ସିଂହାସନ ପାଇଁ ଚାଲିଛି ଭାଗବଣ୍ଟା, ୨ ଦିନ ଭିତରେ ନିଆଯିବ ଶେଷ ନିଷ୍ପତ୍ତି
Advertisement

ସିଂହାସନ ପାଇଁ ଚାଲିଛି ଭାଗବଣ୍ଟା, ୨ ଦିନ ଭିତରେ ନିଆଯିବ ଶେଷ ନିଷ୍ପତ୍ତି

 ନିର୍ବାଚନ ଫଳ ପ୍ରକାଶର ୨୯ ଦିନ ପରେ ମଧ୍ୟ ନିଜ ଦାବିରେ ଅଟଳ ରହିଛି ଶିବସେନା 

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରକାଶ ପରିଡ଼ା, ଭୁବନେଶ୍ୱର: ମହାରାଷ୍ଟ୍ରରେ ଶିବସେନା ଏନସିପି ଓ କଂଗ୍ରେସ ସରକାର ଗଠନ ସମ୍ଭାବନା ସୃଷ୍ଟି ହୋଇଛି । ବୁଧବାର ସଂଧ୍ୟାରେ ନୂଆଦିଲ୍ଲୀରେ କଂଗ୍ରେସ ଏନସିପି ବୈଠକରେ ସରକାର ଗଠନ ପ୍ରସଙ୍ଗରେ ଆଲୋଚନା ହୋଇଛି । ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଅଢ଼େଇ ବର୍ଷ ପାଇ ଶିବସେନା ଓ ଅଢ଼େଇ ବର୍ଷ ପାଇଁ ଏନସିପି ନେତା ମୁଖ୍ୟମନ୍ତ୍ରୀ ହେବା ପ୍ରସ୍ତାବକୁ ସ୍ୱୀକୃତୀ ମିଳିଛି  । ମେଣ୍ଟ ସରକାରରେ ମୋଟ ୪୩ ମନ୍ତ୍ରୀ ସାମିଲ ହେବେ ବୋଲି ଏନସିପି ସାଂସଦ ମାଜିଦ ମେମନ ସୂଚନା ଦେଇଛନ୍ତି । ବୈଠକରେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ସୋନିଆ ସହମତି ପ୍ରକାଶ କରିଥିବା ସେ କହିଛନ୍ତି । ରାଜ୍ୟ ମନ୍ତ୍ରୀମଣ୍ଡଳରେ ଶିବସେନାର ୧୬ ମନ୍ତ୍ରୀ, ଏନସିପିର ୧୫ ଓ କଂଗ୍ରେସର ୧୨ ମନ୍ତ୍ରୀ ରହିବେ ବୋଲି ଯୋଜନା ପ୍ରସ୍ତୁତ ହୋଇଛି । ସରକାର ଗଠନ ସସପେନ୍ସ ମଧ୍ୟରେ ବୁଧବାର ଦିଲ୍ଲୀରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।  ଉଭୟଙ୍କ ମଧ୍ୟରେ ମହାରାଷ୍ଟ୍ର ରାଜନୀତି ପ୍ରସଙ୍ଗରେ ଆଲୋଚନା ହୋଇ ନ ଥିବାବେଳେ ଏହା ପଛରେ ପାୱାରଙ୍କ ପାୱାର ଗେମ୍ ରହିଥିବା ଚର୍ଚ୍ଚା ହେଉଛି । ଶିବସେନା କୌଣସି ବି ଉପାୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଥିବାବେଳେ ପାୱାର ଗେମ୍ ଯୋଗୁଁ ଏପର୍ଯ୍ୟନ୍ତ ଅଧୂରା ରହିଛି ଶିବସେନାର ଯୋଜନା । ତେବେ ଆସନ୍ତା ଡିସେମ୍ବର ପୂର୍ବରୁ ରାଜ୍ୟରେ ରାଷ୍ଟ୍ରପତି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଦାବି କରିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ଆସନ୍ତା ଦୁଇଦିନ ମଧ୍ୟରେ ଶେଷ ନିଷ୍ପତ୍ତି ପ୍ରକାଶ ପାଇବା ସହ ନଭେମ୍ୱର ଶେଷ ବେଳକୁ ସମସ୍ତ ପ୍ରକ୍ରିୟା ଶେଷ ହୋବ ବୋଲି ସଞ୍ଜୟ କହିଛନ୍ତି । ବୁଧବାର ପାୱାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଉପସ୍ଥିତ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶିବସେନାକୁ ସରକାର ଗଠନ ପାଇଁ ଭରଷା ଦେଇ ଠିକଣା ସମୟରେ ଏନସିପି ବାରମ୍ବାର ହାତ ଛାଡ଼ିବା ପଛରେ ପାୱାରଙ୍କ ଗୁପ୍ତ ରଣନୀତି ଥିବା ଅନୁମାନ କରାଯାଉଛି । ରାଜ୍ୟର କୃଷକ ସମସ୍ୟା ଉପରେ ଆଲୋଚନା ହେବା ସହ ୩୦ ନଭେମ୍ବରରେ ସୁଗାର ମିଲ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଏନସିପି ପକ୍ଷରୁ କୁହାଯାଇଛି ।  

