ନୂଆଦିଲ୍ଲୀ: ଆସିଯାଇଛି ନିର୍ବାଚନୀ ମୌସୁମୀ । ମହାରାଷ୍ଟ୍ର ଓ ହରିୟାଣାରେ ଚାଲିଛି ନିର୍ବାଚନୀ ପ୍ରଚାର । ଜୋରସୋରରେ ନିଜ ନିଜ ଦଳର ପ୍ରଚାର କାର୍ଯ୍ୟରେ ଲାଗିଛି ବିଭିନ୍ନ ରାଜନୈତିକ ଦଳର ନେତା । ଏହାସହ ରାଜନୀତିରେ ଦେଖା ଦେଉଛି ସବୁ ନୂଆ ନୂଆ ମୁହଁ । ଶୁକ୍ରବାର ଏହି କ୍ରମରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବଡିଗାର୍ଡ ଗୁରମୀତ ସିଂହ ଓରଫ ଶେରା ଶିବସେନାରେ ଯୋଗ ଦେଇଛନ୍ତି ।
ଶିବସେନାର ଆଧିକାରୀକ ଟ୍ୱିଟର ଏକାଉଣ୍ଟରେ ଏହାର ସୂଚନା ଦିଆଯାଇଛି । ଶେରା ଦୀର୍ଘ ସମୟରୁ ସଲମାନଙ୍କ ବଡିଗାର୍ଡ ଅଛନ୍ତି । ଶେରା ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଓ ଯୁବ ସେନାର ଅଧ୍ୟକ୍ଷ ଆଦିତ୍ୟ ଠାକରେଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ ।
ଉଦ୍ଧବ ଠାକରେଙ୍କ ନିବାସ ମାତାଶ୍ରୀ ଯାଇ ଶେରା ଶିବସେନାରେ ଯୋଗ ଦେଇଥିଲେ । ମହାରାଷ୍ଟ୍ର ଓ ହରିୟାଣାରେ ଅକ୍ଟୋବର ୨୧ରେ ମତଦାନ ହେବ ଓ ମତଗଣନା ଅକ୍ଟୋବର ୨୪ରେ ହେବ । ଲୋକସଭା ନିର୍ବାଚନ ପରେ ଏହା ପ୍ରଥମ ଥର ଚଳିତ ବର୍ଷର ବିଧାନସଭା ନିର୍ବାଚନ ହେଉଛି । ହରିୟାଣା ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨ ଓ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୯ରେ ଶେଷ ହେବ ।