ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମ ଭୂମି-ବାବ୍ରୀ ମସଜିଦ ମାମଲାରେ ସୁପ୍ରମିକୋର୍ଟରେ ହୋଇଯାଇଛି ଶୁଣାଣି । ବର୍ତ୍ତମାନ କୋର୍ଟରୁ କଣ ରାୟ ପ୍ରକାଶ ପାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାପୂର୍ବରୁ ବିଭିନ୍ନ ପକ୍ଷକାର ନିଜ ନିଜର ମତ ରଖୁଛି । ଏହି କ୍ରମରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ଶୁକ୍ରବାର ଏହି ମାମଲା ଉପରେ ମନ୍ତବ୍ୟ ଦେଇଛି ।
ଆରଏସଏସ ଆଶା ବ୍ୟକ୍ତ କରିଛି ଯେ ରାମଜନ୍ମ ଭୂମି -ବାବ୍ରୀ ମସଜିଦ ଭୂମି ବିବାଦ ମାମଲାରେ ସର୍ବୋଚ୍ଚ କୋର୍ଟରୁ ହିନ୍ଦୁଙ୍କ ସପକ୍ଷରେ ରାୟ ଆସିବ । ଭୁବନେଶ୍ୱରରେ ଚାଲୁଥିବା ସଂଘର ଅଖିଲ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ତିନି ଦିବସୀୟ ବୈଠକର ସମାପନ ହୋଇଯାଇଛି । ଏଠାରେ ସଂଘର ସରକାର୍ଯ୍ୟବାହ ଭୈୟାଜୀ ଯୋଶୀ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନଆରସି)କୁ ସମର୍ଥନ କରି ଓ ସମସ୍ତ ରାଜ୍ୟର କଲ୍ୟାଣ ପାଇଁ ଏହାକୁ ଆପଣାଇବା ପାଇଁ ଉପଦେଶ ଦେଇଛନ୍ତି ।
ଏହି ବୈଠକରେ ଆରଏସଏସର ସରସଂଘଚାଳକ ମୋହନ ଭାଗବତ ଉପସ୍ଥିତ ଥିଲେ । ଏହାସହ ଏହି ବୈଠକ ପ୍ରଥମଥର ଓଡ଼ିଶାରେ ଅନୁଷ୍ଠିତ ହୋଇଛି । ଯୋଶୀ କହିଛନ୍ତି ଯେ, ଆମେ ଆଶାବାନ ଅଛୁ, ଉଚ୍ଚତମ ନ୍ୟାୟାଳୟର ରାୟ ହିନ୍ଦୁଙ୍କ ସପକ୍ଷରେ ଆସିବ । ରାଜନୈତକ ଦୃଷ୍ଟିରୁ ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ଶୁଣାଣି ଅକ୍ଟୋବର ୧୬(ବୁଧବାର)ରେ ଶେଷ ହୋଇଯାଇଥିଲା । କୋର୍ଟ ଏହି ମାମଲା ଉପରେ ରାୟ ସଂରକ୍ଷିତ ରଖିଛନ୍ତି ।
ଏହା ବ୍ୟତୀତ ଏହି ମାମଲାରେ ମଧ୍ୟସ୍ଥତାକୁ ନେଇ ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ଯୋଶୀ କହିଛନ୍ତି ଯେ, ଦୀର୍ଘ ସମୟରୁ ମଧ୍ୟସ୍ଥତା ମାଧ୍ୟମରେ ଏହି ବିଷୟଟିକୁ ସମାଧାନ କରିବାକୁ ପ୍ରୟାସ କରାଯାଉଥିଲା କିନ୍ତୁ କୌଣସି ସମାଧାନର ବାଟ ବାହାରି ନଥିଲା । ଯଦି ଏପରି ହୋଇଥାନ୍ତା ତେବେ ମାମଲାଟି କୋର୍ଟକୁ ଯାଇ ନଥାନ୍ତା । ଆରଏସଏସ ପ୍ରଥମରୁ ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ବାଧାକୁ ହଟାଇବା ପାଇଁ ପ୍ରୟାସ କରିଛି । କିନ୍ତୁ ଏପରି କିଛି ହୋଇ ନଥିଲା, କୋର୍ଟରେ ମାମଲାର ଶୁଣାଣି ଚାଲୁଥିଲା ।