ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟରେ ବଡ଼ ପରିବର୍ତ୍ତନ । ଅଧିନାୟକ ପଦରୁ ହଟାଗଲା ସରଫରାଜ ଅହମଦଙ୍କୁ । ଦୁର୍ବଳ ଶ୍ରୀଲଙ୍କା ବିରୋଧରେ ଟି-୨୦ ସିରିଜରେ ଲଜ୍ଜାଜନକ ପରାଜୟ ଲାଭ କରିଥିଲା ପାକିସ୍ତାନ । ଯାହାର ସବୁ ଦୋଷ ସରଫରାଜଙ୍କ ମୁଣ୍ଡରେ ଲଦି ଦିଆଯାଇଥିଲା । ଏହାପରେ ପାକିସ୍ତାନ ବୋର୍ଡ(ପିସିବି) ଏପରି ପଦକ୍ଷେପ ନେଇଛି ।
୩୨ ବର୍ଷୀୟ ସରଫରାଜଙ୍କୁ ଟେଷ୍ଟ ଓ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ହଟାଯାଇଛି । ବିଗତ ସିରିଜଗୁଡିକରେ ତାଙ୍କ ପ୍ରଦର୍ଶନ ବହୁତ ଖରାପ ଥିଲା । ଯାହାକୁ ଦେଖି ପିସିବି ଏପରି ନିଷ୍ପତ୍ତି ନେଇଛି । ତାଙ୍କ ସ୍ଥାନରେ ଅଜହର ଅଲୀଙ୍କୁ ୨୦୧୯-୨୦ ସିଜନର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ମ୍ୟାଚଗୁଡିକ ପାଇଁ ଅଧିନାୟକ ନିଯୁକ୍ତି ଦିଆଯାଇଛି । ଅନ୍ୟପକ୍ଷେ ବାବାର ଆଜମଙ୍କୁ ଆଗାମୀ ବର୍ଷ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ ଯାଏ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।
ପାକିସ୍ତାନକୁ ନଭେମ୍ବର-ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୨ଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ ଖେଳିବାର ଅଛି । ଅନ୍ୟପଟେ ପିସିବି ଏକ ଦିବସୀୟ କ୍ରିକେଟ ପାଇଁ ଅଧିନାୟକଙ୍କ ନାଁ ଘୋଷଣା କରି ନାହିଁ । ଏହାସହ ଅନ୍ୟ ଫର୍ମାଟଗୁଡିକ ପାଇଁ ମଧ୍ୟ ଉପ ଅଧିନାୟକ ଘୋଷଣା କରାଯାଇ ନାହିଁ । ନେଦରଲାଣ୍ଡ ଗସ୍ତ ପୂର୍ବରୁ ଏକ ଦିବସୀୟ ଟିମର ଅଧିନାୟକ ଘୋଷଣା ହୋଇପାରେ ବୋଲି ଜଣାପଡିଛି ।