ନିଜ ରୋଜଗାରରେ ମାଗଣା ଅନ୍ନଦାନ କରନ୍ତି ଶେଖ୍ ମହମ୍ମଦ

ନିଜ ରୋଜଗାରରେ ପ୍ରତି ସପ୍ତାହର ଗୁରୁବାର ଦିନ ମାଗଣା ଅନ୍ନଦାନ କରନ୍ତି ଶେଖ୍ ମହମ୍ମଦ

ନିଜ ରୋଜଗାରରେ ମାଗଣା ଅନ୍ନଦାନ କରନ୍ତି ଶେଖ୍ ମହମ୍ମଦ
ସୌଜନ୍ୟ: ସୋସିଆଲ ମିଡିଆ

ସୁଭଦ୍ରା ବେହେରା, ଭୁବନେଶ୍ୱର: କଥାରେ ଅଛି ଦାନ କଲେ ମହାପୂଣ୍ୟ ମିଳିଥାଏ । ହେଲେ ବିନା ସ୍ୱାର୍ଥରେ ଅନ୍ୟକୁ ସାହାଯ୍ୟ ତଥା ଦାନ କରିବା ଆଜିର ଦୁନିଆରେ ଆଉ ଦେଖିବାକୁ ମିଳୁନାହିଁ । ହେଲେ ରାୟଗଡ଼ା ଜିଲ୍ଲାରେ ଏମିତି ଜଣେ ବଦାନ୍ୟ ବ୍ୟକ୍ତି ଅଛନ୍ତି ଯେ କି ବିନା ସ୍ୱାର୍ଥରେ ଅନ୍ୟକୁ ସାହାଯ୍ୟ କରୁଛନ୍ତି । ବିନା ସ୍ୱାର୍ଥରେ ବେସାହାରା ତଥା ଅସୟହାୟଙ୍କୁ  ମାଗଣା ଅନ୍ନଦାନ କରୁଛନ୍ତି । ନିଜ ପରିବାର ଏତେଟା ସ୍ୱଚ୍ଛଳ ନ ଥିଲେ ମଧ୍ୟ ସେ ଅନ୍ନଦାନ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି ।
ଯାହାର ମନ ଯେତେ ବଡ ତା ପାଖରେ ଟଙ୍କା ପଇସାର ମୂଲ୍ୟ କିଛି ନ ଥାଏ । ଇଛାଶକ୍ତି ଥିଲେ ଦୁନିଆର ସବୁ କାର୍ଯ୍ୟ ସଫଳ ହୋଇପାରେ । 

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସହରର ଶେଖ୍ ମହମ୍ମଦ କାସିମ୍ ଏବେ  ବେସାହାରାଙ୍କ ସାହାରା ପାଲଟିଛନ୍ତି  । କଲ୍ୟାଣସିଂହପୁର ଅଞ୍ଚଳରେ ରହୁଥିବା ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ସେ ଆଶାର ଆଲୋକ ପାଲଟିଛନ୍ତି । ନିଜ ରୋଜଗାରରୁ ପ୍ରତି ସପ୍ତାହର ଗୁରୁବାର ଦିନ ମାଗଣା ଅନ୍ନଦାନ କରୁଛନ୍ତି । ମାସର ପ୍ରତି ଗୁରୁବାର ଦିନ ସାଧା ବିରିୟାନୀ ଏବଂ ଅନ୍ୟ ସାମଗ୍ରୀ ଦାନ କରିଥାନ୍ତି । ଏଥିସହ ଶେଷ ଗୁରୁବାର ଦିନ ଅସହାୟଙ୍କୁ  ଚିକେନ୍ ବିରିୟାନୀ ଖାଇବାକୁ ଦିଅନ୍ତି । ଗଲା ୪ ମାସ ଧରି ଭୋକିଲାଙ୍କ ପେଟରେ ଅନ୍ନଦାନ କରୁଛନ୍ତି କାସିମ୍ ଓ ତାଙ୍କ ପରିବାର । ତାଙ୍କରି ଏପରି ଉତ୍ସର୍ଗୀକୃତ ସେବା ପାଇଁ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

