close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

୫୦/୫୦ ଫର୍ମୁଲାକୁ ଶକ୍ତି, ଶିବସେନାକୁ ମିଳିଲା ଆଉ ୨ ବିଧାୟକଙ୍କ ସମର୍ଥନ

ଯେତେବେଳେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ସହ ୫୦/୫୦ ଫର୍ମୁଲାରେ ଅଡି ବସିଛି ଶିବସେନା, ସେତେବେଳେ ଦଳକୁ ମିଳିଛି ଅନ୍ୟ ଦୁଇ ବିଧାୟକଙ୍କ ସମର୍ଥନ ।

୫୦/୫୦ ଫର୍ମୁଲାକୁ ଶକ୍ତି, ଶିବସେନାକୁ ମିଳିଲା ଆଉ ୨ ବିଧାୟକଙ୍କ ସମର୍ଥନ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଯେତେବେଳେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ସହ ୫୦/୫୦ ଫର୍ମୁଲାରେ ଅଡି ବସିଛି ଶିବସେନା, ସେତେବେଳେ ଦଳକୁ ମିଳିଛି ଅନ୍ୟ ଦୁଇ ବିଧାୟକଙ୍କ ସମର୍ଥନ । ପ୍ରହାର ଜନଶକ୍ତି ପାର୍ଟି(ପିଜେପି)ର ଦୁଇ ବିଧାୟକ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟି ନିଜର ସମର୍ଥନ ଜଣାଇଛନ୍ତି । ଆଉ ଉଦ୍ଧବ ମଧ୍ୟ ଉଭୟଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । 

ଶନିବାର ରାତିରେ ପିଜେପିର ଦୁଇ ବିଧାୟକ ଶିବସେନା ମୁଖ୍ୟଙ୍କୁ ସାକ୍ଷାତ କରିଥିଲେ । ଏମାନେ ହେଲେ ଅଚଲପୁର ବିଧାୟକ ବଚ୍ଚୁ କଡୁ ଏବଂ ମେଲଘାଟ ବିଧାୟକ ରାଜକୁମାର ପଟେଲ । ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ କରି ଶିବସେନା ପ୍ରତି ନିଜ ସମର୍ଥନ ଜଣାଇଛନ୍ତି ଉଭୟେ । ଉଭୟ ବିଧାୟକଙ୍କ ସମର୍ଥନ ଦଳ ପାଇଁ ଗୁରୁତ୍ୱବହନ କରୁଛି । ଯଦିଓ ସରକାର ଗଠନ ପାଇଁ ଏହି ସମର୍ଥନର ଗୁରୁତ୍ୱ ନାହିଁ, ତଥାପି ମଧ୍ୟ ବିଜେପି ସହ ୫୦/୫୦ ଫର୍ମୁଲାରେ ଅଡି ବସିଥିବା ଶିବସେନାକୁ ବଳ ଯୋଗାଇଛି । 

ମହାରାଷ୍ଟ୍ର ବିଧାନସଭାରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ । କିନ୍ତୁ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଦୁଇ ଦଳ ମଧ୍ୟରେ ଜାରି ରହିଛି କୁସ୍ତି । ସରକାର ଗଢିବାକୁ ନେଇ ୫୦-୫୦ ଫର୍ମୁଲାରେ ଅଡ଼ି ବସିଛି ଶିବସେନା । ବିଜେପି ଠାରୁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଲିଖିତ ଆଶ୍ୱାସନା ମାଗିଛି । ସେପଟେ ବିଜେପି ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । 

ଶିବସେନା ଟିକଟରେ ସିଲ୍ଲୋଡରୁ ନିର୍ବାଚନ ଜିତିଥିବା ମୁସଲିମ ବିଧାୟକ ଅବଦୁଲ ସତ୍ତାର କହିଛନ୍ତି , ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛି । ସେ ଦାବି କରିଛନ୍ତି ଯେ ବିଜେପି ଓ ଶିବସେନା ମଧ୍ୟରେ ମେଣ୍ଟ ହେବା ସମୟରେ ରାଜ୍ୟରେ ୨।୫ ବର୍ଷ ଶିବସେନା ଓ ୨।୫ ବର୍ଷ ବିଜେପିର ମୁଖ୍ୟମନ୍ତ୍ରୀ ହେବ । ସତ୍ତାରଙ୍କ ବ୍ୟତୀତ ଶିବସେନା ବିଧାୟକ ପ୍ରତାପ ସରନାଇକ ମଧ୍ୟ ସମାନ ଦାବି କରିଛନ୍ତି । 

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପି-ଶିବସେନା ମେଣ୍ଟକୁ ୧୬୧ ଆସନ ମିଳିଛି । ଏଥିରେ ବିଜେପିର ୧୦୫, ଶିବସେନାର ୫୬ ଆସନ ରହିଛି ।  ସେପଟେ ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା ।