ପାୱାରଙ୍କୁ ପମ୍ପ୍

ପ୍ରଶଂସାରେ ପୋତି ପକାଇଲା ଶିବସେନା

ପାୱାରଙ୍କୁ ପମ୍ପ୍
ଫାଇଲ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ସଂସଦରେ ଏନସିପିକୁ ମୋଦିଙ୍କ ପ୍ରଶଂସା ପରେ ଚିହିଁକି ଉଠିଛି ଶିବସେନା । କାଳେ ଏନସିପିକୁ ମନାଇ ବିଜେପି ମହାରାଷ୍ଟ୍ରରେ ସରକାର ଗଢିବାରେ ସଫଳ ହୋଇଯିବନି ତ ? ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଶାହ, ଶିବସେନାକୁ ଛାଡ଼ି ଏକ ବିକଳ୍ପ ସରକାର ଗଢିବା ଲକ୍ଷ୍ୟରେ ନାହାନ୍ତି ତ ? ବୋଧହୁଏ ଶିବସେନାକୁ ଏଭଳି କିଛି ଭୟ ଘାରିଛି । ମୋଦିଙ୍କ ମୁହଁରୁ ଏନସିପିର ପ୍ରଶଂସା ଘଟଣାକୁ ସହଜରେ ହଜମ କରିପାରିନି ଦଳ । ପାୱାରଙ୍କୁ ନିଜ ଆଡୁ ମଧ୍ୟ ପମ୍ପ୍ ମାରିଛି । 

ଲଗାତାର ମହାରାଷ୍ଟ୍ର ରାଜନୀତିକୁ ନେଇ ବୟାନବାଜି ଜାରି ରଖିଥିବା ଶିବସେନାର ସାଂସଦ ସଞ୍ଜୟ ରାଉତ ଆଜି ପୁଣି ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଏନସିପିକୁ ମୋଦିଙ୍କ ପ୍ରଶଂସା ନେଇ ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ । କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ପାୱାର ସାହେବଙ୍କ ପ୍ରଶଂସା କରିପାରିବେ । ହେଲେ ତାଙ୍କୁ ମନାଇବା କାଠିକର ପାଠ । ଏଥିପାଇଁ ଅନେକ ଥର ଜନ୍ମ ନେବାକୁ ପଡିବ ବୋଲି କହିଛନ୍ତି ସଞ୍ଜୟ ରାଉତ । 

ମହାରାଷ୍ଟ୍ରରେ ସରକାର ଗଠନ ନେଇ ପୁଣିଥରେ ବାହାସ୍ଫୋଟ ମାରିଛନ୍ତି ସଞ୍ଜୟ । ବିଜେପି ଆମକୁ ଧୋକା ଦେଇଛି । ଏହାସତ୍ତ୍ୱେ ଡିସେମ୍ବର ପ୍ରଥମ ସପ୍ତାହରେ ଶିବସେନା ହିଁ ରାଜ୍ୟରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି । ଏବେ ସରକାର ଗଠନ ପାଇଁ ଆଲୋଚନା ଜାରି ରହିଛି । ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଲାଗିଛି । ତେଣୁ ଆମ ପାଖରେ ଏବେ ଯଥେଷ୍ଟ ସମୟ ଥିବା ସେ କହିଛନ୍ତି।।।

ଗତକାଲି ସଂସଦରେ ମୋଦି କଥା ଛଳରେ ବିଜେଡି ଏବଂ ଏନସିପିକୁ ପ୍ରଶଂସାରେ ପୋତି ପକାଇଥିଲେ । ସଂସଦରେ ଉଭୟ ଦଳର ଆଚରଣ ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ କହିବା କଥା ହେଲା, ବିଜେଡି ଓ ଏନସିପି ସାଂସଦ ମାନେ କେବେ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ବିଶୃଙ୍ଖଳା ଆଚରଣ କରିନଥାନ୍ତି । ଏହାସତ୍ତ୍ୱେ ମଧ୍ୟ ବଳିଷ୍ଠ ଯୁକ୍ତି ମାଧ୍ୟମରେ ନିଜ ନିଜ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସଂସଦର ଦୃଷ୍ଟି ଆକର୍ଷଣ କରିବାରେ ସେମାନେ ସଫଳ ହୋଇପାରିଛନ୍ତି ବୋଲି ମୋଦି କହିଥିଲେ । 

ମୋଦିଙ୍କ ଏହି ପ୍ରଶଂସାକୁ ଶିବସେନା ହଜମ କରିପାରିନି । ଏନସିପିକୁ ମୋଦି ଯେତିକି ପ୍ରଶଂସା କରିଥିଲେ, ତାଠୁ ଅଧିକ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ପ୍ରଶଂସା କରିଛି ଶିବସେନା । କାଳେ ବିଜେପି ଆଡେ ଶରଦ ମୁହାଁଇଯିବେ, ଦଳକୁ ଏପରି କିଛି ଚିନ୍ତା ଘାରିଥିବା କୁହାଯାଉଛି । ତେଣୁ ଏନସିପିକୁ ମୋଦି ମନାଉଥିବା କଥା କହି ନିଜେ ଶରଦ ପାୱାରଙ୍କୁ ମନାଇବାରେ ସଞ୍ଜୟ ଲାଗି ପଡିଥିବା ଚର୍ଚ୍ଚା ହେଉଛି । କାହିଁକିନା ଏବେବି ମହାରାଷ୍ଟ୍ରରେ କିଏ ସରକାର ଗଢିବ, ତାହା ଅସ୍ପଷ୍ଟ । ରାଜନୀତିରେ କିଛି ବି ହୋଇପାରେ ।  

ଆହୁରି ବି ପଢନ୍ତୁ; ଅଠାୱାଲେଙ୍କ ନୂଆ ଫର୍ମୁଲା, ମହାରାଷ୍ଟ୍ରରେ ସରକାର ଗଢ଼ିବ କି ବିଜେପି-ଶିବସେନା?