ସିରିଏଲ ନଷ୍ଟ କରୁଛି ଭାଗବତ ଟୁଙ୍ଗୀର ପରମ୍ପରା

ନଷ୍ଟ ହେବାକୁ ବସିଲାଣି ଭାଗବତ ଟୁଙ୍ଗୀ ପରମ୍ପରା 

ସିରିଏଲ ନଷ୍ଟ କରୁଛି ଭାଗବତ ଟୁଙ୍ଗୀର ପରମ୍ପରା
ସୌଜନ୍ୟ: ସୋସିଆଲ ମିଡିଆ

ଗାୟତ୍ରୀ ଚକ୍ରବର୍ତ୍ତୀ, ଭୁବନେଶ୍ୱର: ଦିନକୁ ଦିନ ଗାଁ ଗହଳିରେ ଭାଗବତ ଟୁଙ୍ଗୀ ପରମ୍ପରା ନଷ୍ଟ ହେବାକୁ ବସିଲାଣି । ଟୁଙ୍ଗୀ ଘର ରହିଛି, ହେଲେ ସେଠାରେ ଭାଗବତ ପଢା ହେଉନାହିଁ କି ଲୋକେ ଏକାଠି ହେଉନାହାନ୍ତି । କାହିଁ କେଉଁ ଅମଳରୁ ଗାଁରେ ଭାଗବତ ଟୁଙ୍ଗୀ କରି ସାହି ମୁଖିଆ, ବରିଷ୍ଠ ନାଗରିକ ନ ହେଲେ ବ୍ରାହ୍ମଣ ଭାଗବତ ପଢୁଥିଲେ । ମଧ୍ୟମ ବୟସ୍କ ଆଉ ପୁରୁଖା ଏକାଠି ହୋଇ ଭାଗବତ ଶୁଣୁଥିଲେ ।ଏବେ କିନ୍ତୁ ସେସବୁ ଆଉ ଦେଖିବାକୁ ମିଳୁନି । ଭାଗବତ ଟୁଙ୍ଗୀ ସମାଜରେ ଭାଇଚାରା ଓ ସଦଭାବ ବଜାୟ ରହୁଥିଲା । ଏହାସହ ଭାଗବତ ଶୁଣିବା ଫଳରେ ମନରେ ଶାନ୍ତି ଆସୁଥିଲା । ଦିନ ତମାମର ଜଞ୍ଜାଳ ଲାଘବ ହେଉଥିଲା । ଲୋକଙ୍କ ଆସିବା କମ ହୋଇଥିବାରୁ ଟୁଙ୍ଗୀକୁ ଆସୁଥିବା ପଣ୍ଡିତଙ୍କ ମଧ୍ୟ ଆସିବା କମିଯାଇଛି । 

ଟିଭି ଆଉ ମୋବାଇଲ୍ ଆସିବା ଫଳରେ ଲୋକେ ଆଉ ଭାଗବତ ଟୁଙ୍ଗୀକୁ ଆସୁ ନାହିଁନ୍ତି । ଟିଭିରେ ସିରିଏଲ ଦେଖି ସେମାନଙ୍କ ସମୟ କାଟୁଛନ୍ତି ।ଏଣୁ ଧୀରେ ଧୀରେ ଭାଗବତ ଟୁଙ୍ଗୀ ଏହାର ମହତ୍ୱ ହରାଇବାକୁ ବସିଲାଣି । ଭାଗବତ ଟୁଙ୍ଗୀ ଥିବାରୁ ପୂର୍ବରୁ ଗାଁର ବଡ଼ବଡ଼ ସମସ୍ୟା ସମାଧାନ ହୋଇଯାଉଥିଲା । ଗାଁ ଲୋକେ ଏକାଠି ବସି ସମସ୍ୟା ସମାଧାନର ରାସ୍ତା ବାହାର କରୁଥିଲେ । ଏଣୁ ଗାଁ ଭିତରେ ଗୁରୁଜନଙ୍କ ପ୍ରତି ସମ୍ମାନ ରହୁଥିଲା ବୋଲି ଅନେକ ମତ ଦିଅନ୍ତି ।