ଆମେ ସତ ରାଜନୀତି କରୁ, ସତ୍ତା ଲାଳସୀ ନୁହେଁ: ଶିବସେନା
Advertisement

ଆମେ ସତ ରାଜନୀତି କରୁ, ସତ୍ତା ଲାଳସୀ ନୁହେଁ: ଶିବସେନା

ଏବେ ନାଟକୀୟ ମୋଡ ନେଉଛି ମହାରାଷ୍ଟ୍ର ରାଜନୀତି । ବିଜେପି-ଶିବସେନା ସରକାର କରିବେ ନା ଭାଙ୍ଗିଯିବ ମେଣ୍ଟ ? ଏହାରି ଭିତରେ ବଡ ବୟାନ ଦେଇଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ ଜାରିରହିଛି ଛକାପଞ୍ଝା । ଉଭୟ ଦଳ ବିକଳ୍ପ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେଉଥିବା କୁହାଯାଉଛି । ଅର୍ଥାତ ଏନସିପିଠୁ ବିଜେପି ସମର୍ଥନ କଥା ଚିନ୍ତା କରୁଛି । ଅନ୍ୟପଟେ ଉଭୟ ଏନସିପି ଏବଂ କଂଗ୍ରେସର ସମର୍ଥନରେ ଶିବସେନା ସରକାର ଗଢିବାର ବିକଳ୍ପ ଖୋଜୁଛି । ହେଲେ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ । 

ସଞ୍ଜୟ ରାଉତଙ୍କ କହିବା କଥା ହେଲା, ଶିବସେନା ପାଖରେ ବିଜେପି ବ୍ୟତୀତ ଅନ୍ୟ ବିକଳ୍ପ ବି ଅଛି । କିନ୍ତୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅନ୍ୟ ବିକଳ୍ପକୁ ଆପଣାଇ ପାପ କରିବାକୁ ଚାହୁଁନାହାଁନ୍ତି । ଶିବସେନା ସବୁବେଳେ ସତ୍ୟ ରାଜନୀତି ଉପରେ ବିଶ୍ୱାସ କରେ । ଆମେ କ୍ଷମତା ପାଇଁ ଭୋକିଲା ନୋହୁଁ ବୋଲି କହିଛନ୍ତି ସଞ୍ଜୟ । 

ନିର୍ବାଚନ ପୂର୍ବରୁ ବିଜେପି-ଶିବସେନା ମଧ୍ୟରେ ମେଣ୍ଟ ହୋଇଥିଲା । ମେଣ୍ଟକୁ ବହୁମତ ବି ମିଳିଛି । ହେଲେ ସରକାର ଗଠନରେ କାହିଁକି ବିଳମ୍ବ ହେଉଛି ? ସାମ୍ବାଦିକଙ୍କ ଏଭଳି କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସଞ୍ଜୟ ରାଉତ କହିଛନ୍ତି, ଏଠାରେ ଦୁଷ୍ମନ୍ତ ଚୌଟାଲା ନାହାଁନ୍ତି, ଯାହାଙ୍କ ବାପା ଜେଲରେ ଅଛନ୍ତି । ଏଠାରେ ଶିବ ସୈନିକ ଅଛନ୍ତି, ଯିଏ ସତ୍ୟ ଏବଂ ଧର୍ମର ରାଜନୀତି କରନ୍ତି । ନିର୍ବାଚନ ପ୍ରଚାର ବେଳେ ବିଜେପି ବିରୋଧରେ ଏକ ମାହୋଲ ତିଆରି କରିଥିଲେ ଏନସିପି ମୁଖ୍ୟ ଶରତ ପାୱାର । ସେ କେବେ ବି ବିଜେପି ସହ ମେଣ୍ଟ କରିବେ ନାହିଁ ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । 

କହିରଖୁଛୁ, ଏବେ ନାଟକୀୟ ମୋଡ ନେଉଛି ମହାରାଷ୍ଟ୍ର ରାଜନୀତି । ବିଜେପି-ଶିବସେନା ସରକାର କରିବେ ନା ଭାଙ୍ଗିଯିବ ମେଣ୍ଟ ? ଏଭଳି କିଛି ପ୍ରଶ୍ନ ମୁଣ୍ଡ ଟେକୁଛି । କାହିଁକିନା ୫୦/୫୦ ଫର୍ମୁଲାରେ ଅଟଳ ରହିଛି ଶିବସେନା । ଅର୍ଥାତ ମୁଖ୍ୟମନ୍ତ୍ରୀ ପଦ ଅଢେଇ ବର୍ଷ ଶିବସେନା ହାତରେ ଏବଂ ଅଢେଇ ବର୍ଷ ବିଜେପି ହାତରେ ରଖିବାକୁ ଦଳ ଦାବି କରୁଛି । ଯାହାକୁ ସହଜରେ ଗ୍ରହଣ କରିପାରୁନି ଭାରତୀୟ ଜନତା ପାର୍ଟି । 

ଏ ତମାମ ସସପେନ୍ସ ଭିତରେ ଗତକାଲି ମଧ୍ୟ ବଡ ଏବଂ ସ୍ପଷ୍ଟ ବୟାନ ରଖିଥିଲେ ଶିବସେନା ନେତା ସଞ୍ଜୟ ରାଉତ । ବିଜେପି ସହ ଆଉ କଥାବାର୍ତ୍ତା ନୁହେଁ, ଏବେ କେବଳ ଲିଖିତ ପ୍ରତିଶ୍ରୁତି ଦରକାର ବୋଲି କହିଥିଲେ ସଞ୍ଜୟ । ସେହିପରି ସୋମବାର  ପୃଥକ ପୃଥକ ଭାବରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଶିବସେନା ନେତା ଦିବାକର ରାଓତେ । ମହାରାଷ୍ଟ୍ରରେ ସରକାର ଗଠନ  ପାଇଁ ବିଜେପି-ଶିବସେନା ମଧ୍ୟରେ ଲାଗିରହିଥିବା ଶୀତଳ ଯୁଦ୍ଧ ନେଇ ଫଡନାଭିସ ରାଜ୍ୟପାଳଙ୍କୁ ଅବଗତ କରିଥିବା କୁହାଯାଉଛି । 

ଏବେ ଶିବସେନାକୁ ମନାଇବା ଦଳ ପାଇଁ କାଠିକର ପାଠ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଯେଉଁ ୫୦/୫୦ ଫର୍ମୁଲା କଥା ଉଠାଇଛନ୍ତି, ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ଖୋଦ ନିଜ ପୁଅ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ଉଦ୍ଧବ । ଖାଲି ଶିବସେନା ମୁଖ୍ୟ କାହିଁକି, ବହୁ ଶିବ ସୈନିକ ମଧ୍ୟ ଏହି ଦାବି ଉଠାଇଛନ୍ତି । ହେଲେ ମନ୍ତ୍ରୀ ପଦରେ ୫୦/୫୦ ଫର୍ମୁଲା ହୁଏତ ବିଜେପି ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ୨।୫ ବର୍ଷ ଶିବସେନାକୁ ଦେବା ବିଜେପି ପାଇଁ ସହଜ ହେଉନାହିଁ । ଏପଟେ ଏନେଇ ଲିଖିତ ପ୍ରତିଶ୍ରୁତି ମାଗିଛି ଶିବସେନା ।  

କିନ୍ତୁ ବର୍ତ୍ତମାନ ବିଜେପି ପାଇଁ ଅନ୍ୟ ବାଟ ବି ନାହିଁ । ଯଦି ଉଦ୍ଧବ ଠାକରେ ନିଜ ଜିଦରେ ଅଡି ବସନ୍ତି, ତେବେ ବିଜେପି ମୁଖ୍ୟମନ୍ତ୍ରୀ ପଦ ବି ଛାଡିବାକୁ ବାଧ୍ୟ ବୋଲି କୁହାଯାଉଛି । ହେଲେ ଏହାସହ ଅନ୍ୟ ଏକ ପ୍ରଶ୍ନ ବି ମୁଣ୍ଡ ଟେକୁଛି । ପ୍ରଥମ ଅଢେଇ ବର୍ଷ ନା ଶେଷ ଅଡେଇ ବର୍ଷ, କେଉଁ ସମୟ ଶିବସେନାକୁ ଦେବ ବିଜେପି ? ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ନିଶ୍ଚୟ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ଚାହିଁବ । ହୁଏତ ଆଉ କିଛି ଦିନ ଭିତରେ ପୁରା ରାଜ୍ୟର ରାଜନୈତିକ ଚିତ୍ର ସ୍ପଷ୍ଟ ହେବ । 

ମହାରାଷ୍ଟ୍ର ବିଧାନସଭାରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ । କିନ୍ତୁ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଦୁଇ ଦଳ ମଧ୍ୟରେ ଜାରି ରହିଛି କୁସ୍ତି । ସରକାର ଗଢିବାକୁ ନେଇ ୫୦-୫୦ ଫର୍ମୁଲାରେ ଅଡ଼ି ବସିଛି ଶିବସେନା । ବିଜେପି ଠାରୁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଲିଖିତ ଆଶ୍ୱାସନା ମାଗିଛି । ସେପଟେ ବିଜେପି ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । ଆଉ ଏହାରି ଭିତରେ ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ଏକ ଭିନ୍ନଦିଗକୁ ମୁହାଁଉଥିବା କୁହାଯାଉଛି ।