତି। ତେବେ ଏମାନଙ୍କ ପାଇଁ ରାଜ୍ୟ ସରକାର ବେଶ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ସୋମବାର ଦୁଇ ନକଲି ସାମ୍ବାଦିକଙ୍କୁ ଗିରଫ କରି ପଚରାଉଚୁରା ଜାରି ରଖିଛି। ତେବେ ତାଙ୍କୁ ଯେତେବେଳେ ପଚରାଉଚୁରା ଆରମ୍ଭ କରିଥିଲା, ସେତେବେଳେ ସେମାନଙ୍କର ଉତ୍ତର ଓ କଥା ଶୁଣିକି ତାଜୁବ ହୋଇ ରହିଥିଲା ପୋଲିସ।
କାରଣ ସେମାନେ ସ୍ଥାନୀୟ ଜିଲ୍ଲାପାଳ ଓ ଏଏସପିଙ୍କ ନାମ ମଧ୍ୟ ଠିକ ଭାବରେ କହିପାରିନଥିଲେ। ତେବେ ଅଧିକ ପଚରା ଉଚୁରା ପରେ ସେମାନଙ୍କ ମଧ୍ୟରୁ ଜଣେ ଅଷ୍ଟମ ପାସ ଓ ଅନ୍ୟ ଜଣେ ପଞ୍ଚମ ଫେଲ ବୋଲି ଜାଣିବାକୁ ପାଇଥିଲା ପୋଲିସ। ଅଷ୍ଟମ ପାସ କରିଥିବା ଯୁବକ ଅଜିମ କହିଥିଲା କି, କିଛି ଦିନ ପୁର୍ବରୁ ସେ ଟେଲରିଂ କାମ କରୁଥିଲା। ଏହା ପରେ ସେ ସାତ ରୁ ଆଠ ମାସ ଧରି ଫଟୋଗ୍ରାଫି କରି ଆସୁଥିଲା। ସେଠାରେ ଉପସ୍ଥିତ ଥିବା ଅନ୍ୟ ସାମ୍ବାଦିକମାନେ ଯେତେବେଳେ ସ୍ଥାନୀୟ ଜିଲ୍ଲାପାଳ ଓ ଏଏସପିଙ୍କ ନାମ ପଚାରିଥିଲେ ସେତେବେଳେ ସେମାନେ ଉତ୍ତର ଦେଇପାରିନଥିଲେ। ଏପରିକି ସେମାନେ ଦେଶର ପ୍ରଧାନମନ୍ତ୍ରୀ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ କହିପାରିନଥିଲେ।
ପୋଲିସର ବରିଷ୍ଠ ଅଧିକାରୀ ବିଜୟ ଗୁପ୍ତା କହିଛନ୍ତି କି, ଏମାନଙ୍କୁ ଗିରଫ ପରେ ତାଙ୍କୁ ପଚରାଉଚୁରା କରାଯିବ। ସେମାନଙ୍କର ମେଡ଼ିକାଲ ଯାଞ୍ଚ ପରେ ତାଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯିବ। ନକଲି ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରାଯିବ ବୋଲି ସେ କହିଥିଲେ।