ବୁଧବାର ସଂସଦରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ରିପୋର୍ଟ ଉପସ୍ଥାପନ କରିଥିଲେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଅକ୍ଟୋବର ୨୪ରୁ ବିଜେପି ଓ ଶିବସେନା ମଧ୍ୟରେ ଲାଗି ରହିଥିବା ବିବାଦ ଉପରେ ମତ ରଖିଛନ୍ତି RSS ମୁଖ୍ୟ ମୋହନ ଭାଗବତ । ରାଜନୀତିରେ ସଂକୀର୍ଣ୍ଣ ସ୍ୱାର୍ଥକୁ ବଳି ଦେଇ ଦେଶ ବା ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ସ୍ୱାର୍ଥକୁ ଛାଡ଼ି ପାରନ୍ତି ନାହିଁ ବୋଲି କହିଛନ୍ତି ଭାଗବତ । ଉଭୟ ଦଳ ନିଜ ନିଜ ଦାବିକୁ ଛାଡ଼ି ରାଜ୍ୟବାସୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି ମୋହନ ଭାଗବତ । ବିଜେପି ଓ ଶିବସେନା ମତଭେଦ କାରଣରୁ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟା ବିଳମ୍ବ ହୋଇଛି । କଂଗ୍ରେସ ଏନସିପି ପକ୍ଷରୁ ଶିବସେନାକୁ ସମର୍ଥନ ଦିଆଯିବ ବୋଲି ମୌଖିକ ଘୋଷଣା ହୋଇଥିଲେ ବି ସରକାର ଗଠନ ପାଇଁ ଏପର୍ଯ୍ୟନ୍ତ ସମର୍ଥନ ମିଳିପାରିନାହିଁ । ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ଘୋଷଣାକୁ ଏବେ ବି ଅପେକ୍ଷା କରି ରହିଛି ଶିବସେନା । ଶିବସେନା ଏନସିପି ଓ କଂଗ୍ରେସ ମେଣ୍ଟ ସରକାର ହେଉ କିମ୍ବା ବିଜେପି ଶିବସେନା ସରକାର, ଶିବସେନାକୁ ମୁଖ୍ୟମନ୍ତ୍ରୀ ସିଂହାସନ ମିଳିବା ନିଶ୍ଚିତ ହୋଇଛି । କେବଳ ରାଜ୍ୟରେ ସରକାର ଗଠନ ନେଇ ଚୂଡ଼ାନ୍ତ  ଘୋଷଣାକୁ ଅପେକ୍ଷା କରାଯାଇଛି  ।

ସୋମବାର କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ ଶରଦ ପାୱାର । ବୈଠକ ପରେ ପାୱାର ଦେଇଥିବା ବୟାନ ମେଣ୍ଟ ସରକାର ଗଠନ ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲା । ସେପଟେ ମଙ୍ଗଳବାର ମହାରାଷ୍ଟ୍ର କଂଗ୍ରେସ ଓ ଏନସିପି ମଧ୍ୟରେ ବୈଠକ ବାତିଲ ହୋଇଥିଲା । ନିର୍ବାଚନ ଫଳ ପ୍ରକାଶର ୨୯ ଦିନ ପରେ ମଧ୍ୟ ଶିବସେନା ନିଜ ଦାବିରେ ଅଟଳ ରହିଛି । ମଙ୍ଗଳବାର ଟ୍ୱିଟ୍ କରି ଶିବସେନା ମୁଖପାତ୍ର ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ଉପରେ ନିଜ ଦାବି ରଖିଥିଲେ । ରାଜ୍ୟରେ ଶିବସେନା ନେତୃତ୍ୱରେ ସରକାର ଗଠନ ହେବ ଓ ଶିବସେନା ନେତା ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦାବି କରିଥିଲେ । ବର୍ତ୍ତମାନ ୧୭୦ ବିଧାୟକଙ୍କ ସମର୍ଥନ ଶିବସେନା ପ୍ରତି ରହିଛି ବୋଲି କହିବା ସହ ଖୁବଶୀଘ୍ର ସସପେନ୍ସ ଉପରୁ ପରଦା ହଟିବ ବୋଲି ସଂଜୟ ରାଉତ କହିଛନ୍ତି ।