ନୂଆଦିଲ୍ଲୀ: ବିକଳ୍ପ ସରକାର ଆଡକୁ ମୁହାଁଉଛି ମହାରାଷ୍ଟ୍ର ରାଜନୀତି । ଯଦିଓ ସରକାର ଗଠନ ପାଇଁ ରାଜ୍ୟପାଳ ବିଜେପିକୁ ଆମନ୍ତ୍ରଣ କରିଛନ୍ତି, କିନ୍ତୁ ଦଳ ପାଖରେ ସଂଖ୍ୟା ଯୋଗାଡ କରିବାର ସମ୍ଭାବନା କମ୍ । ଏପଟେ ବିକଳ୍ପ ସରକାର ଲକ୍ଷ୍ୟରେ ଶିବସେନା ଓ ଏନସିପି । ଆଉ ଏହାରି ଭିତରେ ଶିବସେନା ନେତା ସଞ୍ଜୟ ରାଉତ ଚମକାଇଲା ପରି ବୟାନ ଦେଇଛନ୍ତି । କଂଗ୍ରେସ ଆମ ଶତ୍ରୁ ନୁହେଁ ବୋଲି କହିଛନ୍ତି ସଞ୍ଜୟ ।
ଶିବସେନା ଓ କଂଗ୍ରେସ ମିଶିବା ଏକ ପ୍ରକାର ଅସମ୍ଭବ । ବିଚାରଗତ ଦୃଷ୍ଟିରୁ ସବୁବେଳେ ଏମିତି କିଛି ଚର୍ଚ୍ଚା ହୋଇଥାଏ । ହେଲେ ଏହି ଚର୍ଚ୍ଚାରେ ପୁନଚ୍ଛେଦ ଟାଣିଛନ୍ତି ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ । କହିଛନ୍ତି, ''କଂଗ୍ରେସ ରାଜ୍ୟର ଶତ୍ରୁ ନୁହେଁ । ହୋଇପାରେ, ଆମ ଭିତରେ ବିଚାରଗତ ବିଭେତଦା ଅଛି। ''
Shiv Sena leader Sanjay Raut: Congress is not the enemy of the State. All parties have differences on some issues. https://t.co/ckIfQzI4TP
— ANI (@ANI) November 10, 2019
ଆଜି ସଞ୍ଜୟ ରାଉତ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟପାଳ ବୃହତ ଦଳ ହିସାବରେ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ଏବେ ସରକାର ଗଠନ କରିବା ସମୟ । ଭାରତୀୟ ଜନତା ପାର୍ଟି କାହାକୁ ଅପେକ୍ଷା କରିଛି ? ଅନ୍ୟ ରାଜ୍ୟରେ କମ ଆସନ ଥାଇ ସରକାର ଗଢି ପାରୁଥିବା ବେଳେ, ମହାରାଷ୍ଟ୍ରରେ କାହିଁକି ନୁହେଁ ବୋଲି କଟାକ୍ଷ କରିଛନ୍ତି ସଞ୍ଜୟ ରାଉତ । ସେହିପରି ଯଦି ସରକାର ଗଠନ ପାଇଁ କେହି ରାଜି ନୁହେଁ, ବିକଳ୍ପ ସରକାର ପାଇଁ ତାଙ୍କ ଦଳ ତୟାର ଥିବା ସେ କହିଛନ୍ତି ।
ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ରାଜନୈତିକ ସ୍ଥିତି ସ୍ପଷ୍ଟ ହେବା ଦରକାର ବୋଲି ଶିବସେନା ମୁଖ୍ୟ ଠାକରେ କହିସାରିଛନ୍ତି । ତେଣୁ ବୃହତ ଦଳ ଭାବରେ ବିଜେପି ୨୪ଘଣ୍ଟା ଭିତରେ ସରକାର ବନାଇବା କଥା । ମାତ୍ର କାହିଁକି କରିପାରୁନି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଶିବସେନା ନେତା ।
ଗତକାଲି ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ୧୧ ତାରିଖ ଅର୍ଥାତ୍ ସୋମବାର ସୁଦ୍ଧା ଡେଡଲାଇନ୍ ଦେଇଛନ୍ତି ରାଜ୍ୟପାଳ । ଆଜି ଦଳର କୋର୍ କମିଟି ବୈଠକ ବସୁଛି । ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ବର୍ତ୍ତମାନର ସ୍ଥିତି ଦେଖିଲେ ଲାଗୁଛି, ବିଜେପି ସଂଖ୍ୟା ଯୋଗାଡ କରିବାର ସମ୍ଭାବନା ଖୁବ କମ । ଅନ୍ୟପଟେ ଆସନ୍ତା ୧୨ ତାରିଖରେ ଏନସିପି ବିଧାୟକ ଦଳ ବୈଠକ । ଏନସିପି ମଧ୍ୟ ବିକଳ୍ପ ସରକାର କଥା ଚିନ୍ତା କରୁଥିବା କହିଛନ୍ତି ଦଳର ବରିଷ୍ଠ ନେତା ନୱାବ ମଲିକ । ମୋଟାମୋଟି ଭାବରେ କହିବାକୁ ଗଲେ, ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତି ବିକଳ୍ପ ସରକାର ଆଡକୁ ମୁହାଁଉଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି ।