୨୪ରୁ ଟ୍ରମ୍ପଙ୍କ ଦୁଇଦିନିଆ ଭାରତ ଗସ୍ତ, କଣ ରହିଛି ସୂଚୀ ଜାଣନ୍ତୁ...
Advertisement

୨୪ରୁ ଟ୍ରମ୍ପଙ୍କ ଦୁଇଦିନିଆ ଭାରତ ଗସ୍ତ, କଣ ରହିଛି ସୂଚୀ ଜାଣନ୍ତୁ...

ଆସନ୍ତା ୨୪ ତାରିଖରୁ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି 

 ୨୪ରୁ ଟ୍ରମ୍ପଙ୍କ ଦୁଇଦିନିଆ ଭାରତ ଗସ୍ତ, କଣ ରହିଛି ସୂଚୀ ଜାଣନ୍ତୁ...

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରୁ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି 

ଡୋନାଲ୍ଡ ଟ୍ରମ୍ପ। ଅହମ୍ମଦାବାଦରୁ ତାଙ୍କର ଗସ୍ତ ଆରମ୍ଭ ହୋଇ ଦିଲ୍ଲୀରେ ତାଙ୍କର ଯାତ୍ରା ଶେଷ ହେବ। ଏହା ମଧ୍ୟରେ ସେ ଆଗ୍ରା ଓ ଗୁଜୁରାଟର ବିଭିନ୍ନ ସ୍ଥାନ ବୁଲିବାର କାର୍ଯ୍ୟକ୍ରମ ରହିଛି। 

ଏହି ଗସ୍ତ ମଧ୍ୟରେ ସେ ଯେଉଁ ଯେଉଁ ସ୍ଥାନ ବୁଲିବେ, ସେଠାରେ ସୁରକ୍ଷା ବ୍ୟବସ୍ଥା ବେଶ କଡ଼ାକଡ଼ି କରାଯାଇଛି। ତାଙ୍କର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏପରିକି ସୁରକ୍ଷାରେ ଯେପରି ଟିକିଏ ମାତ୍ର ତ୍ରୁଟି ନ ରହେ, ସେଥିପାଇଁ ସାତ ଥାକିଆ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରାଯାଇଛି।

ତେବେ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ତାଙ୍କର କାର ବିଷ୍ଟ ଓ ସୁରକ୍ଷା କର୍ମୀମାନେ ଭାରତରେ ପହଞ୍ଚି ସାରିଛନ୍ତି। ଏପରିକି ଟ୍ରମ୍ପଙ୍କ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିସାରିଛନ୍ତି। ତେବେ ଏହି ଟ୍ରମ୍ପ ଦୁଇଦିନ ମଧ୍ୟରେ କୁଆଡ଼େ ଯିବେ, କେତେବେଳେ ଯିବେ ସେ ସମ୍ପର୍କରେ ଆମେ ଉଲ୍ଲେଖ କରିଛୁ। ସବିଶେଷ ତଥ୍ୟ ଜାଣି ରଖନ୍ତୁ। 

୨୪.୦୨.୨୦୨୦
ସକାଳ ୧୧.୫୫ ମିନିଟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସି ପହଞ୍ଚିବେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ କରିବେ। ସେଠାରୁ ମୋଟୋରା ଷ୍ଟାଡ଼ିୟମ ଅଭିମୁଖେ ଯିବେ ଟ୍ରମ୍ପ। ଦୀର୍ଘ ୨୨ କିଲୋମିଟର ରାସ୍ତାରେ ଉଭୟ ମୋଦି ଓ ଟ୍ରମ୍ପ ରୋଡ ଶୋ କରିବେ। ଏହା ମଧ୍ୟରେ ପ୍ରାୟ ୨୮ଟି ମଞ୍ଚ ପ୍ରସ୍ତୁତ ହୋଇଛି। ତେବେ ଏହି ରୋଡ ଶୋ'କୁ ଇଣ୍ଡିଆ ରୋଡ଼ ନାଁ ଦିଆଯାଇଛି। ଏଥିରେ ପ୍ରାୟ ୭୦ ଲକ୍ଷ ଲୋକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। 

ଏହାରି ମଧ୍ୟରେ ମେଲାନିଆ ଟ୍ରମ୍ପ ଓ ଡୋନାଲ୍ଡ ଟ୍ରମ୍ପ ସାବରମତୀ ଆଶ୍ରମ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେମାନେ ୧୫ମିନିଟ ରହିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ତାଙ୍କୁ ଏକ ଚରଖା ଉପହାର ସ୍ୱରୂପ ଦିଆଯିବ ବୋଲି ଜଣାପଡ଼ିଛି। 

ସାବରମତୀ ଆଶ୍ରମରୁ ବାହାରି ନବନିର୍ମିତ ମୋଟୋରା ଷ୍ଟାଡ଼ିୟମକୁ ଉଦଘାଟନ କରିବେ ଟ୍ରମ୍ପ। ଦିନ ପ୍ରାୟ ୧.୧୫ ମିନିଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏଠାରେ ସେ ନମସ୍ତେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଯୋଗ ଦେବା ସହିତ କାର୍ଯ୍ୟକ୍ରମକୁ ସମ୍ବୋଦ୍ଧିତ କରିବେ। ଏହି କାର୍ଯ୍ୟକ୍ରମ ହାଓଡ଼ି ମୋଦି ଭଳି ଅନୁଷ୍ଠିତ ହେବ। 

ମୋଟୋରା ଷ୍ଟାଡ଼ିୟମରେ ଟ୍ରମ୍ପ ଓ ମୋଦିଙ୍କ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପାଇଁ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବଲିଉଡ଼ର ବରିଷ୍ଠ ଅଭିନେତା ଓ ଅଭିନେତ୍ରୀମାନେ ଯୋଗ ଦେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଆମେରିକାର ଅତିଥିମାନଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବେ। 

ରାଷ୍ଟ୍ରପତି ଟ୍ରମ୍ପ ଓ ମେଲାନିଆ ଅହମ୍ମଦାବାଦରେ ପ୍ରାୟ ଅଢେଇ ଘଣ୍ଟା ରହିବେ। ମଧ୍ୟାହ୍ନ ଭୋଜନ ପରେ ରାଷ୍ଟ୍ରପତି ଓ ମେଲାନିଆ ସମୟ ପ୍ରାୟ ସାଢେ ୩ଟା ବେଳେ ଆଗ୍ରା ଅଭିମୁଖେ ଯିବେ। ସନ୍ଧ୍ୟା ୫ଟା ସୁଦ୍ଧା ଟ୍ରମ୍ପ ଦମ୍ପତି ଆଗ୍ରାରେ ପହଞ୍ଚିବେ। ସେଠାରେ ସାଢେ ୬ଟା ପର୍ଯ୍ୟନ୍ତ ରହିବେ। ସାଢେ ୬ଟାରେ ସେ ଦିଲ୍ଲୀ ଅଭିମୁଖେ ବାହାରିବେ। 

fallback

୨୫.୦୨.୨୦୨୦
୨୫ ତାରିଖ ସକାଳ ପ୍ରାୟ ୧୦ଟାରେ ରାଷ୍ଟ୍ରପତି ଭବନରେ ଆମେରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ଏପରିକି ତାଙ୍କୁ ଭାରତୀୟ ସଶସ୍ତ୍ର ବଳଙ୍କ ଦ୍ୱାରା ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରାଯିବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାମନାଥ କୋବିନ୍ଦ ମଧ୍ୟ ଉପସ୍ଥିତ ରହିବେ। 

ଏହି କାର୍ଯ୍ୟକ୍ରମ ପାଖାପାଖି ୪୫ ମିନିଟ ଧରି ଅନୁଷ୍ଠିତ ହେବ। ଏହା ପରେ ୧୦.୪୫ ମିନିଟ ସମୟରେ ଟ୍ରମ୍ପ ଦମ୍ପତି ରାଷ୍ଟ୍ରପତି ଭବନରୁ ସିଧା ରାଜଘାଟ ଅଭିମୁଖେ ଯାତ୍ରା କରିବେ। ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ। ସେଠାରୁ ହାଇଦ୍ରାବାଦ ହାଉସ ଅଭିମୁଖେ ଗସ୍ତ କରିବେ। ସାଢେ ୧୧ଟାରେ ସେଠାରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହେବ। ଏହି ସମୟରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। 

ପରେ ସେଠାରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀ କରି ଆଲୋଚନାରେ ସୂଚନା ଦେବେ। ଏହା ସହିତ ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବେ। ଏହି ଆଲୋଚନା ସମୟରେ ମେଲେନିଆ ଟ୍ରମ୍ପ ଦିଲ୍ଲୀର ସରକାରୀ ସ୍କୁଲ ଭ୍ରମଣରେ ଯିବାର କାର୍ଯ୍ୟକ୍ରମ ରହିଛି। ହାପିନେସ କ୍ଲାସ ନେବ ସହିତ ସ୍କୁଲ ପିଲାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ସ୍କୁଲରେ ପ୍ରାୟ ୪୫ ମିନିଟ ରହିବାର କାର୍ଯ୍ୟକ୍ରମ ରହିଛି। 

ଦିନ ୩ଟାରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ଦୂତାବାସ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ବଡ଼ ବଡ଼ ଉଦ୍ୟୋଗପତିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପରେ ସେଠାରୁ ଫେରି ରାତି ୮ଟାରେ ରାଷ୍ଟ୍ରପତି ଭବନରେ ନୈଶ୍ୟଭୋଜିରେ ଯୋଗଦେବେ ଟ୍ରମ୍ପ ଦମ୍ପତି। ସେଠାରୁ ନୈଶ୍ୟଭୋଜି ସାରି ରାତି ପ୍ରାୟ ୧୦ଟା ସମୟରେ ଆମେରିକା ଅଭିମୁଖେ ଗସ୍ତ କରିବେ।