କାସିମ୍  ନିଜ ଘର ଆଗରେ ଖୋଲିଛନ୍ତି ମାଗଣା ଅନ୍ନଦାନ କେନ୍ଦ୍ର । ଆଉ ଏହି କାମରେ ପରିବାରର ଲୋକେ ମଧ୍ୟ କାସିମଙ୍କୁ ସହଯୋଗ କରନ୍ତି । ଏହି ମାଗଣା ଅନ୍ନଦାନ କେନ୍ଦ୍ରରେ ଲାଗେ ଗରିବ ଅସହାୟଙ୍କ ଭିଡ । ପ୍ରତି ମାସର ଗୁରୁବାର ଦିନ ଶେଖ୍ କାସିମ୍ ୬୦ବର୍ଷରୁ ଉର୍ଦ୍ଦ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାଗଣାରେ ଭାତ, ଡାଲି, ତରକାରୀ ଓ ଭଜା ଦେଇଥାନ୍ତି । ସେହିପରି ମାସର ଶେଷ ଗୁରୁବାର ଦିନ କାସିମ୍  ଚିକେନ୍ ବିରିୟାନି ଖୁଆଇଥାନ୍ତି । ପ୍ରତି ଗୁରୁବାର ଦିନ କଲ୍ୟାଣସିଂହପୁର ଆଖପାଖ ଅଞ୍ଚଳରୁ ଶହ ଶହ ଲୋକ ଏଠାକୁ ଆସି କାସିମ୍ ଭାଇଙ୍କ ବିରିୟାନୀ ଖାଇଥାନ୍ତି । କାସିମ୍ ଭାଇଙ୍କ ଏପରି ମହାନୀୟତା କାର୍ଯ୍ୟ ପାଇଁ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମାନ ପକ୍ଷରୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ତାଙ୍କୁ ସମ୍ବର୍ଦ୍ଦିତ କରିଛନ୍ତି ।
ପ୍ରତି ସପ୍ତାହର ଗୁରୁବାରକୁ ଚାହିଁ ବସିଥାନ୍ତି ଶେଖ୍ କାସିମ୍ ଙ୍କ ପରିବାର । ଗତ ୨୦ ବର୍ଷ ତଳେ ଆନ୍ଧ୍ରପ୍ରଦେଶରୁ ପରିବାର ସହ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁରକୁ ଆସିଥିଲେ ସେଖ୍ କାସିମ୍ । ଆସିବା ବେଳେ ଦେହରେ ଲୁଗା ଖଣ୍ଡିଏ ନଥିଲା । ଦୁଇ ଓଳି ଦୁଇମୁଠା ଖାଇ ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇପଡିଥିଲା । ପରେ ନାଗାବଳୀ ନଦୀ କୂଳରେ ସେ ଏକ ଚିକେନ୍ ସେଣ୍ଟର ଖୋଲିଥିଲେ । ଆଉ ଏହି ଦୋକାନରୁ ଦୁଇ ପଇସା ଭଲରେ ରୋଜଗାର ହେବା ପରେ ପରିବାର ସୁଖ ଶାନ୍ତିରେ ରହିଥିଲେ । ତେବେ ଭଗବାନଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିବାରୁ ସେ ଅସହାୟ ମାନଙ୍କୁ ମୁକ୍ତ ଅନ୍ନଦାନ କରିବେ ବୋଲି ମନବଳାଇଥିଲେ । ଗତ ୪ ମାସ ଧରି କାସିମ୍  ଜାତି,ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗରିବଙ୍କ ମୁହଁରେ ଦାନା ଯୋଗାଉଛନ୍ତି । ଅସହାୟଙ୍କ ସାହାରା ପାଲଟିଛନ୍ତି କଲ୍ୟାଣସିଂହପୁରର ଶେଖ୍ କାସିମ୍ । ଆଉ ତାଙ୍କ ଏପରି ଉଦାରବାଦୀ ଚିନ୍ତାଧାରାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।