ଫେଲ୍ ମାରିଛି ସଭିଏ ପଢନ୍ତୁ ସଭିଏ ବଢନ୍ତୁ ନାରା, ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
ଶ୍ରେଣୀଗୃହର ଅଭାବ ରହିଛି ତାହା ନୁହେଁ ବିଦ୍ୟାଳୟରେ ପାଇଖାନା କି ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ରୋଷେଇଘର ମଧ୍ୟ ନାହିଁ
Trending Photos
)
ହିମାଂଶୁ ଶେଖର ସାହୁ, ବୌଦ୍ଧ: ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତ ସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନ ଥିବାରୁ ଛାତ୍ରଛାତ୍ରୀ ମାନେ କେତେବେଳେ ବାରଣ୍ଡାରେ ତ ଆଉ କେତେବେଳେ ବାହାରେ ପାଠ ପଢୁଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୁଚନା ମୁତାବକ, ଶଗଡା ପଞ୍ଚାୟତର ଥିବା ଏକମାତ୍ର ଏହି ଉଚ୍ଚ ବିଦ୍ୟାଳୟରେ ଶଗଡା ସମେତ ଆଖପାଖ ପଞ୍ଚାୟତର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ନିର୍ଭର କରୁଛନ୍ତି । ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ପାଇଁ ଶିକ୍ଷାଦାନର ବ୍ୟବସ୍ଥା ରହିଥିବା ବେଳେ ଚଳିତ ବର୍ଷ ବିଦ୍ୟାଳୟରେ ୩୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସବୁଠାରୁ ବଡ କଥା ହେଲା ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀଗୃହ ନଥିବାରୁ ପିଲାମାନଙ୍କୁ ପାଳିଆ ଅଳିଆ କରି କେତେବେଳେ ବାହାରେ ତ କେତେବେଳେ ବାରଣ୍ଡାରେ ଏବଂ କୋଠରୀରେ ବସାଯାଇ ପାଠ ପଢାଯାଉଛି । ଫଳରେ ଗୋଟିଏ ବିଷୟକୁ ବାରମ୍ବାର ପାଠ ପଢାଇବାକୁ ପଡୁଥିବା କହିଛନ୍ତି ବିଦ୍ୟାଳୟର ଶିକ୍ଷକ ।
ଅନ୍ୟପଟେ ବିଦ୍ୟାଳୟରେ କେବଳ ଶ୍ରେଣୀଗୃହର ଅଭାବ ରହିଛି ତାହା ନୁହେଁ ବିଦ୍ୟାଳୟରେ ପାଇଖାନା କି ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ରୋଷେଇଘର ମଧ୍ୟ ନାହିଁ । ଏଭଳି ଦୟନୀୟ ଅବସ୍ଥାରେ ଶଗଡା ସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଚାଲୁ ଥିବାବେଳେ ଆସନ୍ତା ଫେବୃୟାରୀ ମାସରେ ହେବ ମାଟ୍ରିକ ପରୀକ୍ଷା । ଏପଟେ ବିଦ୍ୟାଳୟରେ ଆବଶ୍ୟକୀୟ ଭିତିଭୁମି ନଥିବାରୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବାବେଳେ କିପରି ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ତାକୁ ନେଇ ଚିନ୍ତିତ ଥିବା କହିଛନ୍ତି ଛାତ୍ରଛାତ୍ରୀ ।
ଅନ୍ୟପଟେ ବିଦ୍ୟାଳୟରେ ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଞ୍ଚାୟତବାସୀ ଏବଂ ଅଭିଵାବକ ମାନେ ବାରମ୍ବାର ସ୍ଥାନୀୟ ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ନେତା ମନ୍ତ୍ରୀଙ୍କ ନିକଟେ ଗୁହାରୀ କରିଆସୁଥିଲେ ବି କୌଣସି ସୁଫଳ ମିଳୁନଥିବାରୁ ଅଞ୍ଚଳବାସୀଙ୍କ ମନରେ ପୁଞ୍ଜିଭୁତ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖାଦେଇଛି । ତୁରନ୍ତ ଏହାର ସ୍ଥାୟୀ ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କଡା ଚେତାବନି ଦେଇଛନ୍ତି ପଞ୍ଚାୟତବାସୀ ।
More Stories